ଭୁବନେଶ୍ୱର,୨୪/୦୮/୨୦୧୯(ଓଡ଼ିଶା ସମାଚାର)-ସମନ୍ୱିତ ଶିଶୁବିକାଶ ଯୋଜନାରେ ରାଜ୍ୟର ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁ, ଗର୍ଭବତୀ ମହିଳା ଏବଂ ପ୍ରସୂତି ମା’ମାନଙ୍କୁ ଅତିରିକ୍ତ ପୁଷ୍ଟିସାଧନ ପାଇଁ ଛତୁଆ ଯୋଗାଣା ପ୍ରକି୍ରୟାରେ ସ୍ୱଚ୍ଛତା ଆଣିବା ଏବଂ ଉକ୍ରୃଷ୍ଟ ମାନ ବଜାୟ ରଖିବା ଲକ୍ଷ୍ୟରେ ପ୍ରତିମାସର ୨୩ ତାରିଖକୁ ଛତୁଆ ମିଶ୍ରଣ ପାଇଁ ସ୍ଥିର କରାଯାଇଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସାରା ରାଜ୍ୟର ୩୩୮ଟି ଆଇସିଡିଏସ୍ ପ୍ରକଳ୍ପ ଅଧୀନରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଦ୍ୱାରା ଛତୁଆ ମିଶ୍ରଣ ପ୍ରକି୍ରୟା ଆରମ୍ଭ କରାଯାଇଛି । ପୂର୍ବରୁ ଜାରି କରାଯାଇଥିବା ସଂଶୋଧିତ ଗାଇଡ୍ ଲାଇନ ଅନୁଯାୟୀ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ସିଡିପିଓ କିମ୍ବା ମିଶନଶକ୍ତିର ପ୍ରୋଗ୍ରାମ ଅଧିକାରୀମାନଙ୍କ ଉପସ୍ଥିତିରେ ନିର୍ଦ୍ଧାରିତ ପରିମାଣର ସାମଗ୍ରୀ ମିଶ୍ରଣ କରି ଛତୁଆ ପ୍ରସ୍ତୁତ କରାଯାଇଛି । କେନ୍ଦୁଝର ଜିଲ୍ଲାରେ ଜିଲ୍ଲାପାଳ ଉପସ୍ଥିତ ରହି ଏହି ଛତୁଆମିଶ୍ରଣ କାର୍ଯ୍ୟର ତଦାରଖ କରିଥିଲେ ।
ପ୍ରକାଶଥାଉକି, ଛତୁଆମିଶ୍ରଣ ପ୍ରସ୍ତୁତି ପାଇଁ ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ
ଏକବର୍ଷିଆ ଚୁକ୍ତିରେ ଚୟନ କରାଯାଇ ଛତୁଆ ପ୍ରସ୍ତୁତି ପାଇଁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି । ଗହମ, ବାଦାମ, ବୁଟ ଏବଂ ଚିନିର ମିଶ୍ରଣରେ ପ୍ରସ୍ତୁତ ଛତୁଆକୁ ୬ମାସରୁ ୩ବର୍ଷ ବୟସର ଶିଶୁ, ଗର୍ଭବତୀ, ପ୍ରସୂତି ଏବଂ ୩ରୁ ୬ବର୍ଷର ଅତିଶୟ ପୁଷ୍ଟିହୀନ ଶିଶୁମାନଙ୍କୁ ଶୁଖିଲା ଖାଦ୍ୟ ଭାବେ ଯୋଗାଇ ଦିଆଯାଉଛି । ଏଣିକି ପ୍ରତିମାସ ୧ତାରିଖରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ମାତୃକମିଟି ଓ ଯାଂଚ କମିଟି ଉପସ୍ଥିତିରେ ଛତୁଆ ବଂଟନ କରାଯିବ । ଛତୁଆ ମିଶ୍ରଣ ପାଇଁ ନିର୍ଦ୍ଧାରିତ ୨୩ ତାରିଖ ଛୁଟିଦିନ ଥିଲେ ମଧ୍ୟ ସେହିଦିନ ହିଁ ଛତୁଆ ମିଶ୍ରଣ ପାଇଁ ଛତୁଆ ମିଶ୍ରଣ କାର୍ଯ୍ୟକ୍ରମ କରାଯିବ । ସାରାରାଜ୍ୟରେ ଜନ୍ମାଷ୍ଟମୀ ପାଇଁ ସରକାରୀ ଛୁଟି ଥିଲେ ମଧ୍ୟ ଛତୁଆମିଶ୍ରଣ କରାଯାଇଛି । ଏହାଦ୍ୱାରା ଛତୁଆଯୋଗାଣ ପ୍ରକି୍ରୟାରେ ଅଧିକ ସ୍ୱଚ୍ଛତା ଆସିବା ସହ ହିତାଧିକାରୀମାନେ ଉନ୍ନତମାନର ଛତୁଆ ପାଇପାରିବେ ବୋଲି ମହିଳା ଓ ଶିଶୁବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଶାବ୍ୟକ୍ତ କରିବା ସହ ଏହି ପ୍ରକି୍ରୟା ସହ ଜଡ଼ିତ ସବୁ ଅଧିକାରୀମାନେ ଗାଇଡଲାଇନର ଅନୁପାଳନ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଓଡ଼ିଶା ସମାଚାର