ଭୁବନେଶ୍ୱର,୨୯/୦୮/୨୦୧୯(ଓଡ଼ିଶା ସମାଚାର)-ରାଜ୍ୟର ପ୍ରଥମ ନାରୀରାଜବନ୍ଦୀ, ସର୍ବଭାରତୀୟ କଂଗ୍ରେସ କମିଟିର ଓଡ଼ିଶାରୁ ପ୍ରଥମ ମହିଳାପ୍ରତିନିଧି, ବିଧାନ ସଭାର ପ୍ରଥମ ମହିଳା ବିଧାୟିକା, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ,ଲେଖିକା ଓ ବିପ୍ଲବିଣୀ ସରଳା ଦେବୀ(୧୯ ଅଗଷ୍ଟ ୧୯୦୪-୪ଅକ୍ଟୋବର ୧୯୮୬)ଙ୍କର ଏକପ୍ରତିମୂର୍ତି ରାଜଧାନୀରେ / ବିଧାନସଭା ପରିସରରେ ସ୍ଥାପନ କରିବା ପାଇଁ ଦାବିକରି ତାଙ୍କର ୧୧୫ତମ ଜନ୍ମଜୟନ୍ତୀରେ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ମାନ୍ୟବର ରାଜ୍ୟପାଳ ଓ ମାନ୍ୟବର ବାଚସ୍ପତିଙ୍କୁ ଏକ ପତ୍ର ଲେଖିଛନ୍ତି । ଏହିପତ୍ରରେ ସେ କହିଛନ୍ତି ଯେ, ଆଜି ଓଡ଼ିଶା ନାରୀ ସଶକ୍ତିକରଣ ଉପରେ ଗୁରୁତ୍ୱାରୋପ କରୁଛି । ସମଗ୍ର ଭାରତବର୍ଷ ଲିଙ୍ଗଗତ ସମାନତାର କଥାକହୁଛି । କିନ୍ତୁ ଦୁଃଖର କଥା ୭୨ବର୍ଷ ସ୍ୱାଧୀନତା ପରେ ଏ ରାଜ୍ୟର ପ୍ରଥମ ନାରୀ ରାଜବନ୍ଦୀ ଯିଏ ନିଜର ସାମନ୍ତବାଦୀ ସୁଖ ସ୍ୱାଚ୍ଛନ୍ଦ୍ୟକୁ ବଳିଦେଇ ଜାତୀୟ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ, ତାଙ୍କର ଏକ ପ୍ରତିମୂର୍ତିଟିଏ ଆମେ ରାଜଧାନୀ ବକ୍ଷରେ ସ୍ଥାପନ କରିପାରିଲେ ନାହିଁକି ́, ତାଙ୍କର ତୈଳ ଚିତ୍ରଟିଏ ମଧ୍ୟ ଓଡ଼ିଶା ବିଧାନସଭା କେନ୍ଦ୍ରୀୟ ହଲ ରେ ରଖିପାରିଲେ ନାହିଁ, ତାହା ହିଁ ବିଡ଼ମ୍ବନା । ତାଙ୍କର ୧୧୫ତମ ଜନ୍ମଜୟନ୍ତୀରେ ତାଙ୍କର ଅବଦାନକୁ ସ୍ମରଣକରି ରାଜ୍ୟ ସରକାର ତୁରନ୍ତ ତାଙ୍କର ଏକ ପ୍ରତିମୂର୍ତି ସ୍ଥାପନ କଲେ ତାହା ଆଗାମୀ ପିଢିର ନାରୀ ସଂଗ୍ରାମୀ ମାନଙ୍କପାଇଁ ଏକ ପ୍ରେରଣାର ଉତ୍ସ ହୋଇପାରିବ ବୋଲି ଶ୍ରୀ ବେହେରା ମତବ୍ୟକ୍ତ କରିଛନ୍ତି । ଏହା ବ୍ୟତୀତ ରାଜ୍ୟର ମହିୟସୀ ମହିଳା ମା’ରମାଦେବୀ, ବିପ୍ଲବିଣୀ ମାଳତୀ ଚୌଧୁରୀ, ସରଳା ଦେବୀଙ୍କ ଭଳି ମହିଳା ମାନଙ୍କର ଜୀବନୀକୁ ପ୍ରମାଣିକ ଚିତ୍ର କରାଯାଇ ଆଗାମୀ ପିଢିର ବିଶେଷତଃ ମହିଳା କଲେଜ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ପ୍ରଦର୍ଶନ କରାଗଲେ ତାହା ଦେଶ ଗଠନରେ ସେମାନଙ୍କୁ ପ୍ରେରଣା ଦେବ ବୋଲି ଶ୍ରୀ ବେହେରା ଆଶାପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର