କେନ୍ଦ୍ରାପଡା , ୨୩/୦୮/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର କ୍ରୀଡା ଓ କଳା ପ୍ରାଥମିକ ଶିକ୍ଷକ ସଙ୍ଘର ଏକ ବୈଠକ ଶୁକ୍ରବାର ସ୍ଥାନୀୟ କଜଳା ମହାଦେବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୭ବର୍ଷ ଧରି ସ୍ୱଳ୍ପ ଦରମାରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ସେମାନେ ଦାୟିତ୍ୱ ନିର୍ବାହ କରିଆସୁଥିଲେ ମଧ୍ୟ ଏବେ ସରକାର ଏକଶହ ସଂଖ୍ୟାର ଛାତ୍ରଛାତ୍ରୀ ନଥିଲେ ସଂପୃକ୍ତ ବିଦ୍ୟାଳୟର କ୍ରୀଡା ଓ କଳା ପ୍ରାଥମିକ ଶିକ୍ଷକଙ୍କୁ ଛଟେଇ କରାଯିବ ବୋଲି ନିର୍ଦେଶ ଦେଇଥିବାରୁ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସରକାରଙ୍କ ସମସ୍ତ ନୀତି ନିୟମ ଅନୁଯାଇ ଏହି ଶିକ୍ଷକମାନଙ୍କୁ ନିଯୁକ୍ତି କରାଯାଇଥିବା ବେଳେ ଏବେ ସେମାନଙ୍କ ଚାକିରୀକୁ ସ୍ଥାଇ କରାଯିବା ପରିବର୍ତେ ଛଟେଇ କରାଯିବାକୁ ସରକାରଙ୍କ ନିଷ୍ପତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି । ଏହି ନିଷ୍ପତିରୁ ସରକାର କ୍ଷାନ୍ତ ରହିବା ସହିତ ଏକଶହରୁ କମଥିବା ବିଦ୍ୟାଳୟର କ୍ରୀଡା ଓ କଳା ଶିକ୍ଷକମାନଙ୍କୁ ଛଟେଇ ନକରାଯାଇ ଏକଶହ ଛାତ୍ରଛାତ୍ରୀ ସଂଖ୍ୟା ବିଶିଷ୍ଟ ବିଦ୍ୟାଳୟକୁ ବଦଳି କରାଯାଉ ବୋଲି କହିଛନ୍ତି । ନଚେତ ଏହାର ପ୍ରତିବାଦରେ ଆଗାମି ଦିନରେ ଏହି ଶିକ୍ଷକମାନେ ନିଯୁକ୍ତି ପାଇଥିବା ସ୍କୁଲ ଗୁଡିକରେ ଆତ୍ମାହୁତି ଦେବାକୁ ବାଧ୍ୟ ହେବେ ଏବଂ ସେମାନଙ୍କ ପରିବାରର ଦାୟିତ୍ୱ ସରକାର ବହନ କରିବେ ବୋଲି ବୈଠକରେ ନିଷ୍ପତି ନିଆଯାଇଥିବା ସୂଚନା ଦେଇଛନ୍ତି । ନିରାକାର ମହାରଣାଙ୍କ ଆବାହକତ୍ୱରେ ଏବଂ ଜିଲ୍ଲା ସମ୍ପାଦକ ଦିଲ୍ଲିପ କୁମାର ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ରିଜୱାନ ବେଗ, ଶ୍ରାବଣୀ ସ୍ୱାଇଁ, ଅନିତା ଦାସ, କଳ୍ପନା ଦାସ, ବନ୍ଦିତା ପ୍ରିୟଦର୍ଶିନୀ, ଭାଗ୍ୟଶ୍ରୀ ବେହେରା, ରଞ୍ଜିତା ଦାସ, ମୋନାଲିସା ନନ୍ଦ, ଶଶୀରେଖା ସାହୁ, ରିନାମଞ୍ଜରୀ ସାହୁ, ମୋନାଲିସା ରାଉତ ପ୍ରମୁଖ ଶତାଧିକ ଶିକ୍ଷକ/ଶିକ୍ଷୟତ୍ରୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର