Saturday , October 23 2021
Home / ବିଶେଷ / ଗରଦପୁର ପଂଚାୟତ ସମିତି ଷଷ୍ଠ ବୈଠକ : କୃଷି, ସ୍ୱାସ୍ଥ୍ୟ ଓ ବିପର୍ଯ୍ୟୟ ଉପରେ ଗୁରୁତ୍ୱାରୋପ

ଗରଦପୁର ପଂଚାୟତ ସମିତି ଷଷ୍ଠ ବୈଠକ : କୃଷି, ସ୍ୱାସ୍ଥ୍ୟ ଓ ବିପର୍ଯ୍ୟୟ ଉପରେ ଗୁରୁତ୍ୱାରୋପ

ଗରଦପୁର ୦୬/୦୯/୨୦୧୯(ଓଡ଼ିଶା ସମାଚାର)- ଗରଦପୁର ପଂଚାୟତ ସମିତିର ଆଜି ଷଷ୍ଠତମ ଅଧିବେଶନ ଗରଦପୁର ବ୍ଲକର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଗରଦପୁର ବ୍ଲକ ଅଧ୍ୟକ୍ଷା ସ୍ୱର୍ଣ୍ଣପ୍ରଭା ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୃଷି, ସ୍ୱାସ୍ଥ୍ୟ ଓ ବିପର୍ଯ୍ୟୟ ଭଳି ସମସ୍ୟାମାନ ଉପରେ ଗୁରୁତ୍ୱପୁର୍ଣ୍ଣ ଆଲୋଚନା କରାଯାଇଥିଲା ।ଏହି ଅବସରରେ ପାଟକୁରାର ନବନିର୍ବାଚିତ ବିଧାୟିକା ସାବିତ୍ରୀ ଅଗ୍ରୱାଲ୍ ଉପସ୍ଥିତ ରହି ବ୍ଲକପ୍ରତି ଥିବା କର୍ତବ୍ୟ ପାଳନ କରି, ରାଜ୍ୟସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଓ ଯୋଜନା ଗୁଡ଼ିକୁ ବ୍ଲକକୁ ଆଣିବା ସହିତ ତାହାର ସଠିକ୍ ରୂପାୟନ କରି ବ୍ଲକକୁ ଏକ ଆଦର୍ଶ ବ୍ଲକରେ ପରିଣତ କରିବା ପାଇଁ ସମସ୍ତ ନିର୍ବାଚିତ ପ୍ରତିନିଧି ଓ ବ୍ଲକ ପ୍ରଶାସନର ସହଯୋଗ କାମନା କରିଥିଲେ । ଆୟୋଜିତ ବୈଠକରେ ଗତ ସମିତି ବୈଠକର ପୂର୍ବ ବିବରଣୀକୁ ବ୍ଲକର ପ୍ରଗତି ସହାୟକ ପ୍ରମୋଦ ଦାସ ପାଠ କରିବା ପରେ ଏହା ଦୃଢ଼ିକରଣ କରାଯାଇଥିଲା । ଅଧ୍ୟକ୍ଷାଙ୍କ ତରଫରୁ ବି.ଡ଼ି.ଓ ଧରଣୀଧର ବେହେରା ବୈଠକକୁ ପରିଚାଳନା କରିଥିଲେ । ଏହି ବୈଠକରେ ସଭ୍ୟମାନଙ୍କ ବିଭିନ୍ନ ପ୍ରଶ୍ନର ଉତରରେ ଗରଦପୁର ବ୍ଲକର କୃଷି ଅଧିକାରୀ ସୌମେନ୍ଦ୍ର କୁମାର ମହାନ୍ତି କାଳିଆ ଯୋଜନାରେ ଗତଥର ରାଜ୍ୟସରକାରଙ୍କ ପକ୍ଷରୁ କୃଷକମାନଙ୍କୁ ପ୍ରଦାନ କରାଯାଇଥିବା ସହାୟତା ଏବଂ ଆସନ୍ତା ସମୟରେ କାଳିଆ ଯୋଜନାରେ ସାମିଲ ହେବାକୁ ଯାଉଥିôବା ହିତାଧିକାରୀମାନଙ୍କ ସମ୍ପର୍କରେ ଗୃହରେ ଆଲୋଚନା କରିଥିଲେ । ଗରଦପୁର ବ୍ଲକରେ ଗତଥର ୧୫ ହଜାର ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ସହାୟତା ଯୋଗାଇ ଦିଆଯାଇଥିବା ବେଳେ ଚଳିତ ଥର ଏହି ଯୋଜନାରେ ୧୭,୨୩୯ ଜଣ କାଳିଆ ଯୋଜନାରେ ସହାୟତା ପାଇବା ପାଇଁ ଆବେଦନ କରିଥିବା ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଯୋଜନାରେ କୌଣସି ଯୋଗ୍ୟ ହିତାଧିକାରୀ ବାଦ ପଡିବେ ନାହିଁ ବୋଲି ଶ୍ରୀ ମହାନ୍ତି ଗୃହକୁ ପ୍ରତିଶୃତି ଦେଇଥିଲେ । ସେହିପରି ଗରଦପୁର ବ୍ଲକ ଅଂଚଳରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । ପାଟକୁରା ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡ଼ାକ୍ତର ହିମାଂଶୁଭୂଷଣ ଷଢ଼ଙ୍ଗି ପାଟକୁରା ମେଡ଼ିକାଲର ଭିତିଭୂମୀ, ନିରାମୟ ଯୋଜନା, ଗରଦପୁର, କୋରୁଆ, ତେଣ୍ଡାକୁଡ଼ା ଓ ମଧୁଶାସନ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ପର୍କରେ ଟିପଣୀ ପ୍ରଦାନ କରିଥିଲେ । ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନୂତନ ଭାବରେ ଦନ୍ତଚିକିତ୍ସକ ଓ ଅନ୍ୟ ଜଣେ ଚକ୍ଷୁ୍ୟ ଚିକିତ୍ସକ କାର୍ଯ୍ୟରେ ଯୋଗଦେଇଥିବା ବେଳେ ମଧୁଶାସନ ଓ ତେଣ୍ଡାକୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚୁକ୍ତିଭିତିକ ନିଯୁକ୍ତ ଡ଼ାକ୍ତର ଗତମାସରୁ ଚାକିରିରୁ ଇସ୍ତା ଦେଇଛନ୍ତି ଓ କୋରୁଆ ସ୍ୱାସ୍ଥ୍ୟକେନ୍ଦ୍ରରେ କୌଣସି ଡ଼ାକ୍ତର ନଥିବା ପ୍ରକାଶ କରିଥିଲେ । ସଭ୍ୟମାନଙ୍କ ପ୍ରଶ୍ନର ଉତର ଦେଇ ଡ଼କ୍ଟର ଷଢ଼ଙ୍ଗି ପ୍ରକାଶ କରିଥିଲେ ଯେ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ସେବାର ଭିତିଭୁମି ସୁଦୃଢ଼ କରିବା ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ୧ କୋଟି ୯୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନୂତନ ଭାବରେ ବହିଃଚିକିତ୍ସା ଗୃହ, ଅନ୍ତଚିକିତ୍ସା ଗୃହ ଏବଂ ପ୍ରଶାସନିକ ଭବନ ନିର୍ମାଣ କରାଯିବା ପାଇଁ ବ୍ୟୟମଞ୍ଜୁର କରାଯାଇଥିବା ସମ୍ପର୍କରେ ସୂଚନା ଦେଇଥିଲେ । ଏଥି ସହିତ ପାଟକୁରା ମେଡ଼ିକାଲରେ ରୋଗି ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଇ ୩୦ ଶଯ୍ୟା ବିଶିଷ୍ଠ କରାଯିବା ପାଇଁ ବିଭାଗ ପ୍ରକଳ୍ପ କରିଥିବା ସମ୍ପର୍କରେ କହିଥିଲେ । ପ୍ରକାଶ ଯେ ୨୦୦୮ ରୁ ୨୦୧୦ ମସିହା ମଧ୍ୟରେ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବାର୍ଷିକ ୧୫ରୁ ୧୮ ହଜାର ରୋଗି ସଂଖ୍ୟା ରହିଥିବା ବେଳେ ଗତ ବର୍ଷ ଏହି ସଂଖ୍ୟା ବୃଦ୍ଧି ପାଇଁ ବାର୍ଷିକ ୭୦ ରୁ ୭୨ ହଜାର ପର୍ଯ୍ୟନ୍ତ ରୋଗି ଚିକିତ୍ସା କରାଯାଇଥିବା ରେକର୍ଡ଼ କରାଯାଇଛି । ସେହିପରି ଅଂଚଳରେ ବିଭି୍ନ୍ନ ସମୟରେ ବନ୍ୟା, ବାତ୍ୟା ଓ ଅନାବୃଷ୍ଟି ଭଳି ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଗରଦପୁର ବ୍ଲକରେ ଓଷଡ଼ମା ଦ୍ୱାରା ପରିଚାଳିତ ୪ ଗୋଟି ବାତ୍ୟା ଆଶ୍ରୟସ୍ଥଳୀ ଦୀର୍ଘ ଦିନରୁ ରକ୍ଷଣାବେକ୍ଷଣ ଅଭାବରୁ ବିପର୍ଯ୍ୟୟ ମଧ୍ୟଦେଇ ଗତି କରୁଥିବା ସଭ୍ୟମାନେ ପ୍ରଶ୍ନ କରିଥିଲେ । ଗରଦପୁର ବ୍ଲକର ବି.ଡ଼ି.ଓ ଶ୍ରୀ ବେହେରା ପ୍ରତି ବର୍ଷ ଜୁନ୍ ମାସ ୧୯ ତାରିଖ ପୂର୍ବରୁ ସଂପୃକ୍ତ ଗ୍ରାମ ଉନ୍ନୟନ ବିଭାଗ ଦ୍ୱାରା ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକର ବିଭିନ୍ନ ଅସୁବିଧା ଓ ରକ୍ଷଣାବେକ୍ଷଣ ସମ୍ପର୍କରେ ବ୍ୟୟଅଟକଳ ପ୍ରସ୍ତୁତ କରାଯାଉଥିବା କହିଥିଲେ । ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକରେ ଦୀର୍ଘ ବର୍ଷ ହେଲା ବିପନ୍ନମାନଙ୍କ ପାଇଁ ରହିଥିବା ବିଭି୍ନ୍ନ ସୁବିଧା ସୁଯୋଗ ଗୁଡ଼ିକ କାର୍ଯ୍ୟକ୍ଷମ କରାଯାଉ ନଥିବାରୁ ସେଗୁଡ଼ିକ କ୍ରମେ କ୍ରମେ ନଷ୍ଟ ହେବାକୁ ବସିଥିବା ସମ୍ପର୍କରେ ସଦସ୍ୟମାନେ ଆଲୋଚନା କରି କ୍ଷୋଭ ପ୍ରକାଶ କରିଥିଲେ । ଦୁର୍ବିପାକ ସମୟରେ ବିପନ୍ନମାନଙ୍କୁ ଉଦ୍ଧାର, ଥଇଥାନ୍ ଓ ରିଲିଫ୍ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପରିଚାଳନା କରିବା ପାଇଁ ପଂଚାୟତ ଗୁଡ଼ିକୁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନର ବ୍ୟବସ୍ଥା କରିବା ପାଇଁ ସାନଅଢ଼ଙ୍ଗା ପଂଚାୟତର ସରପଂଚ ସ୍ୱର୍ଣ୍ଣପ୍ରଭା ନାୟକ ପ୍ରସ୍ତାବ ଦେଇଥିଲେ । ବାତ୍ୟା ଆଶ୍ରୟସ୍ଥଳୀ ନଥିବା ପଦ୍ମପୁର ପଂଚାୟତରେ ସରକାର ଏକ ବାତ୍ୟା ଆଶ୍ରସ୍ଥଳୀ ନିର୍ମାଣ କରିବା ପାଇଁ ପଦ୍ମପୁର ସରପଂଚ ସ୍ୱର୍ଣ୍ଣଲତା ରାଉତ ବିଧାୟିକାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେଣ୍ଡାକୁଡ଼ା ପଂଚାୟତର ନରଡ଼ା ଠାରୁ ସରଟୋଲା ପର୍ଯ୍ୟନ୍ତ ୮ କି.ମି. ବ୍ୟାପି କେନାଲ ବନ୍ଧ ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରାଯିବା ପାଇଁ ଗରଦପୁର ବ୍ଲକର ଅଧ୍ୟକ୍ଷା ସ୍ୱର୍ଣ୍ଣପ୍ରଭା ସେଠୀ ବିଧାୟିକା ସାବିତ୍ରୀ ଅଗ୍ରୱାଲ୍ଙ୍କ ନିକଟରେ ଦାବି କରିଥିଲେ । ସେହିପରି ମହିଳା ଓ ଶିଶୁ କଲ୍ୟାଣ ଉପରେ ଗରଦପୁର ବି.ଡ଼ି.ଓ ଶ୍ରୀ ବେହେରା ଆଲୋଚନା କରି ୩ ମାସ ହେଲା ଗରଦପୁର ବ୍ଲକରେ କୌଣସି ମହିଳା ଓ ଶିଶୁ କଲ୍ୟାଣ ଅଧିକାରିଣୀ ନଥିବା ବେଳେ ଡ଼େରାବିସ୍ ବ୍ଲକର ସି.ଡ଼ି.ପି.ଓ ଗରଦପୁର ବ୍ଲକର ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦାୟିତ୍ୱରେ ଥିବା ସୁଚନା ଦେଇଥିଲେ । ଅଙ୍ଗନୱାଡ଼ି ଛାତ୍ରଛାତ୍ରୀମାନଙ୍କ ପାଇଁ ଗରଦପୁର ବ୍ଲକରେ ଏକ ଛତୁଆ ପ୍ରସ୍ତୁତି କାରଖାନା ରହିଥିବା ବେଳେ ପ୍ରତିମାସର ୧ ତାରିଖକୁ ଛତୁଆ ଦିବସ ଏବଂ ୨୩ ତାରିଖକୁ ଛତୁଆ ମିଶ୍ରଣ ଦିବସ ଭାବେ ପାଳନ କରାଯାଉଥିବା ସମ୍ପର୍କରେ ସଭ୍ୟମାନଙ୍କୁ ଅବଗତ କରାଇଥିଲେ । ଏହି ବୈଠକରେ ଜିଲ୍ଲାପରିଷଦ ସଦସ୍ୟ ସନ୍ତୋଷ ଜେନା, ଜିଲ୍ଲାପରିଷଦ ସଦସ୍ୟା ଅହଲ୍ୟା ଲେଙ୍କା, ସୁଜାତା ରାଉତରାୟ, ପାଖଡ଼ ସରପଂଚ ଗୌରାଙ୍ଗ ଚରଣ ପରିଡ଼ା, ପାଟକୁରା ସରପଂଚ ସୂର୍ଯ୍ୟମଣୀ ସେଠୀ, ପଳସୁଧା ସରପଂଚ ଅନୁଜ ମହାନ୍ତି, କଳାବୁଦା ସରପଂଚ ପ୍ରକାଶ ଚନ୍ଦ୍ର ସାହୁ, ରାମଚନ୍ଦ୍ରପୁର ସରପଂଚ ରୋଜାଲିନ୍ ସେଠୀ, ମଧୁଶାସନ ସରପଂଚ ଅରୁଣ ନାୟକ, ନଡ଼ିଆବରାଇ ସରପଂଚ ଦିପିକା ପ୍ରିୟଦର୍ଶିନୀ ଓ ସମିତି ସଭ୍ୟ ନୃସିଂହ ଦାସ ପ୍ରମୁଖ ସଭ୍ୟ ସଭ୍ୟାମାନେ ଆଲୋଚନାରେ ଭାଗ ନେଇଥିଲେ । ଗରଦପୁର ବ୍ଲକର ସହକାରୀ ଯନ୍ତ୍ରୀ ସୁଧିର କୁମାର ବେହେରା, ସାମାଜିକ କଲ୍ୟାଣ ଅଧିକାରୀ ଖଗେଶ୍ୱର ସେଠୀ, ଗ୍ରାମ୍ୟଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଶୁଶାନ୍ତ କୁମାର ସନ୍ଧିବିଗ୍ରହ, ଯୋଗାଣ ନିରିକ୍ଷଣ ପ୍ରଦିପ କୁମାର ଭଟ୍ଟ, କାର୍ଯ୍ୟନିର୍ବାହୀ ଚୈତନ୍ୟ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ବ୍ଲକର ଉପାଧ୍ୟକ୍ଷ ସମିର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

“ଯୁବଶକ୍ତି”  ପକ୍ଷରୁ ମାକ୍ସ ଓ ସାନିଟାଇଜର ବଣ୍ଟନ

ପରଜଙ୍ଗ, ୨୨/୧୦/୨୦୨୧(ଓଡ଼ିଶା ସମାଚାର)- ଆଜି “ଯୁବଶକ୍ତି” ସ୍ବେଚ୍ଛାସେବୀ ସଙ୍ଗଠନ ଢେଙ୍କାନାଳ ପକ୍ଷରୁ ଜୟପରା କାଟେଣି ଗ୍ରାମ ପଞ୍ଚାୟତ ମୁଣ୍ଡା ସାହି …

Leave a Reply

Your email address will not be published. Required fields are marked *