ଜଗତସିଂହପୁର, ୨୬/୦୮/୨୦୧୯(ଓଡ଼ିଶା ସମାଚାର)- ନବନିର୍ମାଣ ଯୁବ ଛାତ୍ର ସଂଗଠନର ଜିଲାସ୍ତରୀୟ ସାଙ୍ଗଠନିକ ସମାବେଶ ସ୍ଥାନୀୟ ମାର୍କଣ୍ଡେଶ୍ୱର ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାବେଶରେ ସଂଗଠନର ପ୍ରତିଷ୍ଠାତା ବିଶିଷ୍ଟ କୃଷକ ନେତା ଅକ୍ଷୟ କୁମାର କହିଲେ, ଆଜିର ଯୁବଗୋଷ୍ଠୀ ଆଉ ସ୍ୱାମୀ ବିବେକାନନ୍ଦ, ସୁଭାଷ ଚନ୍ଦ୍ର ବୋଷ, ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେଉନାହାନ୍ତି । ଯୁବ ଛାତ୍ର ସମାଜ ଆଗରେ ଆଦର୍ଶର ଅଭାବ ଯୋଗୁ ପଥଭ୍ରଷ୍ଟ ହେଉଛନ୍ତି । ଯୁବ ଓ ଛାତ୍ରମାନେ ଯଦି ଦେଶ କଥା ନ ଭାବିବେ ତେବେ ଦେଶକୁ ନେତା ଓ ଅମଲା ଲୁଟପାଟ କରିବେ । ନୂଆ ସମାଜ ନିର୍ମାଣରେ ସବୁବେଳେ ଯୁବଛାତ୍ରମାନେ ଅଗ୍ରଣୀ ଭୂମିକା ନେଇଛନ୍ତି । ସମ୍ପୂର୍ଣ୍ଣ ବ୍ୟବସ୍ଥାର ପରିବର୍ତନ ଆନ୍ଦୋଳନ ଭିତରକୁ ଯୁବଛାତ୍ରମାନେ ଲମ୍ଫ ପ୍ରଦାନ କରିବାକୁ ସେ ଆହ୍ୱାନ ଦେଇଥିଲେ । ସଂଗଠନର ସହ ପ୍ରତିଷ୍ଠାତା ଶେଷଦେବ ନନ୍ଦ କହିଲେ ବର୍ଷ ବର୍ଷ ଧରି ସାମାଜିକ ଆନ୍ଦୋଳନ ଓ ଜନଆନ୍ଦୋଳନ ହେଉ ନ ଥିବାରୁ ସଂଘର୍ଷଶୀଳ ଯୁବନେତୃତ୍ୱ ବାହାରୁ ନାହାନ୍ତି । ୩୦ବର୍ଷ ତଳେ ଲଢେଇ ଭିତରୁ ନେତୃତ୍ୱ ବାହାରୁଥିଲେ ଏବେ କେବଳ ଗୋଡାଣିଆ ନେତୃତ୍ୱ ବାହାରୁଛନ୍ତି । ଗୋଡାଣିଆ ନେତୃତ୍ୱ କେବେ ସମାଜ ନିର୍ମାଣ କାମରେ ଆଗେଇ ପାରିବେ ନାହିଁ । ଅସଲ ନେତୃତ୍ୱ ସମାଜ ନିର୍ମାଣ କାମ କରିବା ଭିତରୁ ଆରମ୍ଭ ହୁଏ । ରାଜ୍ୟ ସହସଂଯୋଜକ ରଶ୍ମୀରଞ୍ଜନ ସ୍ୱାଇଁ କହିଲେ, ଓଡିଶାର ଅମୂଲ୍ୟ ପ୍ରାକୃତିକ ସମ୍ପଦ ଓଡିଶା ନିର୍ମାଣରେ ନ ଲାଗି କିଛି ଖଣିମାଫିଆ ଓ ନେତାଙ୍କ ପକେଟ ଗରମ କରୁଛି । ଖଣିମାଫିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉନି ଏଣେ ଖଣି ଲୁଟ ଚାଲିଲାଣି । ଯୁବ ଛାତ୍ର ସମାଜ ଏନେଇ ସଜାଗ ହେବାକୁ ସେ ପରାମର୍ଶ ଦେଇଥିଲେ । ସଂଗଠନ ରାଜ୍ୟ ସଂଯୋଜକ ମନୱର କହିଲେ, ବେକାରମାନେ ଆଉ ଚୁପ ହୋଇ ବସିବେ ନାହିଁ । ଶିକ୍ଷା ପରେ ନିଯୁକ୍ତି ଆନ୍ଦୋଳନରେ ଏଣିକି ସାରା ଓଡିଶାର ଯୁବ ଛାତ୍ର ସ୍ୱର ମିଳାଇବେ । ଯୁବ ଛାତ୍ର ସମାଜକୁ ଯିଏ ଉପେକ୍ଷା କରିବ ସେ ଶାସନ ଗାଦିରେ ରହିପାରିବ ନାହିଁ । ଦେବୀପ୍ରସାଦ ମହାରଣା, ଦୁର୍ଗାଚରଣ ସ୍ୱାଇଁ ବୈପ୍ଳବିକ ସଙ୍ଗୀତ ଗାନ କରିଥିଲେ । ଜିଲା ସଂଯୋଜିକା ଶୁଭାଙ୍ଗୀ ମଧୁସ୍ମିତା ବସ୍ତିଆ ଯୁବ ଛାତ୍ରମାନେ ପାଠ ପଢା ସହ ରାଷ୍ଟ୍ରହିତ କାମରେ ସାମିଲ ହେବା ସହ ସଂଗଠନକୁ ସୁଦୃଢ କରିବାକୁ ଆହ୍ୱାନ ଦେଇଥିଲେ । ଏହି ସମାବେଶରେ ଦେବଦତ ସାହୁ, ପୂଜା ସ୍ୱାଇଁ, ରବିନ୍ଦ୍ର ମଣ୍ଡଳ, ସିପୁନ ରାଉତ, ପ୍ରଜ୍ଞା ପରମିତା ସାହୁ, ଚିନ୍ମୟୀ ଆଚାର୍ଯ୍ୟ, ଶୁଭସ୍ମିତା ବିଶ୍ୱାଳ, କବିତା ଗିରି, ଦିପକ କୁମାର, ରାଜଲକ୍ଷ୍ମୀ ମହାପାତ୍ର, ହିମାଂଶୁ ବିଶ୍ୱାଳ, ପ୍ରଭାସ ପଣ୍ଡା ଓ ଲକ୍ଷ୍ମିପ୍ରିୟା ବେହେରା ପ୍ରମୁଖ ଯୋଗଦେଇଥିଲେ । ଓଡ଼ିଶା ସମାଚାର