ଗରଦପୁର ,୦୪/୦୯/୨୦୧୯(ଓଡ଼ିଶା ସମାଚାର)- ଗରଦପୁର ତହସିଲ ଅଂଚଳରେ ‘ଫନି’ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପରିବାର ଗୁଡିକୁ ପ୍ରଶାସନଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯିବା ପାଇଁ ତାଲିକା ପ୍ରକାଶ ପାଇଛି । ପ୍ରଶାସନଙ୍କ ପକ୍ଷରୁ ପ୍ରକାଶିତ ତାଲିକାରେ ଅନେକ କ୍ଷତିଗ୍ରସ୍ତ ଦରିଦ୍ର ପରିବାର ଗୁଡିକର ନାମ ନଥିବାବେଳେ,ଅଧିକାଂଶ ଅଯୋଗ୍ୟ ହିତାଧିକାରୀ ମାନଙ୍କର ନାମ ଏହି ପ୍ରକାଶିତ ତାଲିକାରେ ସ୍ଥାନ ପାଇଥିବା ସମ୍ପର୍କରେ ଆଜି ପଦ୍ମପୁର ପଂଚାୟତର କ୍ଷତିଗ୍ରସ୍ତ ପରିବାରମାନଙ୍କ ପକ୍ଷରୁ କେନ୍ଦ୍ରାପଡା ଜିଲାପାଳଙ୍କୁ ଭେଟି ଏ ସମ୍ପର୍କରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ପ୍ରକାଶ ଯେ, ଗରଦପୁର ତହସିଲ ଅନ୍ତର୍ଗତ ପଦ୍ମପୁର ପଂଚାୟତରେ ‘ଫନି’ ବାତ୍ୟାରେ କ୍ଷତିଗ୍ରସ୍ତ ପରିବାରମାନଙ୍କୁ ସହାୟତା ପ୍ରଦାନ ପାଇଁ ପ୍ରକାଶିତ ତାଲିକାରେ ଅନେକ ଯୋଗ୍ୟ ହିତାଧିକାରୀ ମାନଙ୍କର ନାମ ନ ଥିବାବେଳେ, ବହୁ ଅଯୋଗ୍ୟ ହିତାଧିକାରୀ ମାନଙ୍କର ନାମ ପ୍ରକାଶିତ ହୋଇ ଥିବାରୁ ଆଜି ପଦ୍ମପୁର ପଂଚାୟତର ପୂର୍ବତନ ସମିତି ସଭ୍ୟ ନୃସିଂହ ଚରଣ ସାମଲ, ରୋହିତ ସାମନ୍ତରାୟ,ରାଜେଶ କୁମାର ରାଉତ,ହେମନ୍ତ କୁମାର ରାଉତ ଓ ସଂଗା୍ରମ ସାମଲ ପ୍ରମୁଖ କେନ୍ଦ୍ରାପଡା ଜିଲାପାଳ ସମର୍ଥ ବର୍ମାଙ୍କୁ ତାଙ୍କ ସରକାରୀ କାର୍ଯ୍ୟାଳୟ ଠାରେ ଭେଟି ଏ ସମ୍ପର୍କରେ ଆଲୋଚନା କରିବା ସହିତ ୩ ପୃଷ୍ଠା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଜିଲାପାଳ ଶ୍ରୀ ବର୍ମା ଏହି ଘଟଣାକୁ ତଦନ୍ତ କରିବା ସହିତ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଥିବା ସମ୍ପର୍କରେ ପୂର୍ବତନ ସମିତି ସଭ୍ୟ ଶ୍ରୀ ସାମଲ ପ୍ରକାଶ କରିଛନ୍ତି । କ୍ଷତିଗ୍ରସ୍ତମାନଙ୍କ ତାଲିକା ପ୍ରକାଶିତ କରାଯିବା ପରେ ଏଥିରେ ପଦ୍ମପୁର ପଂଚାୟତରେ ବ୍ୟାପକ ଭାବରେ ଅନିୟମିତତା ହୋଇଥିବା ସମ୍ପର୍କରେ ଗରଦପୁର ତହସିଲଦାରଙ୍କୁ ମଧ୍ୟ ଗତ ମାସ ୨୨ ତାରିଖରେ ପଦ୍ମପୁର ପଂଚାୟତର କ୍ଷତିଗ୍ରସ୍ତ ପରିବାରମାନଙ୍କ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇ ଥିଲା । ମାତ୍ର ଦାବି ପତ୍ରକୁ ଗରଦପୁର ତହସିଲଦାର ଆଜି ପର୍ଯ୍ୟନ୍ତ ତଦନ୍ତ କରି ନ ଥିବାର ଜଣାଯାଇଛି । ଏ ସମ୍ପର୍କରେ ଗରଦପୁର ତହସିଲଦାର ଉମାକାନ୍ତ ବିଶ୍ୱାଳଙ୍କୁ ପଚାରିବାରେ ସେ କହନ୍ତି ଯେ, ‘ଫନି’ କ୍ଷତିଗ୍ରସ୍ତ ହୋଇଥିବା ପରିବାରମାନଙ୍କୁ ସହାୟତା ପାଇଁ ପ୍ରଶାସନଙ୍କ ପକ୍ଷରୁ ଗରଦପୁର ତହସିଲ ଅଂଚଳର ମୋଟ ୭୪ ଗୋଟି ଗ୍ରାମର କ୍ଷତିଗ୍ରସ୍ତ ହୋଇଥିବା ପରିବାର ଗୁଡିକର ନାମ ତାଲିକା ପ୍ରକାଶ ପାଇଛି । ତାଲିକାରେ ପ୍ରକାଶିତ ହୋଇଥିବା କ୍ଷତିଗ୍ରସ୍ତ ପରିବାରର ନାମ ଓ ବ୍ୟାଙ୍କ ଆକାଉଂଟ ନମ୍ବର ଆଦି ଆବଶ୍ୟକ କାଗଜପତ୍ର ପ୍ରସ୍ତୁତି କରାଇବା ପାଇଁ ସମ୍ପୃକ୍ତ ରାଜସ୍ୱ ନିରିକ୍ଷକମାନଙ୍କୁ ଦାଇତ୍ୱ ଦିଆଯାଇଛ ବୋଲି ତହସିଲଦାର ଶ୍ରୀ ବିଶ୍ୱାଳ ପ୍ରକାଶ କରିବା ସହିତ ପଦ୍ମପୁର ପଂଚାୟତର କେତେକ କ୍ଷତିଗ୍ରସ୍ତ ହୋଇଥିବା ପରିବାର ମାନଙ୍କ ପକ୍ଷରୁ ଦିଆଯାଇଥିବା ଅଭିଯୋଗର ତଦନ୍ତ କରାଯିବ ଓ ଏ ସମ୍ପର୍କରେ ତଦନ୍ତ ରିପୋର୍ଟ ଜିଲା ପ୍ରଶାସନଙ୍କୁ ପ୍ରଦାନ କରାଯିବ ବୋଲି ତହସିଲଦାର ଶ୍ରୀ ବିଶ୍ୱାଳ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର