କେନ୍ଦ୍ରାପଡା, ୨୩/୦୮/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ବିଲବଳରାମପୁର ମୈାଜାର ଭେଣ୍ଡିକିଆରୀରୁ ଜନୈକ ଅଚିହ୍ନା ମହିଳାଙ୍କ ମୃତଦେହ ଚଳିତ ଅଗଷ୍ଟମାସ ୧୮ ତାରିଖରେ ଉଦ୍ଧାର ହୋଇଥିଲା । ସେହି ଅଚିହ୍ନା ଶବଟି କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଛକନା ଗ୍ରାମର ସୂର୍ଗତ ଅଲେଖ ଚନ୍ଦ୍ର ବିଶ୍ୱାଳଙ୍କ ପତ୍ନୀ ସଶ୍ମିତା ବିଶ୍ୱାଳଙ୍କର ବୋଲି ପରେ ଚିହ୍ନଟ କରାଯାଇଥିଲା । ଗତ ୧୦ତାରିଖ ରାତିରୁ ସଶ୍ମିତା ନିଖୋଜ ଥିଲେ । ଏ ସମ୍ପର୍କରେ ସଦରଥାନାରେ ଅଭିଯୋଗ ହେବା ପରେ ଥାନା କେଶ ନମ୍ବର ୨୩୧/୨୦୧୯ରେ ଆଇପିସିର ଧାରା ୧୨୦(ବି),୩୦୩,୨୦୧ ଓ ୩୪୩ ଦଫାରେ ଏକ ମାମଲା ରୁଜୁ କରାଯାଇଥିଲା । ସେହି ଘଟଣାରେ ସାବତ ମା’ ତଥା ମୃତକ ସଶ୍ମିତା ବିଶ୍ୱାଳ(୩୯)ଙ୍କୁ ହତ୍ୟା କରିଥିବା ଅଭିଯୋଗରେ ସଦର ଥାନା ଅନ୍ତର୍ଗତ ଛକନା ଗ୍ରାମର ତାଙ୍କ ସାବତ ପୁଅ ତଥା ସୂର୍ଗତ ଅଲେଖ ଚନ୍ଦ୍ର ବିଶ୍ୱାଳଙ୍କ ପୁଅ କୁନୁ ଓରଫ ସନ୍ତୋଷ କୁମାର ବିଶ୍ୱାଳ(୨୫),ସାବତ ବୋହୁ ତଥା ସନ୍ତୋଷର ପତ୍ନୀ ଦେବଶ୍ମିତା ପରିଡା ଓରଫ ବିଶ୍ୱାଳ(୨୪) ଏବଂ ସେହି ଗ୍ରାମର ରତ୍ନାକର ନାୟକଙ୍କ ପୁଅ ଦିପୁ ଓରଫ ଦୁଖିଆ ଓରଫ ଦୁଃଖିଶ୍ୟାମ ନାୟକ(୨୨)ଙ୍କୁ ଜିଲ୍ଲା ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ସହାୟତାରେ ଗିରଫ କରାଯାଇ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି । ଏ ସମ୍ପର୍କରେ ଆଜି ସଦର ଥାନାରେ ଆରକ୍ଷୀ ଅଧିକ୍ଷକ ନୀତି ଶେଖର ଏକ ସାମ୍ବାଦିକ ସାମ୍ମିଳନୀ ଡକାଇ ଘଟଣା ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଅଲେଖଙ୍କ ମୃତ୍ୟୁ ପରେ ଅଲେଖଙ୍କ ପୁଅ ସନ୍ତୋଷ ଓ ସାବତ ମା’ ସଶ୍ମିତାଙ୍କ ଭିନେ ହୋଇଯାଇଥିଲେ । ଏହାପରେ ଜମିଜମା ବଂଟାକୁଁଟା ଓ ଅଲେଖଙ୍କ ମୃତ୍ୟୁ ପରେ ସେ ତାଙ୍କ ନାମରେ କରିଯାଇଥିବା ଓ ଅଲେଖଙ୍କ ପତ୍ନୀ ସଶ୍ମିତା ନୋମିନି ଥିବା ୨ଲକ୍ଷ ଟଙ୍କାର ଜୀବନ ବୀମାକୁ ନେଇ ସାବତ ମା’ ସଶ୍ମିତା ଏବଂ ସାବତ ପୁଅ ସନ୍ତୋଷଙ୍କ ମଧ୍ୟରେବିବାଦ ଦେଖାଦେଇଥିଲା । ଏହି ବିବାଦକୁ ନେଇ ୩ରୁ ୪ଥର ପଂଚାୟତ ସ୍ତରୀୟ ବୈଠକ ବସିଥିଲା । ସାବତ ପୁଅ ସନ୍ତୋଷ ୨/୩ଥର ସାବତ ମା’ ସଶ୍ମିତାକୁ ମାରଧର ମଧ୍ୟ କରିଥିଲା । ଜଣେ ସମ୍ପର୍କୀୟ ମାମୁଁ ଏଥିରେ ସନ୍ତୋଷ ଓ ଜ୍ୱାଇଁକୁ ଏଭଳି କରିବାକୁ ପ୍ରର୍ବତାଉଥିଲେ । କାରଣ ସାବତ ମା’ ମରିଗଲେ ସେମାନେ ଉପକୃତ ହେବେ । ଏଥିରେ ଉତ୍ସାହିତ ହୋଇ ଅଭିୁଯୁକ୍ତମାନେ ଏହି ହତ୍ୟାକାଣ୍ଡ ଭିଆଇଥିବା ସ୍ୱିକାର କରିଛନ୍ତି ବୋଲି ଏସପି ଶ୍ରୀ ଶେଖର କହିଥିଲେ । ତେଣୁ ଗତ ୧୦ତାରିଖ ରାତିରେ ଅଭିଯୁକ୍ତମାନେ ସଶ୍ମିତାଙ୍କୁ ତଂଟିଚିପି ମାରିଦେଇ ୨ଟି ବାଇକରେ ଆଣି ବସପୁର ପୋଲନିକଟ ଲୁଣାନଦୀରେ ଶବକୁ ପକାଇଦେଇଥିଲେ । ଯାହା ୧୭ତାରିଖରେ ଏକ ଭେଣ୍ଡିବିଲରେ ଲାଗିବା ପରେ ପୋଲିସ ଶବକୁ ଜବତକରିଥିଲା ଏବଂ ପରେ ଅନୁସନ୍ଧାନ ଜାରି ରହିଥିବା ବେଳେ ସ୍ୱତନ୍ତ୍ର ପୋଲିସ ସ୍କ୍ୱାର୍ଡ ଦ୍ୱାରା ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ଶାଢି,ମୃତକ ଘରର ଚାବି ଓ ୩ଟି ମୋବାଇଲ ଜବତ କରାଯାଇଛି । ସଦର ଥାନା ଅନ୍ତର୍ଗତ ବରଗଡିଆ ଗ୍ରାମର ବାବାଜି ରାଉତଙ୍କ ପୁଅ ଟୁକୁ ଓରଫ ପ୍ରଦୀପ କୁମାର ରାଉତ ନାମକ ଅନ୍ୟଜଣେ ଅଭିଯୁକ୍ତ ଫେରାର ଥିବା ମଧ୍ୟ ସୂଚନା ଦିଆଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ଗାଗାରିନ ମହାନ୍ତି,ସ୍ୱତନ୍ତ୍ର ସ୍କ୍ୱାର୍ଡ ସବଇନିସପେକ୍ଟର ପ୍ରଦୀପ୍ତ କାନୁନଗୋ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର