ସାଲେପୁର, ୨୨/୦୮/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା): ଗ୍ରାମାଂଚଳରେ ଗୃହହୀନ ହିତାଧିକାରୀଙ୍କୁ ତୁରନ୍ତ ଚିହ୍ନଟକରି ଇନ୍ଦିରାଆବାସ ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କର କଡ଼ା ନିର୍ଦ୍ଦେଶ ଥିବା ବେଳେ ସାଲେପୁରରେ ହିତାଧିକାରୀ ଚିହ୍ନଟ ପାଇଁ ଯାଇଥିବା ଜନୈକ ଗ୍ରାମସେବକ ଭିନ୍ନକ୍ଷମ ମହିଳାଙ୍କୁ ତାତ୍ସଲ୍ୟ କରି କହି ର୍ଦୁବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଭିନ୍ନକ୍ଷମ ମହିଳା ଜଣକ ଗ୍ରାମସେବକଙ୍କ ବିରୁଦ୍ଧରେ ଜପକୁଦ ଫାଣ୍ଡିରେ ଏତାଲା ଦେଇଥିବା ଜଣାପଡ଼ିଛି । ଏତାଲାରୁ ପ୍ରକାଶ ସାଲେପୁର ବ୍ଲକ୍ ଓଡ଼ାସିଂହ ପଂଚାୟତର ଧନୁପଡ଼ା ଗ୍ରାମକୁ ସାଲେପୁର ବ୍ଲକ୍ର ଗ୍ରାମସେବକ ରମେଶ ସାହୁ ଗତକାଲି ହିତାଧିକାରୀ ଚିହ୍ନଟ ପାଇଁ ଯାଇଥିଲେ । ଏହି ଗ୍ରାମର ସ୍ୱର୍ଗତ ଦିଗମ୍ବର ପରିଜାଙ୍କ ଝିଅ ଉଷାବାଳା ପରିଜାଙ୍କ ଘରେ ପହଂଚିି ହିତାଧିକାରୀଙ୍କୁ ଡ଼ାକିଥିଲେ । ହିତାଧିକାରୀ ଭିନ୍ନକ୍ଷମ ଉଷାବାଳା ବାହାରକୁ ଆସି ନିଜର ପରିଚୟ ଦେଇଥିଲେ । ତେବେ ଗ୍ରାମସେବକ ରମେଶ ବାବୁ ଉଷାବାଳାଙ୍କୁ ତୋ ଭାଇମାନେ କାହିଁକି ଚଳାଉନାହାନ୍ତି ବୋଲି ପଚାରିଥିଲେ । ମୋ ଭାଇମାନଙ୍କ ସହିତ ମୋର କୈାଣସି ସମ୍ପର୍କ ନାହିଁ । ସେମାନଙ୍କ ବିଷୟରେ ମୋତେ ପଚାର ନାହିଁ । ମୋ କଥା ମୋତେ ପଚାର ବୋଲି ଭିନ୍ନକ୍ଷମ ଉଷାବାଳା ଗ୍ରାମସେବକଙ୍କୁ କହିଥିଲେ । ହଠାତ୍ ଗ୍ରାମସେବକ ରମେଶ ସାହୁ ତାତ୍ସଲ୍ୟ କରି ଛୋଟା ଛୋଟିମାନଙ୍କର ଭାରି ମୁହଁ ଟାଣ ବୋଲି କହିଥିଲେ । ତୋର ଏପରି ମୁହଁ ଯୋଗୁ ତୋ ଭାଇମାନେ ତୋତେ ପଚାରୁ ନାହାନ୍ତି ବୋଲି ଗ୍ରାମସେବକ ଶ୍ରୀ ସାହୁ ଭିନ୍ନକ୍ଷମ ଉଷାବାଳାଙ୍କୁ କହିଥିଲେ । ଉଷାବାଳା ଜଣେ ଚଳତ ଶକ୍ତିହୀନ ଭିନ୍ନକ୍ଷମ ମହିଳା ଅଟନ୍ତି । ଗ୍ରାମସେବକଙ୍କର ଏପରି ତାତ୍ସଲ୍ୟ ର୍ଦୁବ୍ୟବହାର କଥା ଭିନ୍ନକ୍ଷମ ଉଷାବାଳାଙ୍କ ଅନ୍ତରକୁ ବାଧିଥିଲା । ଗ୍ରାମସେବକଙ୍କ ଏପରି ବ୍ୟବହାରରେ ଅତ୍ୟନ୍ତ ମର୍ମାହତ ହୋଇପଡ଼ିଥିବା ଏତାଲାରେ ଉଲ୍ଲେଖ କରିଛନ୍ତି । ଘଟଣା ବିଷୟରେ କଟକ ଜିଲ୍ଲାପରିଷଦ ଅଧ୍ୟକ୍ଷା ଜ୍ୟୋତିରୋଖା ନାୟକଙ୍କୁ ଅବଗତ କରାଇଥିବା ଏତାଲାରେ ଦର୍ଶାଇଛନ୍ତି । ଜିଲ୍ଲାପରିଷଦ ଅଧ୍ୟକ୍ଷା ଘଟଣା ବିଷୟରେ ସାଲେପୁର ବି.ଡ଼ି.ଓ. ଙ୍କୁ ଅବଗତ କରାଇବେ ବୋଲି ଉଷାବାଳାଙ୍କୁ କହି ଆଶ୍ୱାସନା ଦେଇଥିଲେ । ଘଟଣା ବିଷୟରେ ଗ୍ରାମସେବକଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ କହିଲେ ଉଷାବାଳାଙ୍କ ଭାଇମାନେ ମତେ ର୍ଦୁବ୍ୟବହାର କରିଛନ୍ତି , ମୁଁ କିନ୍ତୁ କିଛି କହିନାହିଁ । ଘଟଣା ବିଷୟରେ ସାଲେପୁର ବ୍ଲକ୍ ଉପାଧ୍ୟକ୍ଷ ରମେଶ ଜେନାଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ କହିଲେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପ୍ରକାଶଥାଉକି ଭିନ୍ନକ୍ଷମମାନଙ୍କ ପ୍ରତି ସରକାରୀ କର୍ମଚାରୀମାନେ ସୁବ୍ୟବହାର କରିବା ପାଇଁ କୁହାଯାଉଥିବା ବେଳେ ଏଭଳି ଘଟଣା ଯୋଗୁ ଭିନ୍ନକ୍ଷମମାନଙ୍କ ପ୍ରତି ସରକାରୀ କର୍ମଚାରୀଙ୍କର କିଭଳି ସମ୍ମାନ ରହିଛି ଏହା ତାହାର ଏକ ନମୁନା ଅଟେ । ଓଡ଼ିଶା ସମାଚାର