ଭୁବନେଶ୍ୱର,୩୧/୦୮/୨୦୧୯(ଓଡ଼ିଶା ସମାଚାର)- ପପୁ ପମପମ୍ ଓଲିଉଡ଼ର ଜଣେ ଜଣାଶୁଣା କମେଡ଼ି, ଅଭିନେତା ଓ ନିର୍ଦ୍ଧେଶକ । କିଛି ଦିନ ତଳେ ତାଙ୍କୁ କାଷ୍ଟିଙ୍ଗ କାଉଚ୍ ମାମଲାରେ ଅଭିଯୁକ୍ତ କରାଯାଇଥିଲା । ତା ପରେ ସେ ଦୀର୍ଘଦିନ ଧରି ଅସୁସ୍ଥ ରହିଲେ ଓ ପୂର୍ବ ବ୍ୟବହାର ପାଇଁ ଅନୁତପ୍ତ ଥିବା ଭଳି ଜଣାପଡ଼ିଲେ । ଏଣୁ ସିନେ ଦର୍ଶକମାନେ ତାଙ୍କ ଉପରେ ଥିବା ପ୍ରାୟ ସମସ୍ତ ଅଭିଯୋଗଗୁଡ଼ିକୁ ଭୁଲି ଯାଇଥିବା ପରି ଜଣାପଡ଼ିଲା । କିନ୍ତୁ ତାଙ୍କ ଦୃଷ୍ଟ ବୁଦ୍ଧି ପୁଣି ବାହାରିଲା । ଦୂତି ଚାନ୍ଦଙ୍କୁ ସେ ଅଶୋଭନୀୟ ଆକ୍ଷେପ କଲେ ଓ ଦୂତୀ ତାଙ୍କ ବିରୋଦ୍ଧରେ ମାନହାନି ମକଦ୍ଧମା କରିବାକୁ କହିବାରୁ ସେ ତାଙ୍କୁ ଗଣମାଧ୍ୟମ ଜରିଆରେ ନିସର୍ତ କ୍ଷମା ମାଗିଲେ ଓ ଦୂତୀ ତାଙ୍କୁ କ୍ଷମା କରିଦେଲେ । କେଇଟା ଦିନ ନଯାଉଣୁ ସେ ଆଉ ଏକ ଦୃଷ୍ଟାମୀ କଲେ । ଲତାମେଙ୍ଗସ୍କରଙ୍କ ପରି ସୁଲଳିତ କଣ୍ଠରେ ଗୀତ ଗାଉଥିବା ଜଣେ ଗରିବ ସ୍ତ୍ରୀଲୋକ ରାନୁ ମଣ୍ଡଳଙ୍କୁ ନକଲ କରି ତାଙ୍କ ପରି ସ୍ତ୍ରୀ ଲୋକ ବେଶରେ ତାଙ୍କ ସ୍ୱରକୁ ବ୍ୟାକଗ୍ରାଉଣ୍ଡରେ ବଜାଇ ଗୀତ ଗାଇଲେ । ତାଙ୍କ କଣ୍ଠର ଯାଦୁକୁ ପ୍ରଚାର ଓ ପ୍ରସାର ଓ ନିର୍ଦ୍ଦେଶନା ଦେଉଥିବା ବ୍ୟକ୍ତିଙ୍କୁ ନକଲ କରି ଆଉ ଜଣେ ବ୍ୟକ୍ତିଙ୍କୁ ପପୁ ଗୀତ ଗାଉଥିବା ସମୟରେ ମଧ୍ୟ ଠିଆ କଲେ । ଏ କଣ ଜଣେ ଅସହାୟ ମହିଳାଙ୍କ ପାଇଁ କମେଡି ନା ନିନ୍ଦାଯୁକ୍ତ ସମାଲୋଚନା? ଆମେ ବୁଝିପାରୁନାହିୁଁ ପପୁ ଜଣେ ପ୍ରତିଷ୍ଠିତ ସିନେ ତାରକା ହେବା ସତ୍ୱେ ଏପରି ଦୁଷ୍ଟ ବୁଦ୍ଧି ତାଙ୍କ ମୁଣ୍ଡକୁ ବେଳେ ବେଳେ ଆସୁଛି କାହିଁକି? ଏହା ବ୍ୟତୀତ ତାଙ୍କର କେତେକ ଡ଼ାଏଲଗରେ ସେ ଅତି ନୀଚ୍ଚକୋଟିର ଶବ୍ଦ ବା ଦୁଇଅର୍ଥ ବୋଧକ ଶବ୍ଦ ପ୍ରୟୋଗ କରିଥାନ୍ତି, ଯାହାକି ଶ୍ରୋତାଙ୍କୁ ଓ ବିଶେଷକରି ମହିଳାମାନଙ୍କୁ କଷ୍ଟ ଦେଇଥାଏ । ଏଣୁ ପପୁଙ୍କୁ ଆମର ଅନୁରୋଧ ସେ ଏଣିକି ତାଙ୍କ ବ୍ୟବହାରରେ ପରିବର୍ତନ କରନ୍ତୁ ଓ ଆବଶ୍ୟକ ହେଲେ ଡ଼ାକ୍ତର ପରାମର୍ଶ କରନ୍ତୁ । ତା ନହେଲେ ଦିନେ ସମସ୍ତ ସିନେ ଦର୍ଶକ ତାଙ୍କ ଅଭିନୟକୁ ବର୍ଜନ କରିବେ ।
ଆମେ ଏବେ ଆଉ ଜଣେ ପ୍ରଜ୍ଞାଙ୍କୁ କମେଡ଼ି ରୋଲ କରିବାର ଦେଖୁଛୁ । ତାଙ୍କଠାରେ କଳା ଅଛି ଓ ସେ ନିଶ୍ଚୟ ଜଣେ ନିର୍ଭୀକ ଅଭିନେତା । କିନ୍ତୁ ତାଙ୍କ କତେକ ସିରିଆଲ ଯଥା ମିଷ୍ଟର ନନସେନ୍ସ ଓ ଯମପୁରରେ ପ୍ରଜ୍ଞା ଇତ୍ୟାଦିରେ ତାଙ୍କ ଡ଼ାଏଲଗ ଅତି ନୀଚ୍ଚକୋଟୀର ଶବ୍ଦ ସଂଯୋଜନାରେ ହେଉଛି । ଏଥିପାଇଁ ଲେଖକ କିମ୍ବା ସେ ନିଜେ ଦୋଷୀ ଏକଥା ସେ ଦୃ୍ଷ୍ଟି ଦେବେ କିମ୍ବା ସିରିଏଲର ନିର୍ଦ୍ଧେଶକ ଏପରି ନୀଚ୍ଚକୋଟୀର ଶବ୍ଦ କିମ୍ବା ଦ୍ୱିଅର୍ଥବୋଧକ ଖରାପ ଶବ୍ଦ ବ୍ୟବହାର କରିବାରୁ ବିରତ ରହିବେ ବୋଲି ଆମର ଆଶା । ଯଦି ପ୍ରଜ୍ଞା ଓ ତାଙ୍କର ସାଥୀଗଣ ଯମରାଜଙ୍କୁ ତାତ୍ସଲ୍ୟ କରିପାରିବେ ତେବେ ପପୁ କାହିଁକି ରାନୁ ମଣ୍ଡଳଙ୍କୁ ତାତ୍ସଲ୍ୟ କରିବେନି ଏ ପ୍ରଶ୍ନ ମଧ୍ୟ ଆମମାନଙ୍କ ଭଳି ଶ୍ରୋତାମାନଙ୍କ ମନରେ ଆସେ । କମେଡ଼ି, ଶ୍ରୁତି ମଧୁର ହେଉ, ଶ୍ରୁତିକଟୁ ବା କାହାକୁ ଅପମାନଜନକ ନହେଉ ଓ ପରିବାରବର୍ଗର ସମସ୍ତଙ୍କ ସାଥୀରେ ବସି ଦେଖିଲା ଭଳି ହେଉ ।
ଏ ଦିଗରେ ସରକାରଙ୍କ ସେନସର ବୋର୍ଡ଼ ମଧ୍ୟ ଦୃଷ୍ଟି ଦେବାକୁ ଆମର ଅନୁରୋଧ । ଏଭଳି ପତ୍ର ଲେଖିଛନ୍ତି ଆଇ.ଆର.ସି. ଭିଲେଜ, ଭୁବନେଶ୍ୱର ର ଜଣେ ବରିଷ୍ଠ ନାଗରିକ ଇଂ ଜଗବନ୍ଧୁ ଷଡ଼ଙ୍ଗୀ । ଓଡ଼ିଶା ସମାଚାର