ଭୁବନେଶ୍ୱର , ୨୮/୦୮/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟ ସ୍ୱାସ୍ଥ୍ୟ ନୀତିର ଡ୍ରାଫ୍ଟ ପଲିସୀ ଉପରେ ପୁଙ୍ଖାନୁପୁଙ୍ଖ ତର୍ଜମା ଲାଗି ଆଜି ଏଥିପାଇଁ ଗଠିତ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା ଡାକ୍ତର କେ.ଶ୍ରୀନାଥ ରେଡ୍ଡୀଙ୍କ ଅଧ୍ୟକ୍ଷତାର ବସିଥିବା ଏହି ବୈଠକରେ ଡ୍ରାପ୍ଟ ପିଲିସୀର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ବିଶେଷକରି ସ୍ୱାସ୍ଥ୍ୟ ନୀତିରେ ଦୁଇ ପ୍ରକାର ଯୋଜନା ଉପରେ ଆଲୋକପାତ ହୋଇଥିଲା । ବର୍ଷିକଆ ବା ସ୍ୱଳ୍ପମିଆଦୀ ଓ ୫ବର୍ଷିଆ ବା ଦୀର୍ଘମିଆଦୀ ନୀତି ପ୍ରସ୍ତୁତି ଲାଗି ବିଶେଜ୍ଞମାନେ ମତ ଦେଇଥିଲେ । ଏଥି ସହିତ ବର୍ତମାନ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଥିବା ଯନ୍ତ୍ରପାତି, ମାନବ ସମ୍ବଳ ଓ ଭିତିଭୂମି ଆଦିର ସର୍ବାଧିକ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି । ଏହାବାଦ୍ କେଉଁ ଅଂଚଳରେ କି ପ୍ରକାର ସ୍ୱାସ୍ଥ୍ୟସେବାର ଆବଶ୍ୟକତା ରହିଛି ତାହା ସ୍ୱାସ୍ଥ୍ୟନୀତିରେ ସ୍ଥାନ ପାଇବା ଆବଶ୍ୟକ ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ପ୍ରକାଶ ଥାଉକି ରାଜ୍ୟ ସରକାର ଏହି ସ୍ୱାସ୍ଥ୍ୟନୀତି ଚୂଡାନ୍ତ କରିବାପାଇଁ ଡାକ୍ତର ରେଡୀଙ୍କ ଅଧ୍ୟକ୍ଷତାରେ ଗୋଟିଏ ୨୮ଜଣିଆ କମିଟି ଗଠନ କରିବା ସହିତ ଏଥିରେ ସ୍ୱତନ୍ତ୍ର ସଦସ୍ୟ ଭାବେ କେତେକ ବିଶେଷଜ୍ଞଙ୍କୁ ସ୍ଥାନିତ କରିଛନ୍ତି । ବୈଠକ ପରେ ଅପରାହ୍ନରେ ପରାମର୍ଶଦାତା ଡାକ୍ତର ରେଡୀ ଏବଂ ଶ୍ରୀ ପ୍ରଧାନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କୁ ସାକ୍ଷାତ ଆଲୋଚନା କରିଥିଲେ ।
ସୂଚନା ଅନୁଯାୟୀ ଡ୍ରାଫ୍ଟ ପଲିସୀରେ ଥିବା ବିଭିନ୍ନ ସ୍ୱାସ୍ଥ୍ୟସେବା ବିଶେଷକରି ହୃଦ୍ରୋଗ, କର୍କଟ, ଟ୍ରାମାକେୟାର, ନିରାମୟ, ନିଦାନ, ନିର୍ମଳ, ଇ-ମେଡିକାଲ ରେକର୍ଡ, ଟେଲିମେଡିସିନ୍, ଜନ୍ମ ମୃତୁ୍ୟର ଅନ୍ଲାଇନ୍ ପ୍ରମାଣପତ୍ର, ବର୍ଜ୍ୟବସ୍ତୁ ପରିଚାଳନା, ମାନସିକ ସ୍ୱାସ୍ଥ୍ୟ, ଅଣସଂକ୍ରମିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ରୋଗ ନିୟନ୍ତ୍ରଣ ଲାଗି ଅନ୍ୟାନ୍ୟ ବିଭାଗ ସହିତ ସମନ୍ୱୟ ରକ୍ଷାକରିବା, ମେଡିକାଲ କଲେଜର ବିଭାଗ ଗୁଡିକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା, କ୍ୟାପିଟାଲ ହସ୍ପିଟାଲର ଉନ୍ନତିକରଣ ଆଦି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଆସନ୍ତା ଗାନ୍ଧୀ ଜୟନ୍ତୀରୁ ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଥିବା ମୋ ସରକାର ଯୋଜନାରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ପ୍ରାଥମିକତା ଦେବା ସହିତ ରୋଗୀଙ୍କ ଠାରୁ ମତ ସଂଗ୍ରହ ଲାଗି ସ୍ଥିର ହୋଇଥିବାରୁ ଏହା ଉପରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା । ରାଜ୍ୟବାସୀ ଯେଭଳି ସର୍ବୋକ୍ରୃଷ୍ଟ ଗୁଣାତ୍ମକ ସେବା ପାଇପାରିବେ ତାହାକୁ ଦୃଷ୍ଟିରେ ରଖି ଏହି ପଲିସୀ ପ୍ରସ୍ତୁତ କରାଯାଉଛି । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ଆରମ୍ଭକରି ମେଡିକାଲ କଲେ ପର୍ଯ୍ୟନ୍ତ ବିଶେଷକରି ଆଦିବାସୀ ବହୁଳ ଜିଲ୍ଲାମାନଙ୍କରେ ଉତମ ମାନର ସ୍ୱାସ୍ଥ୍ୟସେବା ଯୋଗାଣ ପାଇଁ ନୀତି ପ୍ରସ୍ତୁତ ସମୟରେ ଗୁରୁତ୍ୱ ଦିଆଯାଉଛି । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକୁ ଅଧିକ ସୁଦୃଢ କରାଯାଇ ରୋଗ ପ୍ରତିରୋଧକ ବ୍ୟବସ୍ଥା ଓ ଚିକିସôା ସେବା, ଜିଲ୍ଲା ସ୍ୱାସ୍ଥ୍ୟ ବ୍ୟବସ୍ଥା ପରିଚାଳନାରେ ପରିବର୍ତନ ଆଣି ଜିଲ୍ଲା ସ୍ତରରେ ଏହାର ଅନୁଧ୍ୟାନ, ଆବଶ୍ୟକ ମୁତାବକ ମାନବ ସମ୍ବଳ ବ୍ୟବସ୍ଥା, ରୋଗୀମାନଙ୍କର ପକେଟ ଖର୍ଚ୍ଚ ହ୍ରାସ କରିବାକୁ ଆର୍ଥିକ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ କରିବା, ଡାକ୍ତରଙ୍କ ଠାରୁ ଆରମ୍ଭକରି ପାରା ମେଡିକ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କର ଦକ୍ଷତା ବୃଦ୍ଧି ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ଆସନ୍ତା ୧୫ ଦିନ ମଧ୍ୟରେ ଡ୍ରାଫ୍ଟ ପଲିସୀ ଉପରେ ଚୂଡାନ୍ତ ମତାମତ ଦେବାପାଇଁ ବିଶେଷଜ୍ଞମାନଙ୍କୁ କୁହାଯାଇଛି । ସେମାନଙ୍କର ମତାମତ ମିଳିଲା ପରେ ତାହା ଉପରେ ଅଧିକ ତର୍ଜମା ସହିତ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ଚୂଡାନ୍ତ ସ୍ୱାସ୍ଥ୍ୟ ନୀତି ପ୍ରସ୍ତୁତ ହୋଇ ସରକାରଙ୍କୁ ପ୍ରଦାନ କରାଯିବ । ପ୍ରାରମ୍ଭରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ ମେହେର୍ଦ୍ଧା ସ୍ୱାଗତ ଭାଷଣ ପ୍ରଦାନ କରି ରାଜ୍ୟ ସରକାର ପ୍ରସ୍ତୁତ କରୁଥିବା ସ୍ୱାସ୍ଥ୍ୟ ନୀତିର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ଏହାର ପ୍ରଣୟନର ଆବଶ୍ୟକତା ସଂକ୍ରାନ୍ତରେ ସୂଚନା ଦେଇଥିଲେ । ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ପରାମର୍ଶଦାତା ପ୍ରସନ୍ନ କୁମାର ପ୍ରଧାନ, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଧେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ମେଡିକାଲ ନିଗମର ଏମଡି ୟାମିନୀ ଷଡଙ୍ଗୀ, ବିଭାଗୀୟ ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ସ୍ୱତନ୍ତ୍ର ସଚିବ, ନିର୍ଦ୍ଧେଶକ ବୃନ୍ଦ, ପ୍ରଫେସର ଡାକ୍ତର ସୁବ୍ରତ ଆଚାର୍ଯ୍ୟ, ଡାକ୍ତର ଅଶୋକ କୁମାର ମହାପାତ୍ର, ମେଡିକାଲ କଲେଜ ଗୁଡିକର ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟ, ଓମ୍ସା ଓ ଓମଟାର ସଭାପତିଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର
—–
Home / ସ୍ୱାସ୍ଥ୍ୟ / ସ୍ୱାସ୍ଥ୍ୟ ନୀତି ପାଇଁ ପ୍ରସ୍ତୁତ ଡ୍ରାଫ୍ଟ ପଲିସୀ ଉପରେ ତର୍ଜମା ବୈଠକ : ୧୫ ଦିନ ଭିତରେ ମତ ଦେବାକୁ ପରାମର୍ଶ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କୁ ଭେଟିଲେ ସ୍ୱାସ୍ଥ୍ୟ ପରାମର୍ଶଦାତା