ସାଲେପୁର, ୨୯/୦୮/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା) – ବୋଦାମୁଣ୍ଡାଇ ଛାଣିପୁର ରାସ୍ତାରେ ଏକ ମୋଟର ସାଇକେଲ୍ ଧକ୍କାରେ ଜଣେ ସ୍କୁଲ ଛାତ୍ରୀ ଗୁରୁତର ଆହତ ହୋଇ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ଖବରରୁ ପ୍ରକାଶ ଯେ ଆଜି ସକାଳ ପ୍ରାୟ ୭ଟା ସମୟରେ ନିଜ ଭଉଣୀକୁ ସ୍କୁଲ ଗାଡ଼ିରେ ବସାଇ ରାସ୍ତା ପାର ହେଉଥିବା ବେଳେ ପିକୋଳ ଗ୍ରାମର ପ୍ରଦୀପ୍ତ କୁମାର ସାହୁଙ୍କ କନ୍ୟା ତ୍ରିଷ୍ଣା ସାହୁ(୭)ଙ୍କୁ ଛାଣିପୁରରୁ ବୋଦାମୁଣ୍ଡାଇ ଆଡକୁ ଦ୍ରୁତଗତିରେ ଆସୁଥିବା ଏକ ମୋଟରସାଇକେଲ୍ ତାଙ୍କୁ ଧକ୍କା ଦେବା ଫଳରେ ତାଙ୍କ ବାମଗୋଡ଼ର ହାଡ଼ ଭାଙ୍ଗିଯିବା ସହ ସେ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡ଼ିକାଲକୁ ପଠାଇଦେଇଥିବା ଜଣାଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ସାଲେପୁର ଅଞ୍ଚଳରେ ଖୋଲିଥିବା ଅଧିକାଂଶ ବେସରକାରୀ ସ୍କୁଲ ଗାଡ଼ି ଗୁଡିକ ନିୟମ ଅନୁଯାୟୀ ଯାତାୟତ କରୁନଥିବାରୁ ଅଧିକାଂଶ ସମୟରେ ଏହି କାରଣରୁ ଛାତ୍ରଛାତ୍ରୀମାନେ ଦୁର୍ଘଟଣାଗ୍ରସ୍ତ ହେଉଥିବା ଅଭିଯୋଗ ହୋଇଛି । ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି । ଓଡ଼ିଶା ସମାଚାର