ଅରୁଣ ଜେଟଲୀଙ୍କ ସ୍ମୃତି ଉଦେ୍ଦଶ୍ୟରେ ସାର୍ବଜନୀନ ଓ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା
ଭୁବନେଶ୍ୱର,୦୬/୦୯/୨୦୧୯(ଓଡ଼ିଶା ସମାଚାର)-ଅରୁଣ ଜେଟଲୀଜୀ ଥିଲେ ଅଜାତଶତ୍ରୁ । ସେ ଜଣେ ସ୍ଥିର ବୁଦ୍ଧି, ଆତ୍ମ ସ୍ୱାଭିମାନୀ ସମ୍ପନ୍ନ ବ୍ୟକ୍ତି ବିଶେଷ ଥିଲେ । ମୃତୁ୍ୟର ଦେବତା ଯମଙ୍କ ସମ୍ମୁଖରେ ନଚିକେତା ଏବଂ ଶୁକଦେବଙ୍କ ସମ୍ମୁଖରେ ପରୀକ୍ଷିତ ପରି ତାଙ୍କର ବ୍ୟକ୍ତିତ୍ୱ ଥିଲା । ଅରୁଣଜୀଙ୍କ ପରି ଜଣେ ଆଦର୍ଶବାଦୀ ରାଜନେତାଙ୍କୁ ଭଗବାନ ତାଙ୍କ ଶ୍ରୀଚରଣରେ ଆଶ୍ରୟ ପ୍ରଦାନ କରନ୍ତୁ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କହିଛନ୍ତି । ଗୁରୁବାର ପୂର୍ବତନ ଅର୍ଥ ଓ ପ୍ରତିରକ୍ଷା ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କ ସ୍ମୃତ୍ୟାର୍ଥେ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ସାର୍ବଜନୀନ ଓ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ରାଜ୍ୟପାଳ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ଅରୁଣ ଜେଟଲୀଙ୍କ ସହ କାଟିଥିବା ମୂହୂର୍ତର ସ୍ମୃତିଚାରଣ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱର୍ଗତ ଜେଟଲୀଜୀ ଓଡ଼ିଶାର ଜଣେ ପ୍ରକୃତ ବନ୍ଧୁ ଥିଲେ ବୋଲି କହିଥିଲେ । ଶ୍ରୀ ଜେଟଲୀ ସବୁବେଳେ କହୁଥିଲେ ଓଡ଼ିଆ ଜାତି ବୁଦ୍ଧିଜୀବୀଙ୍କ ସମାଜ । ଓଡ଼ିଶା ଏବଂ ଓଡ଼ିଆ ସର୍ବୋପରି ଓଡ଼ିଶାର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ପ୍ରତି ତାଙ୍କ ମନରେ ପ୍ରବଳ ଶ୍ରଦ୍ଧା ଥିଲା । ସେଥିପାଇଁ ସେ ନବକଳେବର ସମୟରେ ବିନା ସଙ୍କୋଚରେ ଅର୍ଥର ବ୍ୟବସ୍ଥା କରିବା ସହ ନବକଳେବର ସ୍ମାରକୀ ମୁଦ୍ରା ପ୍ରଚଳନ କରିବା ପାଇଁ ଅନୁମତି ପ୍ରଦାନ କରିଥିଲେ ଏବଂ ଏଥିପାଇଁ ତ୍ୱରିତ୍ ପଦକ୍ଷେପ ଗ୍ରହଣ କରିଥିଲେ । ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତି ଅବସରରେ ବଜେଟ୍ ପାଇଁ ଅର୍ଥ ବ୍ୟୟବରାଦ କରିବା ସହ ବଜେଟ୍ ପାଇଁ ସେ ନିଜେ ଶବ୍ଦ ସଂଯୋଜନା କରିଥିଲେ । ତାଙ୍କର ବିୟୋଗ କାରଣରୁ ଓଡ଼ିଶାବାସୀ ଜଣେ ବନ୍ଧୁ ଏବଂ ଅଭିଭାବକଙ୍କୁ ହରାଇଲା ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । ସେହିପରି ସ୍ମୃତିଚାରଣ ସଭାରେ ଯୋଗଦେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଶ୍ରୀ ଜେଟଲୀଙ୍କୁ ଜଣେ ଦକ୍ଷ ଆଇନଜୀବୀ ଏବଂ ଜଣେ ଆଦର୍ଶବାଦୀ ରାଜନେତା ଭାବେ ବେଶ୍ ପ୍ରଭାବଶାଳୀ ଥିଲେ ବୋଲି କହିଥିଲେ । ତାଙ୍କ ବକ୍ତବ୍ୟ ପ୍ରତ୍ୟେକ ରାଜନୀତିକ ବ୍ୟକ୍ତିବିଶେଷଙ୍କୁ ପ୍ରଭାବିତ କରିଥାଏ । ସ୍ୱର୍ଗତଃ ଜେଟଲୀ ଯେଉଁ ପ୍ରେରଣା ଭାରତୀୟ ଯୁବକମାନଙ୍କ ମନରେ ଦେଇଯାଇଛନ୍ତି ସେହି ରାସ୍ତାରେ ଚାଲିବାକୁ ସମସ୍ତେ ଚେଷ୍ଟା କରିବାକୁ ବାଚସ୍ପତି ଉପଦେଶ ପ୍ରଦାନ କରିଥିଲେ । ଜଣେ ଛାତ୍ରନେତା, ଅଭିବକ୍ତା, ବିଚକ୍ଷଣ ଓକିଲ ଏବଂ ଜଣେ କେନ୍ଦ୍ରମନ୍ତ୍ରୀ ଭାବରେ ସ୍ୱର୍ଗତଃ ଜେଟଲୀଙ୍କ କାର୍ଯ୍ୟ କରିବାର ଶୈଳୀ ଅତୁଳନୀୟ ଥିଲା ବୋଲି ବିଜେଡି ବିଧାୟକ ଦେବୀ ମିଶ୍ର କହିଥିଲେ । ସ୍ୱର୍ଗତଃ ଜେଟଲୀଜୀ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ । ତାଙ୍କ ପରଲୋକରେ ଭାରତୀୟ ରାଜନୀତି ଜଣେ ଆଦର୍ଶବାଦୀ ରାଜନେତାଙ୍କୁ ହରାଇଛି । ଉଭୟ କୂଟନୀତି ଓ ରାଜନୀତିରେ ସେ ପାରଙ୍ଗମ ଥିଲେ । ଜିଏସଟିଠାରୁ ନୋଟବନ୍ଦୀ ପର୍ଯ୍ୟନ୍ତ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଜେଟଲୀଙ୍କ ବଡ଼ ଭୂମିକା ରହିଥିଲା ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି । ଭାରତୀୟ ରାଜନୀତିରେ ସ୍ୱର୍ଗତଃ ଜେଟଲୀଜୀଙ୍କ ଅବଦାନ ଅତୁଳନୀୟ ଥିଲା । ଭାରତର ଆର୍ଥିକ ବୃଦ୍ଧି, ପ୍ରତିରକ୍ଷା କ୍ଷମତାକୁ ମଜଭୁତ କରିବା ଏବଂ ଅନ୍ୟ ଦେଶମାନଙ୍କ ସହ ବାଣିଜି୍ୟକ ସମ୍ପର୍କ ବୃଦ୍ଧି କରିବାରେ ତାଙ୍କର ଅତୁଳନୀୟ ଯୋଗଦାନ ରହିଥିଲା ବୋଲି ଉପସ୍ଥିତ ବ୍ୟକ୍ତିବିଶେଷ ମତବ୍ୟକ୍ତ କରିଥିଲେ । ଏହି ସାର୍ବଜନୀନ ଓ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭାକୁ ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ପରିଚାଳନା କରିଥିଲେ । ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସମ୍ପାଦକ ତଥା ସାଂସଦ ସୁରେଶ ପୂଜାରୀ, ଖାରବେଳ ସ୍ୱାଇଁ, ଶ୍ରୀକାନ୍ତ ଜେନା, ସୌମ୍ୟରଞ୍ଜନ ପଟ୍ଟନାୟକ, ବିଜୟ ମହାପାତ୍ର, ସାଂସଦ ରଘୁନାଥ ମହାପାତ୍ର, ଅପରାଜିତା ଷଡ଼ଙ୍ଗୀ, ବିଶେଶ୍ୱର ଟୁଡ଼ୁ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଉପନେତା ବିଷ୍ଣୁ ସେଠୀଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଯୋଗଦାନ କରିଥିଲେ । ଓଡ଼ିଶା ସମାଚାର