ଭୁବନେଶ୍ୱର,୦୨/୦୯/୨୦୧୯(ଓଡ଼ିଶା ସମାଚାର)- ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଷଷ୍ଠ ସପ୍ତାହରେ ପଦାର୍ପଣ କରିଛି । ଏହି କାର୍ଯ୍ୟକ୍ରମରେ ପ୍ରଥମେ ଭୁବନେଶ୍ୱରସ୍ଥିତ ଏଜି ଛକ ନିକଟରେ ଥିବା ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ଶହୀଦ୍ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତି ସଫେଇ, ତତ୍ପରେ ଭାରତର ସମ୍ବିଧାନ ପ୍ରଣେତା ଡ. ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତି ଓ ବାମଣ୍ଡା ମହାରାଜା ବାସୁଦେବ ସୁଢଳଦେବଙ୍କ ପ୍ରତିମୂର୍ତି ସଫେଇ ସହ ଚତୁଃପାଶ୍ୱର୍ରେ ଥିବା ଅନାବନା ଘାସଲଟା ଇତ୍ୟାଦିକୁ ବ୍ୟାପକ ଭାବେ ସଫେଇ କରାଯିବା ସହିତ ବରପୁତ୍ରମାନଙ୍କ ପ୍ରତିମୂର୍ତି ପାଶ୍ୱର୍ରେ ମଦ ବୋତଲମାନ ପଡ଼ିଥିବାର ଲକ୍ଷ୍ୟ କରାଯାଇଥିଲା । ସବୁଠାରୁ ଦୁଃଖ ଓ କ୍ଷୋଭର ବିଷୟ ଏହି କି ଯେ, ଆମ ସମ୍ବିଧାନ ପ୍ରଣେତା ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତିସ୍ଥଳ ସମ୍ପୂର୍ଣ୍ଣ ରୂପେ ଭଗ୍ନ ଅବସ୍ଥାରେ ରହିଛି ଓ ବାମଣ୍ଡା ମହାରାଜା ତଥା ଓଡ଼ିଆ ଭାଷାପ୍ରାଣ ସାର୍ ବାସୁଦେବ ସୁଢଳଦେବଙ୍କ ଓଡ଼ିଆଙ୍କ ପ୍ରତିମୂର୍ତି ମଧ୍ୟ ଭଗ୍ନ ଅବସ୍ଥାରେ ଦେଖିବାକୁ ମିଳିଥିଲା । ଲକ୍ଷ୍ୟ କରାଯାଇଥିଲା ସୁଢଳ ଦେବଙ୍କ ନାମ ପ୍ରାୟ ଦିଶୁନଥିବାବେଳେ ଯେଉଁମାନେ ତାଙ୍କୁ ଉଦଘାଟନ କରିଥିଲେ ତାଙ୍କର ନାମଫଳକ ବଡ଼ ବଡ଼ ଅକ୍ଷରରେ ଦେଖିବାକୁ ମିଳିଥିଲା । ଏହା ସମସ୍ତ ସ୍ୱାଭିମାନୀ ଓଡ଼ିଆ ଓ ପୂଜ୍ୟପୂଜା ସଂସ୍କୃତି ଅଭିଯାନର ସଦସ୍ୟଙ୍କ ମନରେ ଗଭୀର ଆଘାତ ସୃଷ୍ଟି କରିଛି । ଏହି ଅଭିଯାନରେ ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ଶତପଥୀ କହିଛନ୍ତି ଯେ, ସରକାର ତୁରନ୍ତ ଏଦିଗରେ ହସ୍ତକ୍ଷେପ କରନ୍ତୁ ଓ ବରପୁତ୍ରମାନଙ୍କ ଭଗ୍ନ ପ୍ରତିମୂର୍ତିକୁ ଯଥାଶୀଘ୍ର ମରାମତି କରାନ୍ତୁ । ସମସ୍ତ ବରପୁତ୍ରମାନଙ୍କ ସ୍ମୃତିଚାରଣ କରାଯାଇଥିଲା । ଏହି ଅଭିଯାନରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନରେ ଲକ୍ଷ୍ମଣ ଦାସ, ସଂଯୋଜକ କିଷନ ବରାଇ, ଅରବିନ୍ଦ ତ୍ରିପାଠୀ, ନାରାୟଣ ଓଝା, ସବୁଠାରୁ ଭଲ କଥା ହେଉଛି ସୁଦୂର ଦକ୍ଷିଣ କୋରିଆରୁ ଆସି ଏହି ଅଭିଯାନରେ ସାମିଲ ହୋଇଥିବା ଓଡ଼ିଆ ଯୁବଭାଷାପ୍ରାଣ ତଥା ଗବେଷକ ସଂଘର୍ଷ ଶତପଥୀ ଏହି ଅଭିଯାନରେ ସାମିଲ୍ ହେବା ସହିତ ସୀତାଂଶୁ ଶେଖର ମହାରଣା, ନାରାୟଣ ଖୁଂଟିଆ, ମଦନମୋହନ ପାଢ଼ୀ, ବିଜୟ ପରିଡ଼ା, ବ୍ରଜବନ୍ଧୁ ପରିଡ଼ା, ମନୋରଞ୍ଜନ ବାରିକ, ଆଦିତ୍ୟ ସାମଲ, ସମିତା ମହାରଣା, ନିରଞ୍ଜନ ସାହୁ ପ୍ରମୁଖ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର