ନିଶ୍ଚିନ୍ତକୋଇଲି/ସାଲେପୁର, ୨୪/୦୮/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା): ମହାନଦୀ- ଚିତ୍ରୋତ୍ପଳା ଦ୍ୱୀପାଂଚଳ ସାଲେପୁର ନିଶ୍ଚିନ୍ତକୋଇଲି ବ୍ଲକ୍ ଅଂଚଳର ବହୁ ଚାଷଜମି ଲଘୁଚାପ ବର୍ଷାରେ ଦୀର୍ଘ ୨୦ ଦିନରୁ ଉଦ୍ଧ୍ୱର୍ ହେବ ବୁଡ଼ି ରହିବା ଫଳରେ ରୁଆ ହୋଇଥିବା ଧାନ ଫସଲ ନଷ୍ଟ ହୋଇଯାଇଥିବା ସେଙ୍ଗ ଅନେକ ଚାଷ ଜମିରେ ଧାନ ରୋଇବା କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଫଳରେ ଧାନଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଚିତ୍ରୋତ୍ପଳା ନଦୀରେ ବନ୍ୟା ଆସିବା ଫଳରେ ଦ୍ୱୀପାଂଚଳର ଜଳ ରହଂସ ଓ ପାଳଦା ସ୍ଲୁଇସ୍ ଦେଇ ନିଷ୍କାସିତ ହୋଇପାରୁନାହିଁ । ଫଳରେ ୧୦ ହଜାର ହେକ୍ଟର ଧାନଫସଲ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଚାଷୀମାନେ ଦର୍ଶାଇଛନ୍ତି ଯେ ରହଂସ ଠାରେ ନିର୍ମିତ ସ୍ଲୁଇସ୍ ଗେଟ୍ ର ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ତୃଟିପୂର୍ଣ୍ଣ ହୋଇଥିବାରୁ ବନ୍ୟାଜଳ ଚିତ୍ରୋତ୍ପଳା ନଦୀରେ ଆସିବା କ୍ଷଣି ଦ୍ୱୀପାଂଚଳ ର ଉଦବୃତ ବର୍ଷା ଜଳ ନଦୀକୁ ନିଷ୍କାସନ ହୋଇପାରୁନାହିଁ । ଏହିଭଳି ପ୍ରାୟ ପ୍ରତିବର୍ଷ ବନ୍ୟା ସମୟରେ ଘଟୁଥିଲେ ହେଁ ଜଳ ସଂପଦ ବିଭାଗ ପକ୍ଷରୁ କୈାଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଉନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଏହି ବର୍ଷା ଓ ବନ୍ୟା ଯୋଗୁଁ ନିଶ୍ଚିନ୍ତକୋଇଲି ବ୍ଳକ୍ ର ଜନାର୍ଦ୍ଧନପୁର, କଳମିଶ୍ରି, ସାନ୍ତପୁର, ପାଳଦା, ବାବୁଜଙ୍ଗ, ବନ୍ଧୁପୁର, ସୁଦୁଖଣ୍ଡ, ପୁରୁଣାହାଟ, ରଟିଲୋ, ତରିତୋ ଆଦି ପଂଚାୟତର ଲୋକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଏହି ପରିପ୍ରେକ୍ଷୀରେ କ୍ଷତିଗ୍ରସ୍ତ ଅଂଚଳର ଚାଷୀମାନଙ୍କ ସରକାରୀ ପ୍ରୋତ୍ସାହନ ଓ ସହାୟତା ଯୋଗାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି । ଓଡ଼ିଶା ସମାଚାର