Sunday , June 26 2022
Breaking News
Home / ବିଶେଷ /   ଗାଁ  ଚାଷୀଙ୍କ ସାଥି ତାଳପତ୍ର ପଖିଆ ଆଉ ଦେଖିବାକୁ ମିଳୁନି 

  ଗାଁ  ଚାଷୀଙ୍କ ସାଥି ତାଳପତ୍ର ପଖିଆ ଆଉ ଦେଖିବାକୁ ମିଳୁନି 

 ଗରଦପୁର,୨୯/୦୮/୨୦୧୯(ଓଡ଼ିଶା ସମାଚାର)-ଗାଁ ଚାଷୀମାନଙ୍କର ସାଥି କୁହାଯାଉଥିବା ତାଳପତ୍ର ପଖିଆ ଆଉ ପୂର୍ବ ଭଳି ଦେଖିବାକୁ ମିଳୁନି । ପ୍ରତି ବର୍ଷ ବର୍ଷା ରୁତୁ ଆସିଲେ ଗ୍ରାମାଂଚଳରେ ଚାଷ କାର୍ଯ୍ୟ ପାଇଁ ନିୟୋଜିତ ଚାଷୀମାନଙ୍କ ପାଇଁ ଆବଶ୍ୟକ ପଡେ ପାଳପତ୍ରରେ ତିଆରି ହୋଇଥିବା ପଖିଆ । ଏହି ତାଳପତ୍ର ପଖିଆରେ ଚାଷୀ ବର୍ଷା ସମୟରେ ମୁଣ୍ଡରେ ଦେଇ ଚାଷକାର୍ଯ୍ୟ କରିଥାଏ । ମାତ୍ର ସମୟକ୍ରମେ ପାରମ୍ପାରିକ ଚାଷ କାର୍ଯ୍ୟ ପଦ୍ଧତିରୁ ଦିନକୁ ଦିନ ଦୂରେଇ ଯାଇ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରି ଚାଷ କାର୍ଯ୍ୟ କରୁଥିବା ଚାଷୀମାନଙ୍କର ଏବେଏହି ତାଳପତ୍ର ତିଆରି ପଖିଆର ଆଉ ଆଦର ନାହିଁ । କାହିଁ କେଉଁ ସମୟରୁ ବ୍ୟବହୃତ ହୋଇ ଆସୁଥିବା ଏହି ପଖିଆକୁ ବର୍ଷାରୁ ରକ୍ଷା ପାଇ ଚାଷ କାର୍ଯ୍ୟକୁ ଆଗେଇ ନେବା ପାଇଁ ଚାଷୀଭାଇମାନେ ମୁଣ୍ଡରେ ପଖିଆ ଦେଇ କ୍ଷେତବାଡିରେ କାମ କରିଥାଆନ୍ତି । ଚାଷୀମାନଙ୍କର ଆବଶ୍ୟକତାକୁ ଲକ୍ଷ୍ୟ କରାଯାଇ ଏହି ଅଂଚଳର ନୂଆପଡା, ପାହିଲୋ, ପାଖଡ ଆଦି ଗ୍ରାମମାନଙ୍କରେ ଥିବା ନିର୍ଦ୍ଧିଷ୍ଟ ପରିବାରମାନଙ୍କ ଦ୍ୱାରାଏହି ପଖିଆ ବୁଣା କାର୍ଯ୍ୟ କରାଯାଇଥାଏ । ଅଂଚଳରେ ଥିବା କେତେକ ପରିବାରର ଲୋକମାନେ ପଖିଆ ତିଆରି କରି ତାହାକୁ ବଜାର ହାଟରେ ବିକ୍ରୀ କରି ସେଥିରୁ ଯାହା ଅର୍ଥ ପାଆନ୍ତି ସେମାନଙ୍କର ପରିବାର ଭରଣ ପୋଷଣ କରୁଥିବାର ନଜିର ମଧ୍ୟ ରହିଛି । ନିକଟସ୍ଥ ହାଟ,ବଜାରମାନଙ୍କରେ ବର୍ଷା ରୁତୁ ଆରମ୍ଭରୁ ପଖିଆ ବିକ୍ରୀ କରାଯାଇଥାଏ । ମାତ୍ର ଚଳିତ ବର୍ଷ,ବର୍ଷା ଅଭାବରୁ ଏହି ପଖିଆର ଆଉ ଆଦର ନାହିଁ । ପଖିଆ ତିଆରି କରୁଥିବା କାରିଗରମାନେ ଖରାଦିନମାନଙ୍କରେ  ବିଭିନ୍ନ ସ୍ଥାନରୁ ତାଳପତ୍ର ସଂଗ୍ରହ କରି ପ୍ରାୟ୫/୬ ଦିନପର୍ଯ୍ୟନ୍ତ ସେଗୁଡିକୁ ପଙ୍କ ଥିବା ଗାଡିଆ ପୋଖରିରେ ପୋତି ଦେଇ ପାଗ କରାଇଥାଆନ୍ତି । ଏହା ପାଗ ହୋଇଗଲା ପରେ ପଙ୍କରୁ ଉଦ୍ଧାର କରି ତାହାକୁ ଖରାରେ ଶୁଖାଇବା ପରେ ବର୍ଷା ଦିନ ପୂର୍ବରୁ ତାଳପତ୍ରକୁ ସଜାଡି ପଖିଆ ବୁଣାଯାଇଥାଏ । ପତ୍ର ଗୁଡିକୁ ସଜାଡି ରଖାଯିବା ପରେ ଏକ ସରୁ ଥିବା ତାଳପତ୍ରକୁ ଏକ ଲୁହା କାତି ସାହାଯ୍ୟରେ ସିଲେଇ କରାଯାଇ ପଖିଆର ରୂପ ଦିଆଯାଇଥାଏ । ପଖିଆ ତିଆରି କରୁଥିବା ପରିବାରର ଲୋକମାନେ ପଖିଆ ତିଆରି କରିବା ପରେ ଗ୍ରହକମାନଙ୍କର ଚାହିଦାକୁ ଲକ୍ଷ୍ୟ କରି ପଖିଆ ତିଆରି କରାଯାଇଥାଏ । ବର୍ତମାନ ସମୟରେ ପଲିଥିନ୍ ପଖିଆର ବହୁଳ ବ୍ୟବହାର ପରେ ମଧ୍ୟତାଳପତ୍ର ନିର୍ମିତ ପଖିଆର ଚାହିଦା ରହିଥିବା କଥା ପ୍ରକାଶ କରିଛନ୍ତି ନୂଆପଡାରେ ପଖିଆ ତିଆରି କରୁଥିବା ଏକ ପରିବାରର ଲୋକମାନେ । ଏବେ ଯେଉଁ ଭଳି ଭାବରେ ଆକସ୍ମିକ ଭାବରେ ବଜ୍ରପାତ ଘଟୁଛି ,ବର୍ଷା ସମୟରେ ଯଦି ପଖିଆ ମୁଣ୍ଡରେ ରହିଥିବ ତେବେ ବଜ୍ରପାତର ଆଶଙ୍କା ମଧ୍ୟ କମ୍ ପରିମାଣରେ ରହିବ ବୋଲି କେତେକ ବରିଷ୍ଟ ଚାଷୀମାନେ ନିଜ ଅନୁଭୂତିରୁ ପ୍ରକାଶ କରିଛନ୍ତି । କ୍ରମେ କ୍ରମେ ବୁଡିଯାଉଥିବା ଏହି ପଖିଆକୁ ଉଜ୍ଜିବିତ କରି ରଖିବା ପାଇଁ ଯଦି ପ୍ରଶାସନଙ୍କ ପକ୍ଷରୁ ସମ୍ପୃକ୍ତ ପଖିଆ ବୁଣୁଥିବା କଳାକାର ପରିବାରମାନଙ୍କୁ କୌଣସି ପୋତ୍ସାହନ ରାଶି ଯୋଗାଇ ଦିଆଯାଇ ପାରନ୍ତା,ତେବେ ଆଗାମୀ ଦିନରେ ଏହାର ବହୁଳ ବ୍ୟବହାର ସାଙ୍ଗକୁ ଏକ ପାରମ୍ପାରିକ କଳା ବଂଚିଯାଇ ପାରେନ୍ତା ବୋଲି ପଖିଆ ତିଆରି କରୁଥିବା କଳାକାରମାନେ ମତ ପ୍ରକାଶ କରିଛନ୍ତି।  ଓଡ଼ିଶା ସମାଚାର

About admin

Check Also

କନ୍ଧମାଳ ଜିଲ୍ଲାର ଅଗ୍ରଣୀ ଯୁବକ ସଂଘ ୟୁଥ ୱାରିୟର ପକ୍ଷରୁ ସଫେଇ ଅଭିଯାନ

ବାଲିଗୁଡା,୨୬/୦୬/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ୟୁଥ ୱାରିୟର ପକ୍ଷରୁ ରବିବାର ଟିକାବାଲି ବସଷ୍ଟାଣ୍ଡ ଓ ମେଡିକାଲ ଛକ ଠାରେ ଥିବା …

Leave a Reply

Your email address will not be published. Required fields are marked *