ନାଉଗାଁ, ୨୭/୦୮/୨୦୧୯(ଓଡ଼ିଶା ସମାଚାର/ଲିଲନପ୍ରଭା ପାଢ଼ୀ)-ନାଉଗାଁ ବ୍ଳକ ପରିସରରେ ସୋମବାର ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜନ ଶୁଣାଣି ଶିବିରରେ ପ୍ରଥମ ଥର କରି ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଥିଲା ।କାରଣ ଅନେକ ଅଭିଯୋଗ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା । ଏହି ଜନ ଶୁଣାଣିରେ ଆବାସ ଯୋଜନା, ଏମଜି ଏନଆରଜିଏସ ଆଦି ଯୋଜନାରେ କାର୍ଯ୍ୟ ହେଉଥିବା ବିଭିନ୍ନ ବ୍ୟକ୍ତିଙ୍କର ବିଲ ୨ ଦିନ ମଧ୍ୟରେ କରିବାକୁ ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ସରକାରୀ ପଂଜିକୃତ ସାର ଦୋକାନରେ ସାରର ସଠିକ ମୂଲ୍ୟ ମାନଦଣ୍ଡ ଆଦିର ବ୍ୟବହାର କରାଯିବା ସହିତ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକ ଲଗାଇବାକୁ ଅଶୋକସ୍ୱାଇଁ, ଦିଲ୍ଲିପ ପାଢୀ ଆଦି ଅଭିଯୋଗ କରିଥିଲେ । ଅଭିଯୋଗ ଶୁଣିବା ପରେ ବିଭାଗୀୟ ଅଧିକାରୀଙ୍କୁ ଯଥା ଶୀଘ୍ର ଡିଲରମାନଙ୍କୁ ଏବିଷୟରେ ଅବଗତ କରାଇବାକୁ ନିର୍ଦ୍ଧେଶ ଦେଇଥିଲେ । ଏପରିକି ସାର ବିକ୍ରିକରୁଥିବା ଡିଲର ପଂଏଟକୁ ଜିଲ୍ଲାପାଳ ନିଜେ ପରିଦର୍ଶନରେ ଆସିବା ପାଇଁ ମଧ୍ୟ କହିଥିଲେ । ସେହିପରି ନାଉଗାଁ ପ୍ରେସକ୍ଲବ ତରଫରୁ ଜନ ଶୁଣାଣି ପାଇଁ ସଠିକ ପ୍ରଚାର ପ୍ରସାର, ଅଭିଯୋଗକାରୀଙ୍କୁ ଡାଇରୀ ନମ୍ବର ପ୍ରଦାନ କରିବା ଇତ୍ୟାଦି ଉପରେ ଅଭିଯୋଗ କରିଥିଲେ ।ମୁଣ୍ଡାଳ-ବେଣାପଡା ରାସ୍ତା ମରାମତି ପାଇଁ ପ୍ରଦୋଶ ମହାନ୍ତି ଅଭିଯୋଗ କରିଥିଲେ ।ଜାମୁଗାଁ ପଂଚାୟତରେ ଗୋଚର ଜମି ଜବରଦଖଲ,ପଂଚାୟତ କାର୍ଯ୍ୟାଳୟ ନିର୍ମାଣ ପାଇଁ ଜାମୁଗାଁ ସରପଂଚ ଲଲାଟେନ୍ଦୁ ପରିଡା ଅଭିଯୋଗ କରିଥିଲେ ।ଘୋଡାଂଶ ପଂଚାୟତର ଚତୁର୍ଭଜ ମହାନ୍ତି ୨୦୧୪ ମସିହାରୁ ଜମି ଦାଖଲ ଖାରଜ ପାଇଁ ଆବେଦନ କରିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣୁ ନଥିବା ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ପାଇଁ ଜିଲ୍ଲାପାଳ ନିଜେ ତହସିଲ କାର୍ଯ୍ୟାଳୟ ଯାଇ ତଦନ୍ତ କରିଥିଲେ । ସେହିପରି ଗଜରାଜପୁର ସ୍ଥିତ ଗୋପାଳଜିୟୁ ଉ.ପ୍ରା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶିକ୍ଷକ ଉମାକାନ୍ତ ଆଚାର୍ଯ୍ୟଙ୍କର ନିଲମ୍ବନ ପ୍ରତ୍ୟାହାର ଦାବି କରିଥିଲେ । ଅଲଣାହାଟ ଉଚ୍ଚ ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ସହିତ ବିଦ୍ୟାଳୟରେ ଆର୍ଥିକ ସହିତ ମଧ୍ୟାହ୍ନ ଭୋଜନରେ ଅନିୟମିତତା,ଦାୟିତ୍ୱରେ ଥିବା ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ଅନ୍ୟତ୍ର ଡେପୁଟସନରେ ଯାଇଥିବାବେଳେ ତାଙ୍କ ବଦଳରେ ଆସିଥିବା ଶିକ୍ଷକ ନିଯୁକ୍ତ ହେବାର ମାସକ ପରେ ପୁନର୍ବାର ଫେରିଯିବାର କାରଣକୁ ତଦାରଖ ପାଇଁ ବଂଶୀଧର ବେହେରା ଜିଲ୍ଲାପାଳଙ୍କୁ ଅଭିଯାଗ କରିଥିଲେ ।ଏହି ଅଭିଯୋଗ ଶୁଣାଣିରେ ସର୍ବମୋଟ ୧୪୭ଟି ଅଭିଯେଗ ପଂଜିକୃତ ହୋଇଥିଲା । ସେଥିମଧ୍ୟରୁ ୬ଟି ଅଭିଯୋଗର ସମାଧାନ ହୋଇଥିଲା ।ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଗ୍ରାମ୍ୟଉନ୍ନୟନ ବିଭାଗର ଅତିରିକ୍ତ ପ୍ରକଳ୍ପ ଅଧିକାରୀ କୃଷ୍ଣଚନ୍ଦ୍ର ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଶ୍ୱନାଥ ମିଶ୍ର, ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ବିଡିଓ ରଶ୍ମିରେଖା ମଲ୍ଲିକ, ତହସିଲଦାର ଜେ.କଳ୍ପନା ଙ୍କ ସହିତ ସମସ୍ତ ବିଭାଗୀୟ ପଦାଧିକାରୀ ଯୋଗ ଦେଇଥିଲେ । ଅନ୍ୟ ଅଭିଯୋଗ ଗୁଡିକ ଶୀଘ୍ରସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଶା ସମାଚାର