ଭୁବନେଶ୍ୱର ,୨୫/୦୮/୨୦୧୯(ଓଡ଼ିଶା ସମାଚାର)-ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟ, ଡିଗ୍ରୀ କଲେଜ ତଥା ଅନୁଦାନପ୍ରାପ୍ତ ମହାବିଦ୍ୟାଳୟମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ପାଇଁ ଅଗଷ୍ଟ ୨୨ ତାରିଖରେ ଯେଉଁ ନିଷ୍ପତି ନିଆଯାଇଛି ତାହାକୁ ଏ.ଆଇ.ଡି.ଏସ୍.ଓ. ତରଫରୁ ଦୃଢ଼ ବିରୋଧ କରାଯିବା ସହ ପୂର୍ବଭଳି ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ କରିବାକୁ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି । ଛାତ୍ର ସଂସଦ ଗଠନ କରିବା ଛାତ୍ର ଛାତ୍ରୀମାନଙ୍କର ଗଣତାନ୍ତ୍ରିକ ଅଧିକାର । ଶିକ୍ଷାନୁଷ୍ଠାନମାନଙ୍କରେ ଦେଖାଦେଉଥିôବା ସମସ୍ୟା ସମ୍ପର୍କରେ କର୍ତୃପକ୍ଷ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାପାଇଁ ଏହା ଏକ ହତିଆର । ରାଜ୍ୟ ତଥା ଦେଶର ଶିକ୍ଷାବିରୋଧୀ ନୀତି ବିରୁଦ୍ଧରେ ଆନ୍ଦୋଳନ ସଙ୍ଗଠିତ କରିବା ପାଇଁ ଛାତ୍ର ସଂସଦ ଅପରିହାର୍ଯ୍ୟ । ଏହି ଅଧିକାର ଆମ ଦେଶରେ ନେତାଜୀ ସୁବାଷ ବୋଷଙ୍କ ନେତୃତ୍ୱରେ ବି୍ରଟିଶ ବିରୋଧୀ ଲଢ଼େଇ ସମୟରେ ବହୁ ସଂଗ୍ରାମ ଫଳରେ ଛାତ୍ରଛାତ୍ରୀମାନେ ହାସଲ କରିଥିଲେ । ଦେଶ ସ୍ୱାଧୀନ ହେବା ପରଠାରୁ ଦେଶର ବହୁ ଶିକ୍ଷାମାରଣ ନୀତିକୁ ପରିବର୍ତନ କରି ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥରେ ଯଥାର୍ଥ ପଦକ୍ଷେପ ନେବାପାଇଁ ଏହି ଛାତ୍ର ସଂସଦ ବହୁଭାବରେ ସରକାରଙ୍କୁ ପ୍ରଭାବିତ କରିଆସିଛି । ଛାତ୍ର ସଂସଦ ଗଠନ କରିବାର ଅଧିକାର ଛାତ୍ରଛାତ୍ରୀଙ୍କୁ କେହି ଦୟାକରି ଦେଇ ନାହିଁ । ସେମାନେ ଏହା ଲଢ଼େଇକରି ହାସଲ କରିଛନ୍ତି । ଦେଶରେ ପ୍ରତ୍ୟେକ ସାଧାରଣ ନିର୍ବାଚନରେ ବହୁପ୍ରକାର ବିଭ୍ରାଟ ଘଟେ । ତେବେ ନିର୍ବାଚନ କେବେ ବନ୍ଦ ହୁଏ ନାହିଁ ବରଂ ଗଣତନ୍ତ୍ରର ମହାପର୍ବ କହି ପ୍ରତ୍ୟେକ ସାଧାରଣ ନିର୍ବାଚନକୁ ସମସ୍ତ ଶକ୍ତିଦେଇ ଅନୁଷ୍ଠିତ କରାଯାଇଥାଏ । ସେହିଭଳି ଯଦି ଛାତ୍ରସଂସଦ ନିର୍ବାଚନରେ ଦୃଷ୍ଟଶକ୍ତି ମାନଙ୍କ ଦ୍ୱାରା ଜାଣିଶୁଣି ଯଦି କିଛି ବିଭ୍ରାଟ ଘଟାଯାଉଛି ତାହାକୁ ଦୂର କରାଯିବାପାଇଁ ପଦକ୍ଷେପ ନିଆଯିବା ଦରକାର । କିନ୍ତୁ ଯେଉଁସବୁ ଭୋଟ ସର୍ବସ୍ୱ ଦଳମାନେ ଛାତ୍ରସଂସଦ ନିର୍ବାଚନରେ ବିଭିନ୍ନ ପ୍ରକାର ଅଘଟଣ ଘଟାଇଥାନ୍ତି ସେହିମାନେ ସରକାରରେ ଆଜି ଅଧିଷ୍ଠିତ ହୋଇ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବା ସପକ୍ଷରେ ମତ ରଖୁଛନ୍ତି ଏବଂ ଗଣମାଧ୍ୟମ ମାନଙ୍କରେ ବିଭିନ୍ନ ପ୍ରକାର ମିଥ୍ୟାକଥା ପ୍ରଚାର କରି ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି । ଯେଉଁ ମୁଷ୍ଟିମେୟ ଦୃଷ୍ଟଶକ୍ତିମାନେ ଛାତ୍ର ସଂସଦ ନିର୍ବାଚନରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ସେମାନଙ୍କୁ ଦଣ୍ଡ ଦିଆଯିବା ଉଚିତ । ମାତ୍ର ସେମାନଙ୍କର ଭୁଲ ପାଇଁ ଲକ୍ଷ ଲକ୍ଷ ସାଧାରଣ ଛାତ୍ରଛାତ୍ରୀଙ୍କର ଛାତ୍ର ସଂସଦ ଗଠନ କରିବାର ଅଧିକାରକୁ ଛଡ଼ାଇ ନିଆଯିବା ଅତ୍ୟନ୍ତ ଅଗଣତାନ୍ତ୍ରିକ ଏବଂ ଶିକ୍ଷା ସ୍ୱାର୍ଥ ବିରୋଧୀ ପଦକ୍ଷେପ ବୋଲି ଏ.