Friday , September 29 2023
Breaking News
Home / ବିଶେଷ / ଆବର୍ଜ୍ଜନା ପରିବେଶ ମଧ୍ୟରେ ପାଟକୁରା ପଂଚାୟତ କାର୍ଯ୍ୟାଳୟ

ଆବର୍ଜ୍ଜନା ପରିବେଶ ମଧ୍ୟରେ ପାଟକୁରା ପଂଚାୟତ କାର୍ଯ୍ୟାଳୟ

ଗରଦପୁରା ୨୪/୦୮/୨୦୧୯(ଓଡ଼ିଶା ସମାଚାର)- ପାଟକୁରା ସଦର ମହକୁମା ଠାରେ ପାଟକୁରା ଗ୍ରାମ ପଂଚାୟତ ଅଫିସ୍ କାର୍ଯ୍ୟ କରି ଆସୁଛି । ଏହି ପଂଚାୟତ ଅଫିସ୍ ପାଶ୍ୱର୍କୁ ଲାଗି ରହିଛି ଗ୍ରାମର ଦୁଇ ଗୋଟି ଅଙ୍ଗନୱାଡି କେନ୍ଦ୍ର । ଅପରପାଶ୍ୱର୍ରେ ରହିଛି ପାଟକୁରାର ସାପ୍ତାହିକ ହାଟ । ଏହି ସାପ୍ତାହିକ ହାଟ ସପ୍ତାହରେ ଦୁଇ ଦିନ ହାଟପାଳି ବସେ । ପାଟକୁରା ପଂଚାୟତ ଅଫିସ୍ ସାମ୍ନାରେ ରହିଛି ପାନୀୟ ଜଳ ପ୍ରକଳ୍ପର ପମ୍ପ ହାଇସ୍ ଓ ଓଭରହେଡ୍ ପାଣି ଟାଙ୍କି । ବର୍ଷା ଦିନମାନଙ୍କରେ ପଂଚାୟତ ଅଫିସ କୁ ଲାଗି ରହିଥିବା ସ୍ଥାନରେ ବହୁ ପରିମାଣର ବର୍ଷା ପାଣି ଜମି ରହୁଛି । ନିଷ୍କାସନରେ ବହୁ ବିଳମ୍ବ ହେଉଥିବା ଯୋଗୁଁ ଦୀର୍ଘ ସମୟ ଧରି ବର୍ଷା ଓ ଆବର୍ଜ୍ଜନା ପାଣି ଜମା  ହୋଇ ରହୁଥିବାରୁ ସମଗ୍ର ଅଂଚଳରେ ଆବର୍ଜ୍ଜନାମୟ ପରିବେଶ ସୃଷ୍ଟି ହେଉଛି । ଏଭଳି ପରିବେଶକୁ ନେଇ ଅଂଚଳର ବୁଦ୍ଧିଜିବୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ବଜାରର ମୂଖ୍ୟ ରାସ୍ତା ପାଶ୍ୱର୍ରେ ମଧ୍ୟ କୁଢ କୁଢ ଅଳିଆ ଆବର୍ଜ୍ଜନା ପଡି ରହିଛି । ବର୍ଷା ଦିନରେ ସେଗୁଡିକ ପଚିସଢି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ଏ ସମ୍ପର୍କରେ ପ୍ରଶାସନଙ୍କ  ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନାହିଁ । ପ୍ରକାଶ ଯେ,ପାଟକୁରା ପଂଚାୟତ ଅଫିସ୍ ରହିଥିବା ସ୍ଥାନ ହେଉଛି ଏକ ତଳିଆ ଅଂଚଳ ହୋଇଥିବାରୁ ଗ୍ରାମର ବର୍ଷା ପାଣି ଗଡି ଆସି ଏହି ସ୍ଥାନ ମାନଙ୍କରେ ଜମା ହୋଇ ରହିଥାଏ । ଏହି ସ୍ଥାନରୁ ବର୍ଷା ଜଳକୁ ନିଷ୍କାସିତ କରିବା ପାଇଁ ବିଗତ ଦିନରେ ଡ୍ରେନ୍ ନିର୍ମାଣ କରାଯାଇଥିଲେ ମଧ୍ୟ ତାହା କେକେତ ସ୍ଥାନରେ ଅସମ୍ପୂର୍ଣ୍ଣ ଭାବରେ ରହିଥିବାରୁ ବର୍ଷା ପାଣି ନିଷ୍କାସିତ ହୋଇ ପାରୁ ନାହିଁ । ନିର୍ମାଣ କରାଯାଇଥିବା ଡ୍ରେନ୍ ମଧ୍ୟରେ ଆବର୍ଜ୍ଜନା ପଡି ସେଗୁଡିକ ମଧ୍ୟ ଅନେକ ସ୍ଥାନରେ ପୋତି ହୋଇ ପଡିଲାଣି । ଏପରିସ୍ଥଳେ ଏକ ଆବର୍ଜ୍ଜନା ଓ ପୁତିମୟ ଗନ୍ଧ ପରିବେଶ ମଧ୍ୟରେ ପାଟକୁରା ପଂଚାୟତ ଅଫିସ୍ କାର୍ଯ୍ୟ ଚାଲୁଛି । ଏ ସମ୍ପର୍କରେ ପାଟକୁରା ସରପଂଚ ସୂର୍ଯ୍ୟମଣୀ ସେଠୀ ଙ୍କୁ ପଚାରିବାରେ ସେ କହନ୍ତି ଯେ,ଏହି ସମସ୍ୟାକୁ ସମାଧାନ କରିବା ପାଇଁ ପଂଚାୟତ ପ୍ରଶାସନ ବହୁବାର ଚେଷ୍ଠା କରି ଆସୁଛି । ମାତ୍ର ତାହା ସଫଳ ହୋଇ ପାରୁ ନ ଥିବାରୁ ମନରେ କ୍ଷୋଭ ପ୍ରକାଶ ପାଉଛି । ଏହି ସମସ୍ୟାର ସ୍ଥାୟୀ ସମାଧାନ କରାଯିବା ପାଇଁ ଗତ ସ୍ୱାଧିନତା ଦିବସ ପାଳନ ଅବସରରେ ପଂଚାୟତ ଅଫିସ ରେ ସରପଂଚ ଶ୍ରୀ ସେଠୀଙ୍କ ଅଧ୍ୟକ୍ଷତାରେ ସମିତି ସଭ୍ୟା ମମତା ମଲିକ ଓ ପଂଚାୟତର ସମସ୍ତ ୱାର୍ଡ ସଭ୍ୟ/ସଭ୍ୟାମାନଙ୍କୁ ନେଇ ଗ୍ରାମସଭା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଗ୍ରାମସଭା ବୈଠକରେ ପାଟକୁରା ବଜାରରେ ଅପରିଷ୍କାର ଓ ଅପରିଛନତାକୁ ଦୂର କରିବା,ଏଠାରେ ପାଣି ବର୍ଷା ଜମି ରହୁଥିବାରୁ  ଡ୍ରେନେଜ୍ ବ୍ୟବସ୍ଥାକୁ ସଜାଡିବାକୁ ଗୁରୁତ୍ୱ ଦିଆଯିବା,ପଂଚାୟତ ଅଫିସ୍ ପରିସରରେ ପ୍ରାଚୀର ନିର୍ମାଣ କରାଯିବା,ରାସ୍ତା ପାଶ୍ୱର୍ରେ ପଡ଼ିରହିଥିବା କୁଢ କୁଢ ଆବର୍ଜ୍ଜନାକୁ ସ୍ଥାନାନ୍ତର କରାଯିବା ଓ ସାପ୍ତାହିକ ହାଟରେ ପଡି ରହିଥିବା ଆବର୍ଜ୍ଜନା ଗୁଡିକୁ ପରିଷ୍କାର କରାଯିବା ସମ୍ପର୍କରେ ଆଲୋଚନା କରାଯାଇଛି । ଏ ସମ୍ପର୍କରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଶ୍ରୀ ସେଠୀ ପ୍ରକାଶ କରିଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *