ଭୁବନେଶ୍ୱର, ୨୪/୦୮/୨୦୧୯ ( ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ପୁରୀ ପାଇଁ ୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି । ପୁରୀରେ ଭିତିଭୂମିର ବିକାଶ , ନୂଆ ବହୁ ଥାକିଆ ରାସ୍ତା , ସେତୁ , ପାର୍କିଂସୁବିଧା , ମୂଷା ନଦୀର ପୁନରୁଦ୍ଧାର , ସୁରକ୍ଷା ଜୋନ୍ ରେ ଥିବା କ୍ଷତିଗ୍ରସ୍ତଙ୍କୁ ଥଇଥାନ , ମଠ ଓ ତୀର୍ଥ ପୁଷ୍କରିଣୀ ଗୁଡିକର ପୁନରୁଦ୍ଧାର ଉପରେ ଗୁରୁତ୍ୱ ଦିଆଯାଇଛି । ଶୁକ୍ରବାର ଲୋକସେବା ଭବନ ଠାରେ ଆୟୋଜିତ ଏକ ବୈଠଳରେ ମୁଖ୍ୟମନ୍ତ୍ରୀ ପୁରୀର ଥଇଥାନ ଓ ସୁରକ୍ଷା ନେଇ ସମୀକ୍ଷା କରିଥିଲେ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନକ୍ସା ଦେଖାଇ ପୁରୀର ପରିବର୍ତିତ ଚିତ୍ର ଦେଖାଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତମାନ ବିଶ୍ୱରେ ଆତଙ୍କବାଦ କାର୍ଯ୍ୟକଳାପ ବଡ ସମସ୍ୟା ହୋଇଛି ।ତେଣୁ ପୁରୀ ଶ୍ରୀମନ୍ଦିରର ସୁରକ୍ଷା ଅପରିହାର୍ଯ୍ୟ ହୋଇପଡିଛି ।ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଥିବା ପାଚେରୀ ଠାରୁ ୭୫ ମିଟର ଅଂଚଳକୁ ସୁରକ୍ଷା ଜୋନ୍ କରାଯାଇଛି । ଏହି ଜୋନ୍ ମଧ୍ୟରେ ଯେତେ ସବୁ ବ୍ୟକ୍ତିଙ୍କ ଘର , ଦୋକାନ , ମଠ ରହିଛି ତାହାକୁ ଉଚ୍ଛେଦ କରାଯିବ । କ୍ଷତିଗ୍ରସ୍ତ ହେବାକୁ ଯାଉଥିବା ସମ୍ପୃକ୍ତ ଘର , ଦୋକାନ ମାଲିକ ମାନଙ୍କୁ ଥଇଥାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଶ୍ରୀମନ୍ଦିରର ସୁରକ୍ଷା ପାଇଁ ପୁରୀ ବାସୀଙ୍କୁ ସ୍ୱାର୍ଥ ବଳିଦାନ ଦେବା ଲାଗି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ ଓଡିଆ ଜାତିର ଆତ୍ମା ହେଉଛନ୍ତି ପ୍ରଭୂ ଜଗନ୍ନାଥ । କେହି ତାଙ୍କୁ ଅଲଗା କରିପାରିନାହିଁ କି କରିପାରିବ ନାହିଁ । ବିଶ୍ୱର ମହାନ୍ତିଙ୍କ ତ୍ୟାଗ ଏହି ଜାତି କେବେ ଭୁଲି ନାହିଁ କି ଭୁଲି ପାରିବ ନାହିଁ । ଓଡିଆ ଜାତିର ସଂସ୍କୃତି ଓ ପରମ୍ପରା ମହାପ୍ରଭୂଙ୍କୁ କେନ୍ଦ୍ର କରି ଗଢି ଉଠିଛି । ବିଭିନ୍ନ ଧର୍ମାନୁଷ୍ଠାନକୁ ଆତଙ୍କ ବାଦୀମାନେ ଟୋର୍ଗଟ୍ କରୁଛନ୍ତି । ତେଣୁ ଶ୍ରୀମନ୍ଦିରର ନିରାପତା ପାଇଁ ଆସିଥିବା ସୁପାରିଶକୁ କାର୍ଯ୍ୟକାରୀ କରିବାପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ।
ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ କଥା ଦେଉଛି ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ରେ ଯେଉଁମାନଙ୍କ ଘର ଓ ଦୋକାନ ଯିବ ସେମାନଙ୍କୁ ଥଇଥାନ କରାଯିବ । ଭଙ୍ଗାଯାଇଥିବା ମଠ ପୁଣି ଥରେ ଗଢିବାରେ ରାଜ୍ୟ ସରକାର ସହଯୋଗ କରିବେ । ଅବଢା ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ୧୦୦ କୋଟି ଟଙ୍କା ଯୋଗାଇ ଦେବା ପାଇଁ ନିଷ୍ପତି ନେଇଛନ୍ତି । ମଠ ସଂସ୍କୃତିକୁ ନଷ୍ଟ କରିଦିଆଯିବ ନାହିଁ । ଫନି ଯୋଗୁଁ ପୁରୀରେ ବହୁ କ୍ଷୟକ୍ଷତି ହୋଇଗଲା ତାହା ମତେ ବହୁତ କଷ୍ଟ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ନିକଟରେ ପୁରୀର ଭିତିଭୂମି ବିକାଶ ପାଇଁ ୨୬୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଛି । ପୁରୀର ଐଚ୍ଛିହ୍ୟର ସୁରକ୍ଷା ପାଇଁ ଅଧିକ ୫୦୦ କୋଟି ଟଙ୍କା ମଂଜୁର କରାଯାଇଛି । ଏହି ଭିତିଭୂମିର ବିକାଶ ମଧ୍ୟରେ ନିମ୍ନ ଲିଖିତ ପ୍ରକଳ୍ପ ଅନ୍ତର୍ଭୂକ୍ତ ୧.ଓଡ଼ିଶାର ପୁରୀ ଠାରେ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ୍ ତିଆରି କରାଯିବ । ପୁରୀ ବାଇପାସ୍ ମାଳତୀପାଟପୁର ଠାରୁ ଜଗନ୍ନାଥ ବଲ୍ଲଭ ମଠକୁ ଆହଧୁନିକ ଟ୍ରମ୍ପେଟ ସେତୁ ଦ୍ୱାରା ସଂଯୋଗ କରାଯିବ । ଏଥିପାଇଁ ୧୯୦ କୋଟି ଟଙ୍କା ଖର୍ଚ୍ଚ ହେବ । ୨ . ଜଗନ୍ନାଥ ବଲ୍ଲଭ ମଠରେ ବହୁତଳ ପାର୍କିଂ ସହିତ ଯାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ଯଥା ୧୦ ହଜାର ଲୋକଙ୍କ ପାଇଁ ଧ୍ୟାନ କେନ୍ଦ୍ର ନିର୍ମାଣ କରାଯିବ । ଏଥିପାଇଁ ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ । ୩.ପୋତି ହୋଇଯାଇଥିବା ମୂଷା ନଦୀର ପୁନରୁଦ୍ଧାର କରାଯାଇ ମଙ୍ଗଳା ନଦୀ ସହ ମିଶାଯିବ । ସେଠାରେ ରିଭର ଫ୍ରନ୍ଟ ଟୁରିଜିମ୍ ର ବିକାଶ କରାଯିବ । ଏଥିପାଇଁ ୮୫ କୋଟି ଟଙ୍କା ଖର୍ଚ୍ଚ ହେବ । ୪.ଅଠରନଳାର ବିକାଶ ଓ ସୌନ୍ଦର୍ଯ୍ୟକରରଣ ପାଇଁ ପଦକ୍ଷେପ ନିଆଯିବ । ଏଥିପାଇଁ ୫ କୋଟି ଟଙ୍କା ଖର୍ଚ୍ଚ କରାଯିବ । ୫. ପୁରୀରେ ୨୮ ଏକର ଜମିରେ ଏକ ହ୍ରଦ ନିର୍ମାଣ କରାଯିବ । ଏଥିପାଇଁ ୩୫ କୋଟି ଟଙ୍କା ଖର୍ଚ୍ଚ ହେବ । ୬.ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ରେ ଆସୁଥିବା ମଠ ଗୁଡିକର ସ୍ଥାନାନ୍ତର କରାଯିବ । ୭.ଶ୍ରୀମନ୍ଦିର ନିରାପତା ଜୋନ୍ ରେ ଆସୁଥିବା ଦୋକାନ ଓ ଘର ଗୁଡିକୁ ସ୍ଥାନାନ୍ତର କରାଯିବ । ୮. ପୁରୀରେ ଥିବା ସମସ୍ତ ତୀର୍ଥ ପୁଷ୍କରିଣୀ ଶ୍ୱେତଗଙ୍ଗା , ମାର୍କଣ୍ଡ , ନରେନ୍ଦ୍ର ଓ ଇନ୍ଦ୍ରଦ୍ୟମ୍ନ ପୁଷ୍କରିଣୀ ର ପୁନରୁଦ୍ଧାର କରାଯିବ । ଏହିସବୁ କାର୍ଯ୍ୟ ୨ ବର୍ଷରେ ଶେଷ କରାଯିବ ।
ଏହି ବୈଠଳରେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା , ମୁଖ୍ୟ ଶାସନ ସଚିବ ,ଅସୀତ୍ ତ୍ରିପାଠୀ ,ଉନ୍ନୟନ କମିଶନର ସୁରେଶ ମହାପାତ୍ର , ପୋଲିସ୍ ମହାନିର୍ଦ୍ଧେଶକ ବି.କେ ଶର୍ମା , ଆଇନ୍ ସଚିବ , ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ , ଜିଲ୍ଲାପାଳ , କେନ୍ଦ୍ରାଂଚଳ ଡିଆଇଜି ଓ ଏସପି ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର
