Friday , September 29 2023
Breaking News
Home / ବିଶେଷ / ଅପରେସନ୍ ପରୀ ୩ : ରାଜ୍ୟ ବାହାରୁ ଉଦ୍ଧାର ହେଲେ ୮୨ ଜଣ ଶିଶୁ

ଅପରେସନ୍ ପରୀ ୩ : ରାଜ୍ୟ ବାହାରୁ ଉଦ୍ଧାର ହେଲେ ୮୨ ଜଣ ଶିଶୁ

ଭୁବନେଶ୍ୱର,୦୫/୦୯/୨୦୧୯(ଓଡ଼ିଶା ସମାଚାର)- ନିଖୋଜ ଶିଶୁମାନଙ୍କୁ ଠାବ କରିବାପାଇଁ ଆୟୋଜିତ ସ୍ୱତନ୍ତ୍ର ଅଭିଯାନ ଅପରେସନ ପରୀ-୩ ର ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟ ବାହାରକୁ ଗସ୍ତ କରିଥିବା ୮ଟି ଟିମ୍ ମୋଟ ୮୨ ଜଣ ଶିଶୁଙ୍କୁ ଉଦ୍ଧାର କରି ଫେରିଛନ୍ତି । ଉକ୍ତ ଶିଶୁଙ୍କ ମଧ୍ୟରେ ୨୧ ଜଣ ବାଳିକା ହୋଇଥିବା ବେଳେ ୬୧ ଜଣ ବଙ୍କଳ ଅଛନ୍ତି । ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ସୂଚନା ମୁତାବକ ଆନ୍ଧ୍ରପ୍ରଦେଶରୁ ୨୦ ଜଣ,ତାମିଲନାଡ଼ୁରୁ ୧୫ ଜଣ,ତେଲେଙ୍ଗାନାରୁ ୪ ଜଣ, ମହାରାଷ୍ଟ୍ରରୁ୫ ଜଣ, ପଶ୍ଚିମବଙ୍ଗରୁ ୧୭ ଜଣ,ଛତିଶଗଡ଼ରୁ ୮ ଜଣ, ଝାଡ଼ଖଣ୍ଡରୁ୯ ଜଣ ଏବଂ ନୂଆଦିଲ୍ଲୀରୁ ୪ ଜଣ ଶିଶୁଙ୍କୁ ଉଦ୍ଧାର କରି ଫେରାଇ ଅଣାଯାଇଛି । ବିଭିନ୍ନ କାରଣରୁ ରାଜ୍ୟ ବାହାରକୁ ଚାଲିଯାଇଥିବା ଏହି ଶିଶୁମାନଙ୍କୁ ଉପରୋକ୍ତ ରାଜ୍ୟର ଶିଶୁଯତ୍ନ ଅନୁଷ୍ଠାନ, ରେଳ ଷ୍ଟେସନ,ଆଶ୍ରୟଗୃହ ଓ ବସଷ୍ଟାଣ୍ଡ ଆଦିରୁ ଉଦ୍ଧାର କରାଯଇଥିଲା । ନିୟମାନୁଯାୟୀ ଉକ୍ତ ଶିଶୁମାନଙ୍କୁ ଭୁବନେଶ୍ୱରର ଅତିରିକ୍ତ ଶିଶୁ ମଙ୍ଗଳ କମିଟି ନିକଟରେ ଉପସ୍ଥାପନ କରାଯାଇ ସାମୟିକ ଭାବରେ ଭୁବନେଶ୍ୱର ଓ କଟକ ସହରରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନ ଗୁଡ଼ିକରେ ରହିବାର ବନ୍ଦୋବସ୍ତ ହୋଇଛି । ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ସଂଯୋଜନାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ଗୁଡ଼ିକୁ ଯୋଗାଯୋଗ କରି ଉଦ୍ଧାର ଶିଶୁମାନଙ୍କୁ ସେମାନଙ୍କର ପରିବାର ସହିତ ପୁନର୍ମିଳନ ପାଇଁ ବ୍ୟବସ୍ଥା କରଯାଉଛି । ଆବଶ୍ୟକସ୍ଥଳେ ଅଭିଭାବକ ନଥିବା ଶିଶୁଙ୍କୁ ବିଭାଗ ତରଫରୁ ଆନୁଷ୍ଠାନିକ ଯତ୍ନସହାୟତା ଯୋଗାଇ ଦିଆଯିବ । ଏଠାରେ ସୂଚନାଯୋଗ୍ୟ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ରାଜ୍ୟ ପୋଲିସ ଏବଂ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ମିଳିତ ସହଯୋଗରେ ପ୍ରତି ରାଜ୍ୟକୁ ଯାଉଥିବା ପ୍ରତି ଟିମରେ ଜଣେ ଲେଖାଏଁ ଅଧିକାରୀଙ୍କୁ ନିୟୋଜିତ କରିବା ସହିତ, ଯାତାୟତ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ପ୍ରତି ଟିମକୁ ଏକ ଲକ୍ଷ ପଚାଶ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ମହିଳା ଓ ଶିଶୁ ବିକାଶଏବଂ ମିଶନ ଶକ୍ତି ବିଭାଗର ପ୍ରମୁଖଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଉକ୍ତ ଅଭିଯାନର ସଫଳତା ପାଇଁ ସମସ୍ତ ସହଭାଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *