Friday , October 29 2021
Home / ବିଶେଷ / ପ୍ରଭୁ ନାମ କୃପା -ଶ୍ରୀ ଅଖଣ୍ଡ

ପ୍ରଭୁ ନାମ କୃପା -ଶ୍ରୀ ଅଖଣ୍ଡ

ଶ୍ରୀଜଗନ୍ନାଥ ଭଗବାନଙ୍କର କୃପା ଅକଳନୀୟ । ଏହି କୃପା ମିଳିଗଲେ ଆଉ କଣ ବା ଆବଶ୍ୟକ ଅଛି ସଂସାରରେ । ପ୍ରଭୁଙ୍କ କୃପା ସମସ୍ତଙ୍କୁ କିଛି ନା କିଛି ମାତ୍ରାରେ ମିଳୁଛି । କିଏ ତାକୁ ଅନୁଭବ କରୁଛି ଓ ଆଉ କିଏ ତାକୁ ଅନୁଭବ କରିପାରୁନାହିଁ । କାରଣ ମହାପ୍ରଭୁଙ୍କ କୃପା ବିନା ଏହି ସଂସାରରେ ତିଷ୍ଠିବା ଅସମ୍ଭବ । ପ୍ରଥମେ ତାଙ୍କରି କୃପାରୁ ଆମେ ମଣିଷ ଜନ୍ମ ପାଇଛେ । ତାଙ୍କରି କୃପାରୁ ଆମେ ଚାଲି ପାରୁଛେ, ଦେଖିପାରୁଛେ, କଥା ହୋଇପାରୁଛେ । ସବୁ ପ୍ରଭୁଙ୍କ କୃପା । ଅବଶ୍ୟ କେତେକଙ୍କ ପାଖରେ କିଛି ଶକ୍ତି କମ୍ ଥାଏ । କିନ୍ତୁ ଯାହାକୁ ସବୁଯାକ କୃପା ମିଳିଯାଇଛି, ତଥାପି ସେ ଏସବୁ ଭଗବାନଙ୍କ ଦାନ ବୋଲି ସ୍ୱୀକାର କରୁନଥିବାରୁ ଜୀବନରେ ସୁଖ ପାଇ ପାରୁନାହିଁ । ତାକୁ ଭୟ, ଭ୍ରାନ୍ତି ମାଡି ବସୁଛି । ଜଗନ୍ନାଥଙ୍କ କୃପା ଅନୁଭବ କରିଥିବା ଲୋକଙ୍କୁ କେବେ ଏସବୁ ପାଖ ମାଡିବ ନାହିଁ । ସାରା ସଂସାର ଜଗନ୍ନାଥମୟ । ଆମ ହୃହୟରେ ବସିଛନ୍ତି ଲୋକଙ୍କ ପାଳନ କର୍ତା ଶ୍ରୀଜଗନ୍ନାଥ । ତେଣୁ ସେ ହେଉଛନ୍ତି ଲୋକପାଳ । ହୃଦୟରେ ଆତ୍ମା ରୂପରେ ଅବସ୍ଥାନ କରିଥିବା ପରମାତ୍ମା ଶ୍ରୀଜଗନ୍ନାତଙ୍କୁ ଅନୁଭବ ଓ ଦର୍ଶନ କରିବା ବେଳେ ଭକ୍ତଙ୍କ ଆଖିରେ ଆଖିଏ ଲୁହ ଆସିଯାଏ । ଏହା ହେଉଛି ଭକ୍ତିର ଲୁହ ଏବଂ ଭାବର ପରିପ୍ରକାଶ । ଇନ୍ଦ୍ରୀୟକୁ ଧାରଣ କରିଥିବା ଏହି ଶରୀରରେ ଅଧିଶ୍ୱର ହେଉଛନ୍ତି ଆତ୍ମା । କାରଣ ପରମାତ୍ମା ହିଁ ଆତ୍ମା ରୂପରେ ଅବସ୍ଥାନ କରିଛନ୍ତି । ତାହାର ଆକୃତି ପ୍ରକୃତି ବିଷୟରେ ଜାଣିବା ଅସମ୍ଭବ । ତାହା ଅଦୃଶ୍ୟ ଓ ଅମର । ତାହା ସବୁବେଳେ ଚରାଚର ଜଗତରେ ଏ ଘଟକୁ ସେ ଘଟକୁ ସ୍ଥାନାନ୍ତରିତ ହେଉଥାଏ । ପ୍ରଭୁ ଜଗନ୍ନାଥ ହେଉଛନ୍ତି ଆତ୍ମାରାମ । ତାଙ୍କର ନାମ ସ୍ମରଣ ଓ ମନନ ଦ୍ୱାରା ହିଁ ମୋକ୍ଷ ପ୍ରାପ୍ତି ହୋଇଥାଏ । ପ୍ରଭୁଙ୍କ ସହ ଆମେ ଲୀନ ହୋଇଥାନ୍ତି । ଯାହା ମାନବ ସମାଜର ଅନ୍ତିମ ଲକ୍ଷ୍ୟ । ଆମ ପାଖରେ ଆସି ପହଁଚିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଆମେ କିନ୍ତୁ ଆମର ଆତ୍ମକଲ୍ୟାଣ ପାଇଁ ଚେଷ୍ଟିତ ନୁହେଁ କିମ୍ବା ପରଲୋକ ଗମନ ପାଇଁ ଯେଉଁ ପ୍ରସ୍ତୁତି କରିବା କଥା, ତାହା କରୁନାହେଁ । ଅନେକ କହନ୍ତି ଆମେ ଅନ୍ତିମ ସମୟରେ ହିଁ ପ୍ରଭୁ ନାମ ଜପିବୁ । ତାଙ୍କଠୁ ବୋଧହୁଏ ଜ୍ଞାନୀ କେହି ନାହିଁ ! ନହେଲେ ସେମାନଙ୍କୁ କିପରି ଜଣାପଡିଲା ଯେ ସେମାନଙ୍କର ଅନ୍ତିମ ସମୟ କେବେ ? ଗୋଟିଏ ମୂହୂର୍ତରେ କଣ ହେବ, ତାହା କାହାକୁ ଜଣା ? ସବୁ ସମୟ ଆମ ପାଇଁ ଅନ୍ତିମ ସମୟ । ସେହି ଅନୁସାରେ ପ୍ରଭୁଙ୍କ ନାମ ସ୍ମରଣ କରନ୍ତୁ ଓ ପରଲୋକ ପାଇଁ ପ୍ରସ୍ତୁତି କରନ୍ତୁ । ଏଇ ଦୁନିଆରେ ସବୁ କିଛି ମହାପ୍ରଭୁ ଶ୍ରୀଜଗନ୍ନାଥ । ସବୁ ରୂପରେ ସେ ବିଦ୍ୟମାନ ସାରା ସଂସାରରେ । ବିଶ୍ୱରୂପ ଧାରଣା କରିଥିବା ମହାବାହୁ ଶ୍ରୀଜଗନ୍ନାଥ ହେଉଛନ୍ତି ବ୍ରହ୍ମାଣ୍ଡର ଏକ କ୍ଷୁଦ୍ର ସ୍ୱରୂପ । ତାଙ୍କ ମଧ୍ୟରେ କେତେ କେତେ ବ୍ରହ୍ମାଣ୍ଡ ସମାହିତ ହୋଇଛି । କେଉଁ ନାମ ପ୍ରଭୁଙ୍କର କହିବା ? ସେତ ହେଉଛନ୍ତି ସର୍ବନାମ । ସେଥିପାଇଁ ‘ଗୀତ ଶ୍ରୀଜଗନ୍ନାଥ’ ପୁସ୍ତକରେ କହାଯାଇଛି –“ପ୍ରଭୁ ଜଗନ୍ନାଥ ସର୍ବନାମ ହରି, ଶ୍ରୀରାମ ମାଧବ ମୁକୁନ୍ଦ ମୁରାରୀ ।” ଶ୍ରୀଜଗନ୍ନାଥଙ୍କ ନାମ ଓ ଗୀତ ଭକ୍ତର ସବୁଠୁ ବଡ ପ୍ରିୟ । କାରଣ ନାମ ଓ ଗୀତ କଲ୍ୟାଣ କାରକ, ଶାଶ୍ୱତ ଓ ସୁନ୍ଦର ।  ଜଗନ୍ନାଥ ନାମ ଓ ଗୀତରେ ମଜ୍ଜିରହନ୍ତୁ । ମହାପ୍ରଭୁ ତାଙ୍କ ନାମ ଓ ଗୀତ ଶୁଣିବାକୁ ଭାରି ଭଲ ପାଆନ୍ତି । ଆପଣ ତାଙ୍କ ନାମ ଓ ଗୀତ ଗାଆନ୍ତୁ, ପ୍ରଭୁ ଆପେ ଆପେ ଚାଲିଆସିବେ ।

                    -୦-

ଦୀକ୍ଷା ମିଶନ, ପିପିଲି, ପୁରୀ

About admin

Check Also

ବଣୁଆ ହାତୀକୁ ନେଇ ଗୁଆଳିପୁର ପଂଚାୟତବାସୀ  ଆତଙ୍କିତ 

ତାରପୁର ୨୮/୧୦/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ ବର୍ତି ଧାନ ବିଲ ଗହୀରରେ ଏକ ବଣୁଆ ହାତୀ ପସିଆସିଥିବାରୁ …

Leave a Reply

Your email address will not be published. Required fields are marked *