କେନ୍ଦ୍ରାପଡା ୦୨/୦୯/୨୦୧୯(ଓଡ଼ିଶା ସମାଚାର)-ଟ୍ୟୁସନ ସାରି ସାଇକେଲରେ ଘରକୁ ଫେରୁଥିବା ସମୟରେ ରାସ୍ତାରେଏକଗଛ ପଡିବାରୁ ଶିଶୀର ବଳଙ୍କ ଝିଅ ନବମ ଶ୍ରେଣୀ ଛାତ୍ରୀ ଶଜଲଙ୍କୁ ଗୁରୁତର ଅବସ୍ଥାରେ କଟକର ଏକ ବେସରକାରୀ ଡାକ୍ତରଖାନାରେ ଭର୍ତିକରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ରବିବାର ଶଜଲର ଶବକୁ କେନ୍ଦ୍ରାପଡାକୁ ଅଣାଯିବା ପରେ କେନ୍ଦ୍ରାପଡା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ସମ୍ମୁଖସ୍ତ ତିନିମୁହାଣି – ଅଙ୍ଗୁଳାଇ ରାସ୍ତାକୁ ଅବରୋଧ କରାଯାଇଥିଲା । ଖବର ପାଇ ଟାଉନ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ଘଟଣାସ୍ଥଳରେ ପହଁଚି ରାସ୍ତା ଅବରୋଧକାରୀଙ୍କୁ ବୁଝାଇ ଶୁଝାଇ ଅର୍ବାନ ବ୍ୟାଙ୍କ କର୍ତୃପକ୍ଷଙ୍କ ସହିତ ଆଲୋଚନା କରିବାକୁ ଏକମତ କରାଇଲେ । ଏହାପରେ ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ଘଟଣା ସ୍ଥଳରେ ପହଁଚିବା ପରେ ଅର୍ବାନବ୍ୟାଙ୍କ ମୁଖ୍ୟଶାଖା ପରିସରରେ ଏକ ଆଲୋଚନା ବୈଠକରେ ରାସ୍ତା ଅବରୋଧକାରୀଙ୍କ ପକ୍ଷରୁ ମୃତ ଝିଅର ଦାଦା,ସ୍ଥାନୀୟ ଲୋକ ମହେନ୍ଦ୍ର କୁମାର ମିଶ୍ର ଉପସ୍ଥିତ ଥିବା ବେଳେ ଟାଉନଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ, ଅର୍ବାନବ୍ୟାଙ୍କ ମୁଖ୍ୟ ନିର୍ବାହୀ ଅଧିକାରୀ ସୁଶିଲ କୁମାର ସାମଲ,ପୂର୍ବତନ ବ୍ୟାଙ୍କ ସିଇଓ ମନ୍ମଥନାଥ ରାଉତ, ବ୍ୟାଙ୍କ ପରିଚାଳନା ମଣ୍ଡଳି ନିର୍ଦେଶକ ଫକିର ଚରଣ ଖଟୁଆ,ମହେନ୍ଦ୍ର କୁମାର ପରିଡା,ଶରତ କୁମାର ବେହୁରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ଆଲୋଚନାର ନିଷ୍ପତି କ୍ରମେ ଉପଜିଲ୍ଲାପାଳ ଶ୍ରୀ ମହାପାତ୍ର ରାସ୍ତା ଅବରୋଧ ସ୍ଥଳକୁ ଆସି କହିଥିଲେ ଯେ ମୃତ ଶଜଲର ବଡ ଭଉଣୀକୁ ଅର୍ବାନ ବ୍ୟାଙ୍କରେ ଚାକିରୀ ଦିଆଯିବ,ଶଜଲର ଶେଷକୃତ୍ୟ ସମ୍ପନ୍ନ ନିମନ୍ତେ ରେଡକ୍ରସରୁ ୧୦ହଜାର ଟଙ୍କା ପ୍ରଦାନ କରାଯିବ,ଅର୍ବାନ ବ୍ୟାଙ୍କ ପକ୍ଷରୁ ଶଜଲର ଚିକିତ୍ସା ଖର୍ଚ୍ଚ ବାବଦକୁ ଏକଲକ୍ଷ ଟଙ୍କା ଓ ବ୍ୟାଙ୍କ କର୍ମଚାରୀମାନଙ୍କ ଠାରୁ ସଂଗୃହିତ କରାଯାଇ ଆହୁରି ୫୦ହଜାରରୁ ଉଦ୍ଧ୍ୱର୍ ଟଙ୍କା ତାର ପରିବାରକୁ ପ୍ରଦାନ କରାଯିବ । ଏହାପରେ ରାସ୍ତାରୋକ ହଟିଥିଲା । ଘଟଣାରୁ ପ୍ରକାଶ ଯେ ଶିଶୀର ବଳଙ୍କ ଝିଅ ଶଜଲ ସ୍ଥାନୀୟ ଭାରତୀ ବିଦ୍ୟା ମନ୍ଦିରର ନବମ ଶ୍ରେଣୀର ଛାତ୍ରୀ ରବିବାର ସକାଳ ପ୍ରାୟ ସାଢେ୯ଟା ସମୟରେ ଟ୍ୟୁସନରୁ ସାଇକେଲରେ ଅର୍ବାନ ବ୍ୟାଙ୍କ ପଛପଟ ରାସ୍ତାରେ ଘରକୁ ଫେରୁଥିବା ସମୟରେ କେନ୍ଦ୍ରାପଡା ଅର୍ବାନ କୋଅପରେଟିଭ ବ୍ୟାଙ୍କ ମୁଖ୍ୟ ଶାଖା ପରିସରରେ ରାସ୍ତା କଡକୁ ଥିବା ଏକ ଝାଉଁ ଗଛ କଟାଯାଉଥିବା ବେଳେ ସେହି ଗଛର ଏକ ଡାଳ ହଠାତ ତାଙ୍କ ଉପରେ ଛିଡି ପଡିବାରୁ ସେ ସାଇକେଲରୁ ରାସ୍ତା ଉପରକୁ ପଡିଯାଇଥିଲେ । ତାଙ୍କୁ ଗୁରୁତ୍ତର ଅବସ୍ଥାରେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ରବିବାର ରାତିରେ ଶଜଲଙ୍କର କଟକସ୍ଥିତ ଏକ ବେସରକାରୀ ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର