ଭୁବନେଶ୍ୱର,୦୫/୦୯/୨୦୧୯(ଓଡ଼ିଶା ସମାଚାର)- ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ବିମଳ ପ୍ରସାଦ ଦାସ ରାଜ୍ୟ ମାନବାଧିକାର କମିଶନ (ଓଏଚଆରସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇବା ପରେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି ।ଦାୟିତ୍ୱ ନେବା ପରେ ଜଷ୍ଟିସ ବି ପି ଦାସ କହିଛନ୍ତି, ରାଜ୍ୟରେ ଦୀର୍ଘ ଦିନ ଧରି ପଡ଼ି ରହିଥିବା ମାମଲାର ଶୀଘ୍ର ଶୁଣାଣି କୁ ଗୁରୁତ୍ୱ ଦିଆଯିବ ଓ ସ୍ୱଚ୍ଛତାକୁ ପ୍ରାଧାନ୍ୟ ଦିଆଯିବ ।ମାନବାଧିକାର ଉଲଂଘନ ହେଲେ କାହାକୁ ଛଡ଼ାଯିବ ନାହିଁ । ବୈଷୟିକ ଜ୍ଞାନକୌଶଳ ବ୍ୟବହାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି ।ସୂଚନାଯୋଗ୍ୟ ଯେଗତ ଅଗଷ୍ଟ ୨୨ ତାରିଖରେ ରାଜ୍ୟସରକାର ଜଷ୍ଟିସ୍ ବିପି ଦାସଙ୍କୁ ଓଏଚଆରସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ । ୨୦୧୨ ନଭେମ୍ବର ମାସରୁ ଏହି ପଦବୀ ଖାଲି ରହିଥିଲା । ଜଷ୍ଟିସ୍ ରଘୁବୀର ଦାସ ଏହାର କାମଚଳା ଅଧ୍ୟକ୍ଷ ଭାବେ କାର୍ଯ୍ୟ ନିର୍ବାହ କରୁଥିଲେ । ୧୯୫୦ ନଭେମ୍ବର ୧୫ରେ କଟକରେ ଜନ୍ମିତ ଜଷ୍ଟିସ୍ ବିପି ଦାସ୧୯୭୪ରେ ଓଡିଶା ହାଇକୋର୍ଟ ବାରରେ ଯୋଗ ଦେଇଥିଲେ । ୧୯୯୬ରୁ୧୯୯୭ ପର୍ଯ୍ୟନ୍ତ ସେ ଓଡିଶା ବାର୍କାଉନସିଲର ସଦସ୍ୟ ଥିଲେ । ଓଡ଼ିଶା ସମାଚାର