ମାଲକାନଗିରି,୦୧/୦୯/୨୦୧୯(ଓଡ଼ିଶା ସମାଚାର)-ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାରେ ନକ୍ସଲ ମାନେ ଗତକାଲି ବିଳମ୍ବିତ ରାତିରେ ବର୍ବରୋଚିତ କାଣ୍ଡ ଘଟାଇଛନ୍ତି । ସେମାନେ କୁମ୍ବାକୋଣ୍ଡା ଥାନା ଅନ୍ତର୍ଗତ ଛୋଟେଗୁଡ଼ରା ଗ୍ରାମର ନାଏବ ସରପଂଚ ଲଖମା ମଣ୍ଡାବିଙ୍କ ଗଳାକାଟି ଅତ୍ୟନ୍ତ ନୃସଂଶ ଭାବେ ହତ୍ୟା କରିଛନ୍ତି । ଗତକାଲି ରାତିରେ ୧୦ରୁ ୧୫ ଜଣ ସଶସ୍ତ୍ର ମାଓବାଦୀ ଆସି ନାଏବ ସରପଂଚଙ୍କୁ ଘରୁ ଡାକି ନେଇଥିଲେ । ପରେ ତାଙ୍କ ଗଳାକାଟି ହତ୍ୟା କରିଥିଲେ । ଆଜି ସକାଳେ ଗାଁ ମୁଣ୍ଡରେ ତାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ସେମାନେ ଏ ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛି । ଗାଁରେ ଉପ ନିର୍ବାଚନ ତାରିଖ ଘୋଷଣା ହେବା ପରେ ନକ୍ସଲ ମାନେ ଏଭଳି ବର୍ବରୋଚିତ କାଣ୍ଡ ଘଟାଇଛନ୍ତି । ନିର୍ବାଚନକୁ ଭଣ୍ଡୁର କରିବା ଲକ୍ଷ୍ୟ ନେଇ ସେମାନେ ଏହି ହିଂସାକାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି । ଓଡ଼ିଶା ସମାଚାର