Thursday , October 6 2022
Breaking News
Home / ବିଶେଷ / ବେଆଇନ୍ ଚାନ୍ଦା ଆଦାୟକୁ ନେଇ ଥାନାରେ ଏତଲା

ବେଆଇନ୍ ଚାନ୍ଦା ଆଦାୟକୁ ନେଇ ଥାନାରେ ଏତଲା

ସାଲେପୁର,୦୬/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ଚାନ୍ଦା ଆଦାୟ କରିବା ଉପରେ ସରକାର କଟକଣା ଲଗାଇଥିଲେ ମଧ୍ୟ ସାଲେପୁର ଅଂଚଳର କେତେକ ଯୁବକ ଗଣେଶ ପୂଜା ନାମରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟ ଅନୁଷ୍ଠାନ ମାଲିକମାନଙ୍କୁ ଧମକ ଚମକ ଦେଇ ଜୋର ଜବରଦସ୍ତ ଚାନ୍ଦା ଆଦାୟ କରୁଛନ୍ତି । ଯେଉଁମାନେ ଚାନ୍ଦା ଦେବାକୁ ଅମଙ୍ଗ ହେଉଛନ୍ତି, ସେମାନଙ୍କ ବ୍ୟବସାୟ ପ୍ରତିଷ୍ଠାନକୁ ବୋମା ପକାଇ ଉଡାଇ ଦିଆଯିବ ବୋଲି ଧମକ ଦେଉଥିବା ନେଇ ସାଲେପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାଯାଇଛି । ଅଭିଯୋଗରୁ ପ୍ରକାଶ ଯେ ମାଛୁଆତି ଅଂଚଳର କୁନା ମଲ୍ଲିକ, ସୌମ୍ୟରଂଜନ ମଲ୍ଲିକ, ସ୍ୱାଧୀନ ମଲ୍ଲିକ ଗତ ୩ତାରିଖ ଦିନ ସନ୍ତୋଷୀମା’ ବଜାର କମିଟି ସପନପୁରରେ ନିଜର ବ୍ୟବସାୟ ଅନୁଷ୍ଠାନ କରିଥିବା କେତେକ ବ୍ୟବସାୟୀଙ୍କୁ ଗଣେଶପୂଜା ଚାନ୍ଦା ମାଗିଥିଲେ । ମାତ୍ରାଧିକ ଚାନ୍ଦା ମାଗୁଥିବାରୁ ବ୍ୟବସାୟ ପ୍ରତିଷ୍ଠାନ କରିଥିବା ବ୍ୟକ୍ତିମାନେ ଏଥିରେ ଅମଙ୍ଗ ହେବାରୁ ଶାରଳା ମୋଟର୍ସର ମାଲିକଙ୍କ ପୁତ୍ର ସୁବ୍ରତ ଦାଶଙ୍କୁ ସଂପୃକ୍ତ ଯୁବକମାନେ ୫ହଜାର ଟଙ୍କା ଚାନ୍ଦା ବାବଦକୁ ମାଗିଥିଲେ । ଚାନ୍ଦା ଦେବାକୁ ଅକ୍ଷମତା ପ୍ରକାଶ କରିବାରୁ ସଂପୃକ୍ତ ଯୁବକମାନେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ବୋମା ପକାଇ ତୋ ବ୍ୟବସାୟ ପ୍ରତିଷ୍ଠାନକୁ ଉଡାଇ ଦେବୁ ବୋଲି ଧମକ ଦେଇଥିଲେ । ଏହାନେଇ ସୁବ୍ରତ ଦାଶ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଥିବାବେଳେ ସେହିପରି ଏହି ବଜାର କମିଟିର ବହୁ ବ୍ୟବସାୟୀ ସଂପୃକ୍ତ ଯୁବକମାନଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି । ଅପର ପକ୍ଷରେ ଏହି ଯୁବକମାନେ ମାଛୁଆତି ଗ୍ରାମର ବିଭିନ୍ନ ବ୍ୟକ୍ତିମାନଙ୍କ ଠାରୁ ଜୋର ଜବରଦସ୍ତ ଚାନ୍ଦା ଆଦାୟ କରୁଥିବା ନେଇ ମାଛୁଆତି ଗ୍ରାମର ବହୁ ଗ୍ରାମବାସୀ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ପୋଲିସ ଅଭିଯୋଗକୁ ଗ୍ରହଣ କରି ଘଟଣାର ତଦନ୍ତ ଚାଲୁ ରଖିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.