କଟକ,୨୮/୦୮/୨୦୧୯(ଓଡ଼ିଶା ସମାଚାର)-ଜୟ ଭାରତ ଫାଉଣ୍ଡେସନ ପକ୍ଷରୁ ଭାରତ ମସଲା କମ୍ପାନୀର ୨୦ତମ ପ୍ରତିଷ୍ଠା ଦିବସ ଓ ପୂଜ୍ୟପୂଜା ପରମ୍ପରା ‘ଭାରତ ପ୍ରତିଭା ସମ୍ମାନ ୨୦୧୯’ ଆସନ୍ତା ୨ତାରିଖ ଶ୍ରୀ ଗଣେଶ ପୂଜା ଅବସରରେ ଅନୁଷ୍ଠିତ ହେବ । ସ୍ଥାନୀୟ ବାରଙ୍ଗସ୍ଥିତ ରାମଦାସପୁର ଭାରତ ମସଲା କମ୍ପାନୀ ପରିସରରେ ହେବାକୁ ଥିବା ଏହି ଉତ୍ସବରେ ଭାରତୀୟ ପାଣିପାଗ ବିଭାଗ ଡାଇରେକ୍ଟର ଜେନେରାଲ ମୃତୁ୍ୟଞ୍ଜୟ ମହାପାତ୍ରଙ୍କୁ ଭାରତ ଗୌରବ ସମ୍ମାନରେ ସମ୍ମାନିତ କରାଯିବ । ପ୍ରତିଷ୍ଠିତ ଲେଖକ ଡକ୍ଟର ରମେଶ ପ୍ରସାଦ ପାଣିଗ୍ରାହୀ କଥା ଭାରତ,ଆସ୍କା ଲୋକସଭା ସାଂସଦ ପ୍ରମିଳା ବିଶୋୟୀଙ୍କୁ ସେବା ଭାରତ, ଭାରତୀୟ ମହିଳା କ୍ରିକେଟ ଟିମ ସଦସ୍ୟା ମାଧୁରୀ ମେହେଟାଙ୍କୁ କ୍ରୀଡ଼ା ଭାରତ, ପ୍ରତିଷ୍ଠିତ ଚଳଚ୍ଚିତ୍ର ଅଭିନେତା ଆକାଶ ଦାସନାୟକଙ୍କୁ ସଂସ୍କୃତି ଭାରତ ସମ୍ମାନ ପ୍ରଦାନ କରାଯିବ । ଏଥିସହ ଅଧ୍ୟୟନ କ୍ଷେତ୍ରରେ ଅଜୟ କୁମାର ପାତ୍ର, ପ୍ରୀତିଶ ବେହେରା ଓ ଶୁଭମ ଶର୍ମାଙ୍କୁ ବିଦ୍ୟା ଭାରତ ସମ୍ମାନରେ ସମ୍ମାନିତ କରାଯିବ । ଏହି ପ୍ରତିଭା ସମ୍ମାନ ପ୍ରଦାନ ସମାରୋହରେ ମୁଖ୍ୟଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ସମେତ ମୁଖ୍ୟବକ୍ତା ଭାବେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ସମ୍ମାନିତ ଅତିଥି ଭାବେ କଟକ ଲୋକସଭା ସାଂସଦ ଭର୍ତୃହରି ମହତାବ, ପୂର୍ବତନ ଜିଏସଟି ବୋର୍ଡ଼ ସଦସ୍ୟ ସୁଶାନ୍ତ କୁମାର ପଣ୍ଡା, ଶିଳ୍ପ ନିର୍ଦ୍ଦେଶକ ପ୍ରଣବଜ୍ୟୋତି ନାଥ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ଅଧ୍ୟକ୍ଷତା କରିବେ ବୋଲି କମ୍ପାନର ପରିଚାଳନା ନିର୍ଦ୍ଦେଶକ ଭାରତ ମସଲାର ପ୍ରତିଷ୍ଠାତା ତଥା ଜୟଭାରତ ଫାଉଣ୍ଡେସନର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ପଣ୍ଡା ସୂଚନା ଦେଇଛନ୍ତି । ମସଲାର ସାଧାରଣ ପରିଚାଳକ ଅଶ୍ୱିନୀ କୁମାର ଦାସ ପ୍ରମୁଖ ଉପସ୍ଥିତଥିଲେ । ଓଡ଼ିଶା ସମାଚାର