ସାଲେପୁର, ୨୯/୦୮/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା) – କଟକ-ସାଲେପୁର ରାସ୍ତାରେ ଭାରୀଯାନ ଚାଳକମାନେ ବେପରୁଆ ଭାବେ ଗାଡ଼ି ଚାଳନା କରୁଥିବାରୁ ଦିନକୁ ଦିନ ଏହି ରାସ୍ତାରେ ଦୁର୍ଘଟଣାମାନ ଘଟି ବହୁ ଧନଜୀବନ ହାନୀ ଘଟୁଥିବା ଦେଖିବାକୁ ମିଳୁଛି । ଆଜି ଭୋରରୁ ଏକ ମାଲବାହୀ ଟ୍ରକ୍ ମାଛୁଆତି ଛକଠାରେ ୨ଟି ଷଣ୍ଢଙ୍କୁ ଧକ୍କା ଦେବା ଫଳରେ ଷଣ୍ଢ ଦୁଇଟିର ଘଟଣାସ୍ଥଳରେ ମୃତୁ୍ୟ ଘଟିଛି । ସ୍ଥାନୀୟ ଅଂଚଳର କିଛି ସ୍ୱେଚ୍ଛାସେବୀ ସୁଧିର କୁମାର ଶତପଥୀ, ସ୍ୱରୂପ ରଂଜନ ପରିଡ଼ା, ଶିଶିର କୁମାର ଦାଶ, ପ୍ରଶାନ୍ତ କୁମାର ମଲ୍ଲିକ, ଦିଲ୍ଲୀପ ବରାଳ, ଅଜୟ କୁମାର ସାହୁ, ଅଭୟ ନାୟକ, ଧିରେନ୍ଦ୍ର ନାଥ ପଣ୍ଡାଙ୍କ ସମେତ ସ୍ଥାନୀୟ ଅଂଚଳର କିଛି ଯୁବକ ଏକାଠି ହୋଇ ଦୁର୍ଘଟଣାରେ ମୃତୁ୍ୟବରଣ କରିଥିବା ଷଣ୍ଢ ଦୁଇଟିଙ୍କୁ ଏକ ଟ୍ରାକ୍ଟରରେ ଶୋଭାଯାତ୍ରାରେ ଚିତ୍ରୋତ୍ପଳା ନଦୀକୂଳକୁ ନେଇ ସେଠାରେ ସମାଧି ଦେଇଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ ଏହି ରାସ୍ତାରେ ଭାରୀଯାନ ଚଳାଚଳ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଲାଗିଥିଲେ ମଧ୍ୟ ଟିକସ ଫାଙ୍କିବା ଉଦ୍ଧେଶ୍ୟରେ ଏହି ରାସ୍ତା ଦେଇ ନିୟମିତ ବହୁ ମାଲବାହୀ ଟ୍ରକ୍ ଯାତାୟତ କରୁଛନ୍ତି । ଟ୍ରକ୍ ଚାଳକଙ୍କର ବେପରୁଆ ଗାଡ଼ି ଚାଳନା ଯୋଗୁ ଅଧିକାଂଶ ସମୟରେ ଏହି ରାସ୍ତାରେ ଦୁର୍ଘଟଣା ଘଟି ବହୁ ଧନଜୀବନ ହାନି ଘଟୁଛି । ଏପରିକି ଏହି ରାସ୍ତା ଏବେ ଦୁର୍ଘଟଣା ଜୋନ୍ ପାଲଟିଛି ବୋଲି କୁହାଯାଇଛି । ଅପର ପକ୍ଷରେ ବୁଲା ଗୋରୁଗାଈ, ଷଣ୍ଢମାନେ ଅଧିକାଂଶ ସମୟରେ ଏହି ରାସ୍ତାରେ ଚଳପ୍ରଚଳ କରୁଥିବାରୁ ନିୟମିତ ଦୁର୍ଘଟଣାର ଶିକାର ହେଉଛନ୍ତି । ଯଦି ପ୍ରଶାସନ ପକ୍ଷରୁ ଏହି ପଶୁମାନଙ୍କ ବେକରେ ରେଡିୟମର ବେଲଟ ଲଗାଇବାର ବ୍ୟବସ୍ଥା କରାଯାଆନ୍ତା, ତେବେ ଦୁର୍ଘଟଣା କିଛି ମାତ୍ରାରେ ହ୍ରାସ ପାଆନ୍ତା ବୋଲି କୁହାଯାଉଛି । ଓଡ଼ିଶା ସମାଚାର