ଭୁବନେଶ୍ୱର,୦୩/୦୯/୨୦୧୯(ଓଡ଼ିଶା ସମାଚାର)-ସାଧାରଣ ନିର୍ବାଚନରେ ଶୋଚନୀୟ ଭାବେ ପରାଜୟ ବରଣ କରିଥିବା କଂଗ୍ରେସ ରାଜ୍ୟରେ ଦଳର ସାଂଗଠନିକ ସ୍ଥିତିକୁ ମଜବୁତକରିବା ପାଇଁ ଏବେ ଅନ୍ଟା ଭିଡ଼ିଛି । ବିଜେପି ଓ ବିଜେଡିର ସଦସ୍ୟ ଗ୍ରହଣଅଭିଯାନ ପରେ ଏବେ କଂଗ୍ରେସ ଦଳର ପାଳି । କଂଗ୍ରେସ ଆସନ୍ତା ୬ରୁ ସଦସ୍ୟଗ୍ରହଣ ଅଭିଯାନ ଆରମ୍ଭ କରିବା ନେଇ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶକୁମାର ରାଉତରାୟ ସୂଚନା ଦେଇଛନ୍ତି । ନିକଟରେ ହୋଇଥିବା ସାଧାରଣ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ଭଲ ପ୍ରଦର୍ଶନ କରି ପାରି ନଥିଲା । ଲୋକସଭାରେ ଗୋଟିଏ ଓ ବିଧାନସଭାରେ ୯ଟି ଆସନରେ ବିଜୟୀ ହୋଇଥିଲା । ତେଣୁ ବର୍ତମାନ ଓଡ଼ିଶାରେ ନିଜ ଦଳର ସାଙ୍ଗଠନିକ ସ୍ଥିତିକୁ ସୁଦୃଢ କରିବାକୁ ସଦସ୍ୟତା ଗ୍ରହଣ ଅଭିଯାନ ଆରମ୍ଭ କରିବାକୁ ଯାଉଛି । କଂଗ୍ରେସର ଏହି ସଦସ୍ୟ ଗ୍ରହଣଅଭିଯାନ ଆସନ୍ତା ୬ରୁ ଆରମ୍ଭ ହେବ । ରାଜ୍ୟରୁ ୫୦ରୁ ୬୦ଲକ୍ଷ ସଭ୍ୟ ସଂଗ୍ରହ କରିବାକୁ ଦଳ ଲକ୍ଷ୍ୟ ରଖିଛି ବୋଲି ଶ୍ରୀ ରାଉତରାୟ କହିଛନ୍ତି । ବିଜେଡିର ସଦସ୍ୟ ଗ୍ରହଣ କାର୍ଯ୍ୟକ୍ରମରେ ଆଧାର ଲିଙ୍କ କରିବା ନାଁରେ ଭୋଟରଙ୍କୁ ଆକୃଷ୍ଟ କରାଯାଉଛି ବୋଲି କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ଶ୍ରୀ ରାଉତରାୟ । ଏହା ସହ ଲୋକଙ୍କୁ ଭଣ୍ଡେଇ ବିଜେଡି ଓଡ଼ିଶାକୁ ଲୁଟ କରିବାକୁଉଦ୍ୟମ କରୁଛି ବୋଲି ସେ କହିଛନ୍ତି । ଓଡ଼ିଶା ସମାଚାର
