Wednesday , October 27 2021
Breaking News
Home / ବିଶେଷ /   ଭାରୀଯାନକୁ ଅଙ୍କୁଶ ନାହିଁ,ନଷ୍ଟ ହେଉଛି ଗ୍ରାମାଂଚଳ ରାସ୍ତା  

  ଭାରୀଯାନକୁ ଅଙ୍କୁଶ ନାହିଁ,ନଷ୍ଟ ହେଉଛି ଗ୍ରାମାଂଚଳ ରାସ୍ତା  

ଗରଦପୁର, ୦୧/୦୯/୨୦୧୯(ଓଡ଼ିଶା ସମାଚାର)- ଗ୍ରାମାଂଚଳ ରାସ୍ତାଗୁଡିକରେ ଭାରିଯାନ ଚଳାଚଳକୁ ନିଷେଧ କରିବା ଲାଗି ପ୍ରଶାସନ ପକ୍ଷରୁ ନିଷେଧାଦେଶ ଜାରି କରାଯାଇଥିଲେ ମଧ୍ୟ ପାଟକୁରା ଅଂଚଳରେ ଥିବା ବିଭିନ୍ନ ଗ୍ରାମାଂଚଳ ରାସ୍ତାଗୁଡିକରେ ଭାରିଯାନ ଚଳାଚଳ କରୁଥିବାରୁ ଦେଖିବାକୁ ମିଳିଛି । ଫଳରେ ଗ୍ରାମାଂଚଳରେ ଥିବା କେତେକ ପ୍ରମୁଖ ରାସ୍ତାଗୁଡିକ ନଷ୍ଟ ହେବାକୁ ଲାଗିଲାଣି । ଗ୍ରାମାଂଚଳ ରାସ୍ତା ଗୁଡିକରେ ହାଲୁକା ଯାନ ଭଳି କେତେକ ଯାନବାହାନ ଯାତାୟତ କରିବା ଲାଗି ରାସ୍ତା ନିର୍ମାଣ କରାଯାଇଛି । ମାତ୍ର ଏହି ରାସ୍ତାଗୁଡିକରେ ଭାରିଯାନଗୁଡିକ କ୍ରମାଗତ ଭାବରେ ଯାତାୟତ କରୁଥିବାରୁ ରାସ୍ତାଗୁଡିକ ନଷ୍ଠ ହେବାରେ ଲାଗିଛି । ଫଳରେ ହାଲୁକା ଯାନ ଆରୋହୀ,ବାଇକ୍ ଆରୋହୀ ଓ ପଥାଚାରୀ ମାନେ ନାନା ରାସ୍ତାରେ ଯାତାୟତ କରିବା ବେଳେ ଅସୁବିଧାରେ ପଡୁଥିବାର ଦେଖାଯାଉଛି । ଏ ନେଇ ସ୍ଥାନିୟ ପ୍ରଶାସନ କୌଣସି ପଦକ୍ଷେପ ନେଉ ନ ଥିବାରୁ ଭାରିଯାନ ଗୁଡିକ ଅଧିକ ମାତ୍ରାରେ ଗ୍ରାମାଂଚଳର ରାସ୍ତାଗୁଡିକରେ ଯାତାୟତ କରୁଥିବାର ଦେଖାଯାଉଛି । ଗ୍ରାମାଂଚଳରେ ଭାରିଯାନ ଯାତାୟତ କରିବା ଫଳରେ ରାସ୍ତାର ଅନେକ ସ୍ଥାନରେ ପିଚୁ ଉଠି ଯାଇ ବଡ ବଡ ଗାଡ଼ମାନ ସୃଷ୍ଟି ହୋଇଛି । ଏହି ସବୁ ଗାଡ଼ମାନଙ୍କରେ ବର୍ଷା ପାଣି ରହିବା ଫଳରେ ପଥାଚାରୀମାନଙ୍କର ଯାତାୟତରେ ଅସୁବିଧାମାନ ସୃଷ୍ଟି ହେଉଛି । ଅଧିକନ୍ତୁ ଏହି ଗାଡ଼ ମଧ୍ୟ ଦେଇ ରାସ୍ତାରେ ଭାରିଯାନ ଚଳାଚଳ କରୁଥିବାରୁ ସେହି ସବୁ ଗାଡ଼ଗୁଡିକ ଅଧିକ ପରିମାଣରେ ବଡ ହୋଇଯାଉଛି । ରାସ୍ତାରେ ସୃଷ୍ଟି ହୋଇଥିବା ଖାଲ ଖମାରେ ବାଇକ୍ ଆରୋହୀମାନେ ପଡିଯାଇ ଖଣ୍ଡିଆ ଖାବରା ହେଉଥିବାର ମଧ୍ୟ ନଜିର ରହିଛି । କେତେକ ଢଳେଇ ରାସ୍ତାରେ ସିମେଂଟଣ୍ଟ କଂକ୍ରିଟ୍ ଗୁଡିକ ଭାଙ୍ଗି ରୁଜି ଯାଇଥିବାର ଦେଖିବାକୁ ମିଳିଛି । ବିଭାଗୀୟ କର୍ତୃପକ୍ଷ ରାସ୍ତାର ମରାମତି କାର୍ଯ୍ୟ କରୁଥିଲେ ମଧ୍ୟ ଭାରିଯାନଗୁଡିକ ଯାତାୟତ କରିବା ପ୍ରତି କୌଣସି ପ୍ରତିକାର କରୁ ନାହାଁନ୍ତି  । ଯାହା ଫଳରେ ରାସ୍ତାଗୁଡିକ ମରାମତି କରାଯିବାର ଅଳ୍ପ ଦିନ ମଧ୍ୟରେ ପୁନର୍ବାର ନଷ୍ଟ ହୋଇଯାଉଛି । ଏହି ସବୁ ରାସ୍ତାରେ ସିମେଂଟଣ୍ଟ ବୋଝେଇ ଟ୍ରକ,ମାଲ ବୋଝେଇ ହାଇୱା ଗାଡି,ବାଲି ବୋଝେଇ ଟ୍ରକ୍,ଏବଂ ବିଭିନ୍ନ ସମୟରେ ମାଲ ପରିବହନ କରୁଥିବା ଅଧିକ ଓଜନ ବିଶିଷ୍ଟ ଗାଡିଗୁଡିକ ଯାତାୟତ କରିବା ଫଳରେ ରାସ୍ତାର ସ୍ଥାଇତ୍ୱ ରହୁ ନାହିଁ ।  ଏ ସମ୍ପର୍କରେ ପାଟକୁରା ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ କନିଷ୍ଠ ଯନ୍ତ୍ରୀ ଇଂ.ସୁଶାନ୍ତ କୁମାର ସନ୍ଦିବିଗ୍ରହ ପ୍ରକାଶ କରିଛନ୍ତିି ଯେ,ଅଂଚଳର ଗରଦପୁର-ନୂଆପଡା ୮କି.ମି.ରାସ୍ତା ଓ ଶୀତଳପାଟଣା-ଗରଦପୁର ରାସ୍ତାରେ ବହୁ ସମୟରେ ୩୫ରୁ ୪୫ ଟନ୍ ବିଶିଷ୍ଟ ମାଲ ବୋଝେଇ ଗାଡି ଯାତାୟତ କରିବା ଫଳରେ ରାସ୍ତାର ସ୍ଥାଇତ୍ୱ ରହୁ ନାହିଁ । ଏହି ରାସ୍ତା ଗୁଡିକ ସାଧାରଣତଃ ୨୦ରୁ ୨୫ ଟନ୍ ବିଶିଷ୍ଟ ମାଲ ବୋଝେଇ ଗାଡିଗୁଡିକ ଯାତାୟତ କରିବା କଥା ମାତ୍ର ଏତେ ଅଧିକ ପରିମାଣର ଓଜନ ବିଶିଷ୍ଟ ଗାଡି ଗୁଡିକ ଯାତାୟତ କରୁଥିବାରୁ ରାସ୍ତା ଖୁବ୍ କମ୍ ଦିନ ମଧ୍ୟରେ ନଷ୍ଟ ହୋଇଯାଉଛି । ତେବେ ଭାରିଯାନ ଯାତାୟତ କରୁଥିବା ରାସ୍ତାରେ କଟକଣା କରିବା ଲାଗି ପ୍ରଶାସନଙ୍କ ପକ୍ଷରୁ ପଦକ୍ଷେପ ନେବାକୁ ଅଂଚଳର ବୁଦ୍ଧିଜିବୀ ମହଲରୁ ଦାବି ହେଉଛି ।  ଓଡ଼ିଶା ସମାଚାର

About admin

Check Also

ଯୁବ ରେଡକ୍ରସର ସଙ୍କୁଳ ସ୍ତରୀୟ ଶିବିର ଉଦଘାଟିତ 

ବାଲିଗୁଡ଼ା,୨୬/୧୦/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ କନ୍ଧମାଳ ଜିଲ୍ଲାର ଦ୍ଵିତୀୟ ଯୁବ ରେଡକ୍ରସ୍ …

Leave a Reply

Your email address will not be published. Required fields are marked *