ଆଇ.ଡି.ଏସ୍.ଓ. ତରଫରୁ କୁହାଯାଇଛି । ଛାତ୍ରଛାତ୍ରୀଙ୍କ ସାମଗ୍ରୀକ ସ୍ୱାର୍ଥରେ ଛାତ୍ର ସଂସଦ ନିର୍ବାଚନ ବାତିଲ କରାଗଲା ବୋଲି ସରକାରଙ୍କ ଯୁକ୍ତି ସମ୍ପୂର୍ଣ୍ଣ ଅମୂଳକ । ଛାତ୍ରଛାତ୍ରୀଙ୍କ ସାମଗ୍ରୀକ ସ୍ୱାର୍ଥ ପାଇଁ ଆଜି ରାଜ୍ୟରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ପୂରଣ କରାଯାଉ ନାହିଁ । କଲେଜ ଓ ବିଶ୍ୱବିଦ୍ୟାଳୟ ମାନଙ୍କର ଭିତିଭୂମି ବିକାଶ କରାଯାଉ ନାହିଁ । ଫିସ୍ ବୃଦ୍ଧି ଘଟି ଚାଲିଛି, ସରକାରଙ୍କର ସେଥିପ୍ରତି ନିଘା ନାହିଁ । କିନ୍ତୁ ଏହି ସମସ୍ୟା ବିରୁଦ୍ଧରେ କାଳେ ଦୁର୍ବାର ଛାତ୍ର ଆନ୍ଦୋଳନ ଗଢ଼ି ଉଠିବ ଏବଂ ସରକାରଙ୍କ ଅପରାଗତା ପଦାରେ ପଡ଼ିଯିବ ସେଥିପାଇଁ ଆଜି ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବାପାଇଁ ସରକାର ନିଷ୍ପତି ନେଇଛନ୍ତି ବୋଲି ଏ.ଆଇ.ଡି.ଏସ୍.ଓ ପକ୍ଷରୁ ମଧ୍ୟ କୁହାଯାଇଛି । ଭବିଷ୍ୟତରେ ଦେଶରେ ବଡ଼ ଜନନେତା, ସାହିତି୍ୟକ ଏବଂ ସମାଜସେବୀ ସୃଷ୍ଟି କରିବାପାଇଁ ଛାତ୍ର ସଂସଦର ଭୂମିକା ଅତ୍ୟନ୍ତ ଅପରିହାର୍ଯ୍ୟ । ଛାତ୍ରାବସ୍ଥାରୁ ଦେଶର ନେତୃତ୍ୱ ନେବାପାଇଁ ଛାତ୍ର ସଂସଦ ସୁଯୋଗ ସୃଷ୍ଟି କରିଥାଏ । ତେଣୁ ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରି ପରୋକ୍ଷ ଭାବେ ମନୋନୟନ ପ୍ରକି୍ରୟାରେ ଛାତ୍ର ସଂସଦ ଗଠନ ହେଲେ କେବଳ ଶାସକ ଶ୍ରେଣୀ ଓ କର୍ତୃପକ୍ଷଙ୍କର ହାତବାରିସୀ, ବୋଲକରା ଛାତ୍ରନେତା ତିଆରି ହେବେ ବୋଲି ଏ.ଆଇ.ଡି.ଏସ୍.ଓ. ତରଫରୁ କୁହାଯାଇଛି । ସରକାରଙ୍କର ଛାତ୍ର ସଂସଦ ନିର୍ବାଚନ ବାତିଲ ନିଷ୍ପତି ବିରୁଦ୍ଧରେ ଆସନ୍ତା ଅଗଷ୍ଟ ୨୬ ତାରିଖ ଦିନ ଆଇନ୍ ଅମାନ୍ୟ ଆନ୍ଦୋଳନ ସଙ୍ଗଠିତ ହେବ ବୋଲି ଏ.ଆଇ.ଡି.ଏସ୍.ଓ. ତରଫରୁ କୁହାଯାଇଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ଏ.ଆଇ.ଡି.ଏସ୍.ଓ. ରାଜ୍ୟ ସଭାପତି ଗଣେଶ ତି୍ରପାଠୀ, ସମ୍ପାଦକ ସୁବାଷ ନାଏକ, ରାଜ୍ୟ କମିଟି ସଭ୍ୟା ସ୍ୱସ୍ତି ସଙ୍ଗୀତା ଦଳେଇ, ପଲ୍ଲୀ ମଲ୍ଲିକ, ରେଭେନ୍ସାର ଛାତ୍ରନେତା ଆରତୀ ମେହେର, ବାଣୀବିହାର ଛାତ୍ରନେତା ମନୋଜ ପାତ୍ର, ବିଜେବି କଲେଜର ଛାତ୍ରୀ ଅନନ୍ୟା ଅପରାଜିତା ଓ ଅନ୍ୟମାନେ ଉପସ୍ଥିତ ଥିଲେ । ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ ଦାବୀରେ ରାଜ୍ୟବ୍ୟାପୀ ଆନ୍ଦୋଳନ ସଂଗଠିତ କରିବାକୁ ଓଡିଶାର ଛାତ୍ର ସମାଜକୁ ସଂଗଠନ ତରଫରୁ ଆହ୍ୱାନ କରାଯାଇଛି । ଓଡ଼ିଶା ସମାଚାର