ଭୁବନେଶ୍ୱର, ୨୮/୦୮/୨୦୧୯(ଓଡ଼ିଶା ସମାଚାର)-ଶିଶୁ ମାନଙ୍କର ଓଠ ଏବଂ ପାଟିର ଉପରଭାଗ (ତାଳୁ)ରେ ଗ୍ରହଣ ଖଣ୍ଡିଆ ହୋଇଥିଲେ ଏହାର ଉପଚାର ନିମନ୍ତେ ସମ୍ପୂର୍ଣ୍ଣ ମାଗଣାରେ ଅସ୍ତ୍ରୋପଚାର କରିବା ପାଇଁ ଆନ୍ତର୍ଜାତିକ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ସଂସ୍ଥା ଅପରେସନ୍ ସ୍ମାଇଲ୍ ଏବଂ ବେଙ୍ଗାଲୁରୁ ସ୍ଥିତ ଇଙ୍ଗା ହେଲଥ ଫାଉଣ୍ଡେସନ୍ ଓ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ହାତ ମିଳାଇଛନ୍ତି । ମଙ୍ଗଳବାର ଠାରୁ ଏକ ସପ୍ତାହ ଧରି ସୋଆ ପରିଚାଳିତ ଇନଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଏହି ମାଗଣା ଅସ୍ତ୍ରୋପଚାର କରାଯିବ । ଭାରତ ସମେତ ୟୁଏସଏ, ୟୁକେ, ସ୍ୱିଡେନ୍, ଫିନଲ୍ୟାଣ୍ଡ, ଫିଲିପାଇନ୍ସ ଭଳି ୧୧ଟି ଦେଶର ଆନ୍ତର୍ଜାତିକ କ୍ଲେଫ୍ଟ ସର୍ଜନ୍, ଆନେସ୍ଥେସିଓଲୋଜିଷ୍ଟ, ନର୍ସ ଏବଂ ଅନ୍ୟ ମେଡିକାଲ୍ ଭଲୁ୍ୟଂଟିଅରମାନେ ଏକାଠି ହୋଇ ଜନ୍ମରୁ ଶିଶୁମାନଙ୍କ ଶରୀରରେ ଥିବା ଏହି ଅବସ୍ଥାର ଚିକିତ୍ସା କରିବେ ବୋଲି ସୋଆ ପରିଚାଳିତ ଇନଷ୍ଟିଚୁ୍ୟଟ୍ ଅଫ ଡେଂଟାଲ୍ ସାଇନସେସର ଡିନ୍ ପ୍ରଫେସର ନୀତା ମହାନ୍ତି ସୋମବାର ଦିନ ଏକ ସାମ୍ବାଦିକ ସମ୍ବିଳନୀରେ କହିଛନ୍ତି । ଆଇଡିଏସର ଓରାଲ୍ ଆଣ୍ଡ ମ୍ୟାକ୍ସିଲୋଫେସିଆଲ୍ ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ଡଃ ଶୋଭନ୍ ମିଶ୍ର ଏହି ଅପରେସନ୍ ସ୍ମାଇଲ୍ ଟିମର ନେତୃତ୍ୱ ନେବେ ଏବଂ ତାଙ୍କୁ ଫିଲିପାଇନ୍ସର ପ୍ଲାଷ୍ଟିକ୍ ସର୍ଜନ ଡଃ ଲୋରା ମେ ଡେ ଗୁଜମାନ୍, ଘାନାର ଆନେସ୍ଥେସିଓଲୋଜିଷ୍ଟସ୍ ଡଃ ଜୋନାସ୍ ଅଉକୁ ଆଫାରି ଏବଂ କ୍ଲେଫଟ ନର୍ସିଂ କେୟାର ଇନଚାର୍ଜ ମିସେଲ୍ ୱିଲିୟମସ ସମେତ ଅନ୍ୟ ଦେଶରୁ ଆସିଥିବା ଅନେକ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ସହାୟତା କରିବେ ବୋଲି ସେ କହିଥିଲେ । ଏକ ସପ୍ତାହ ବ୍ୟାପୀ ହେବାକୁ ଥିବା “ଫୁ୍ୟଚର୍ ଅଫ୍ ସ୍ମାଇଲ୍ସ ମିଶନ୍” କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଏବଂ ଯେଉଁଭଳି ଭାବରେ ଅପରେସନ୍ ସ୍ମାଇଲ୍ ଟିମ୍ କାର୍ଯ୍ୟ କରୁଛି, ଲାଗୁଛି ସାରା ବିଶ୍ୱ ଏକ ବଡ଼ ପରିବାର ବୋଲି ପ୍ରଫେସର ମହାନ୍ତି କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଫେସର ମହାନ୍ତିଙ୍କ ବ୍ୟତିତ ସୋଆ ପରିଚାଳିତ ଇନଷ୍ଟିଚୁ୍ୟଟ୍ ଅଫ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟ୍ ଡ. ପୁଷ୍ପରାଜ ସାମନ୍ତସିଂହାର, ପ୍ରଫେସର (ଡ.) ଶୋଭନ ମିଶ୍ର ଓ ଅପରେସନ ସ୍ମାଇଲର ପରିଚାଳନା ନିର୍ଦ୍ଧେଶକ (ଭାରତ) ଶ୍ରୀ ଅଭିଷେକ ସେନଗୁପ୍ତ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର