Friday , September 22 2023
Breaking News
Home / ସ୍ୱାସ୍ଥ୍ୟ / ୧୦ ଜିଲ୍ଲାରେ ଇ-ଆଇସିୟୁ ବ୍ୟବସ୍ଥା

୧୦ ଜିଲ୍ଲାରେ ଇ-ଆଇସିୟୁ ବ୍ୟବସ୍ଥା

ଭୁବନେଶ୍ୱର ,୩୧/୦୮/୨୦୧୯(ଓଡ଼ିଶା ସମାଚାର)- ସ୍ୱାସ୍ଥ୍ୟସେବାର ଉନ୍ନତି ନିମନ୍ତେ ରାଜ୍ୟ ସରକାର ଇ-ଆଇସିୟୁ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଧାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦିନିକିଆ ଇ-ଆଇସିୟୁ କର୍ମଶାଳାରୁ ଏହି ସୂଚନା ମିଳିଛି । ଜିଲ୍ଲାସ୍ତରୀୟ ମୁଖ୍ୟ ଚିକିତ୍ସାଳୟରେ ପ୍ରତିଷ୍ଠିତ ଆଇସିୟୁ ଗୁଡିକୁ ଏହା ମାଧ୍ୟମରେ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ସହିତ ସଂଯୋଗ କରାଯାଇ ପାରିବ । ସି-ଡାକ ଓ ଡିସିଏଲ ସଫ୍ଟୱେର ଦ୍ୱାରା ଅନୁବନ୍ଧିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ୧୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଆଇସିୟୁକୁ ସଂଯୋଗ କରାଯିବ । ଏହି ଜିଲ୍ଲା ଗୁଡିକ ହେଉଛି କଳାହାଣ୍ଡି, ପୁରୀ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ବଲାଙ୍ଗିର, ନୂଆପଡା, ବାରିପଦା, ବାଲେଶ୍ୱର ଓ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ । ଏହି ଆଇସିୟୁ ଗୁଡିକୁ ଏସସିବି କଟକର ଟେଲିମେଡିସିନି କେନ୍ଦ୍ର ସହିତ ସଂଯୋଗ କରାଯିବ । ଫଳରେ ଏହି ଜିଲ୍ଲାସ୍ତରୀୟ ଆସିୟୁରେ ଚିକିତ୍ସିତ ଗୁରୁତର ରୋଗୀମାନଙ୍କର ଚିକିତ୍ସା ଓ ରେଫରାଲରେ ମଧ୍ୟ ସୁବିଧା ହେବ । ଅଧିକନ୍ତୁ ଏହି ଇ-ଆସିୟୁ ଯୋଜନା ଦ୍ୱାରା ରେଫରାଲ ବ୍ୟବସ୍ଥାରେ ମଧ୍ୟ ଉନ୍ନତି ଆସିବ ଏବଂ ରୋଗୀଙ୍କର ଚିକିତ୍ସା ସ୍ଥାନରେ ହିଁ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଲବ୍ଧ କରାଯାଇପାରିବ ।

ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ମାଧ୍ୟମରେ ଲୋକଙ୍କ ନିକଟତର ହେବାପାଇଁ ଆହ୍ୱାନ ଦେଇଥିବାବେଳେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ତଦନୁଯାୟୀ ଏହି କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଆଇସିୟୁରେ ଚିକିତ୍ସା ବ୍ୟବସ୍ଥା ନିମନ୍ତେ ରାଜ୍ୟରେ ପ୍ରଚଳିତ ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଡିୟର ଅନୁଯାୟୀ ଚିକିତ୍ସା ଯୋଗାଇଦେବା ନିମନ୍ତେ ନିଷ୍ପତି ହୋଇଛି । ବିଏସଏନଏଲ ଜିଲ୍ଲାସ୍ତରୀୟ ଚିକିତ୍ସାଳୟ ଆଇସିୟୁ ମାନଙ୍କରେ ଅପ୍ଟିକାଲ ଫାଇବର କେବୁଲ ତଥା ୧୦ଏମବିପିଏସ ବେଗରେ ଟେଲିସେବା ଯୋଗାଇଦେବାକୁ କୁହାଯାଇଛି । ଏହାଦ୍ୱାରା ଡାଟା ଟ୍ରାନ୍ସଫରରେ ନିରନ୍ତରତା ଓ ଗୁଣବତା ରହିପାରିବ । ଏହି କର୍ମଶାଳାରେ ପ୍ରସ୍ତାବିତ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀ, ମେଡିକାଲ କଲେଜର ଟେଲିମେଡିସିନି ବିଭାଗର ଅଧିକାରୀଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *