ଭୁବନେଶ୍ୱର , ୨୭/୦୮/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟ, ଡିଗ୍ରୀ କଲେଜ ତଥା ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ମାନଙ୍କରେ ଛାତ୍ରସଂସଦ ନିର୍ବାଚନ ବନ୍ଦ କରିବା ପାଇଁ ରାଜ୍ୟ ସରକାର ଯେଉଁ ନିଷ୍ପତି ନେଇଛନ୍ତି, ତାକୁ ଏ.ଆଇ.ଡି.ଏସ.ଓ ରାଜ୍ୟ ପରିଷଦ ପକ୍ଷରୁ ଦୃଢ଼ ବିରୋଧ କରିବା ସହ ପୂର୍ବଭଳି ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ କରିବା ଦାବିରେ ସୋମବାର ଦିନ ବିଧାନସଭା ସମ୍ମୁଖରେ ଆଇନ ଅମାନ୍ୟ ଆନ୍ଦୋଳନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ପରାଧିନ ଭାରତବର୍ଷରେ ନେତାଜୀ ସୁଭାଷ ଚନ୍ଦ୍ରଙ୍କ ନେତୃତ୍ୱରେ ବି୍ରଟିଶ ବିରୋଧି ସ୍ୱାଧୀନତା ଆନ୍ଦୋଳନର ମଧ୍ୟ ଦେଇ ଛାତ୍ରଛାତ୍ରୀମାନଙ୍କୁ ଛାତ୍ର ସଂସଦ ଗଠନ କରିବାର ଅଧିକାର ମିଳିଥିଲା । ଆଜି ରାଜ୍ୟ ବିଜେଡ଼ି ସରକାର ସେହି ଇତିହାସକୁ ଉପେକ୍ଷା କରି ଛାତ୍ରଛାତ୍ରୀମାନଙ୍କର ଏହି ଗଣତାନ୍ତ୍ରିକ ଅଧିକାରକୁ ଛଡ଼େଇ ନେଉଛନ୍ତି । ଅତୀତରେ ଛାତ୍ରସଂସଦ ନିର୍ବାଚନ ଆମ ରାଜ୍ୟ ତଥା ଦେଶରେ ବହୁ ବରେଣ୍ୟ ଜନନେତା, ସାହିତି୍ୟକ, ବୈଜ୍ଞାନିକ ମାନଙ୍କୁ ସୃଷ୍ଟି କରିଛି । ଭବିଷ୍ୟତରେ ମଧ୍ୟ ଏହା ଅପରିହାର୍ଯ୍ୟ । ଛାତ୍ରାବସ୍ଥାରୁ ଦେଶର ନେତୃତ୍ୱ ଦେବାପାଇଁ ଛାତ୍ର ସଂସଦ ସୁଯୋଗ ସୃଷ୍ଟି କରିଥାଏ । ବର୍ତମାନ ଆମ ରାଜ୍ୟରେ ଦୀର୍ଘ ୧୯ ବର୍ଷ ଧରି ଶାସନ କ୍ଷମତାରେ ଥିବା ରାଜ୍ୟ ବିଜେଡ଼ି ସରକାର ବହୁ ଶିକ୍ଷା ବିରୋଧୀ ନୀତି ପ୍ରଣୟଣନ କରିଛନ୍ତି । ଏହାର ପରିଣାମରେ ରାଜ୍ୟରେ ହଜାର ହଜାର ଶିକ୍ଷକ ଅଧ୍ୟାପକ ପଦ ଖାଲି ପଡ଼ିବା ସହିତ ଶିକ୍ଷାର ଘରୋଇକରଣ-ବ୍ୟବସାୟୀକରଣ ନୀତି ଯୋଗୁ ଲଗାମହୀନ ଫି ବୃଦ୍ଧି ଘଟୁଛି । ଏସବୁ ସମସ୍ୟା ବିରୁଦ୍ଧରେ କାଳେ ଦୁର୍ବାର ଛାତ୍ର ଆନ୍ଦୋଳନ ଗଢ଼ି ଉଠିବ ଏବଂ ସରକାରଙ୍କର ଅପରାଗତ ପଦାରେ ପଡ଼ିଯିବ, ସେହି ଭୟରେ ଆଜି ସରକାର ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବା ପାଇଁ ନିଷ୍ପତି ନେଇଛନ୍ତି । ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରି ପରୋକ୍ଷ ଭାବେ ମନୋୟନ ପ୍ରକି୍ରୟାରେ ଛାତ୍ର ସଂସଦ ଗଠନ ହେଲେ କେବଳ ଶାସକ ଶ୍ରେଣୀ ଏବଂ କର୍ତୃପକ୍ଷଙ୍କର ହାତବାରସୀ, ବୋଲକରା ଛାତ୍ରନେତା ହିଁ ତିଆରି ହେବେ ବୋଲି ଏ.ଆଇ.ଡି.ଏସ.ଓ. ପକ୍ଷରୁ କୁହାଯାଇଛି । ରାଜ୍ୟ ସରକାରଙ୍କର ଏହି ଛାତ୍ର ସଂସଦ ନିର୍ବାଚନ ବାତିଲ କରିବା ନିଷ୍ପତି ବିରୁଦ୍ଧରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ମାନଙ୍କରୁ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିବା ଏହି ଆଇନ ଅମାନ୍ୟ ଆନ୍ଦୋଳନରେ ଏ.ଆଇ.ଡି.ଏସ.ଓ. ରାଜ୍ୟ ସଭାପତି ଗଣେଶ ତିପ୍ରାଠୀ, ସମ୍ପାଦକ ସୁବାସ ନାଏକ, ଉପସଭାପତି ସିଦ୍ଧାର୍ଥ ରଥ, ଜୟନ୍ତ ମହାନ୍ତି, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ନସିମ ସରକାର, କି୍ରଷ୍ଣାରାଣୀ ସାହୁ, ମଧୁସ୍ମିତା ସାହୁ, ରେଖା ଦଣ୍ଡପାଟ, ଶିବାନୀ ଶଙ୍କର ମିଶ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ । ଯଦି ରାଜ୍ୟ ସରକାର ପ୍ରତ୍ୟକ୍ଷ ନିର୍ବାଚନ ବାତିଲ ନିଷ୍ପତି ପ୍ରତ୍ୟାହାର ନ କରନ୍ତି ତେବେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଦୁର୍ବାର ଛାତ୍ର ଆନ୍ଦୋଳନ ଗଢ଼ିତୋଳିବା ପାଇଁ ଏ.ଆଇ.ଡି.ଏସ୍.ଓ. ପକ୍ଷରୁ ଦୃଢ଼ ଚେତାବନୀ ଦିଆଯାଇଛି । ଓଡ଼ିଶା ସମାଚାର
Home / Uncategorized / ଛାତ୍ର ସଂସଦ ନିର୍ବାଚନ ବନ୍ଦ ନିଷ୍ପତି ବିରୁଦ୍ଧରେ ଏ.ଆଇ.ଡି.ଏସ.ଓ. ପକ୍ଷରୁ ଆଇନ ଅମାନ୍ୟ ଆନ୍ଦୋଳନ