Wednesday , October 4 2023
Breaking News
Home / ବିଶେଷ / ପୋଲିସ ଏନକାଉଂଟରରେ ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ପାତ୍ର ଆହତ – ପିସ୍ତଲ, ଗୁଳି, ଖୋକା, କାର ଓ ମୋବାଇଲ ଜବତ

ପୋଲିସ ଏନକାଉଂଟରରେ ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ପାତ୍ର ଆହତ – ପିସ୍ତଲ, ଗୁଳି, ଖୋକା, କାର ଓ ମୋବାଇଲ ଜବତ

କଟକ, ୨୨/୦୮/୨୦୧୯(ଓଡ଼ିଶା ସମାଚାର / ଦେବାଶିଷ ରଥ)-ପୋଲିସ ଏନକାଉଂଟରରେ ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ପାତ୍ର ଆହତ ହୋଇଛି । ଏକ  ପିସ୍ତଲ, ୨ ରାଉଣ୍ଡ ଗୁଳି, ୪ ଟା ଖୋକା, କାର ଓ ମୋବାଇଲ ଜବତ ହୋଇଛି । ଆହତ ମନୋଜ କୁକଟକ ବଡ଼ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ପୋଲିସ ଓ ଅପରାଧୀ ମଧ୍ୟରେ ଗୁଳି ବିନିମୟ ବେଳେ ଜଗତପୁର ଥାନା ଅଧିକାରୀ ଓ ଜଣେ କନେଷ୍ଟବଳ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଗତ ଜୁଲାଇ ୨୮ ତାରିଖରେ ଜଗତପୁର ଥାନା ଅନ୍ତର୍ଗତ ଇମାମନଗର ଠାରେ ରହୁଥିବା ଶିଳ୍ପପତି ଗୌତମ ଭର ଙ୍କ ଘରେ ଏକ ବଡ଼ ଧରଣର ଡ଼କାୟତି ହୋଇଥିଲା । ଘରର ମହିଳା ମାନଙ୍କୁ ବାନ୍ଧିପକାଇ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ବହୁ ମୂଲ୍ୟବାନ ଜିନିଷପତ୍ର ଲୁଟ ହୋଇଥିଲା । ଏ ସମ୍ପର୍କରେ ଶ୍ରୀ ଗୌତମ ଜଗତପୁର ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତରୁ ମନୋଜ ଏହି ଡ଼କାୟତିରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା । ତାକୁ ଧରିବା ପାଇଁ ଜଗତପୁର ଥାନା ପୋଲିସ ଜାଲ ବିଛାଇଥିଲା । ଗତକାଲି ଦିନବେଳା କଟକ ସହରରେ  ବୋମା ମାଡ଼ ହୋଇଥିଲା । ସେଥିପାଇଁ ପୋଲିସ ସତର୍କ ଥିଲା । ସନ୍ଧ୍ୟା ପରେ ମନୋଜ କେନ୍ଦ୍ରାପଡ଼ା କେନାଲ ବନ୍ଧ ରାସ୍ତା ରେ କେନ୍ଦ୍ରାପଡ଼ା ଆଡ଼କୁ ଯାଉଥିବା କୌଣସି ସୂତ୍ରରୁ ପୋଲିସ ନିକଟରେ ଖବର ପହଂଚିଥିଲା ।  ତୁରନ୍ତ ଜଗତପୁର ଥାନା ଆଇଆଇସି ପ୍ରଦୀପ୍ତ କିଶୋର ନାୟକ ଓ ତାଙ୍କ ଥାନା ର ଅନ୍ୟ କର୍ମଚାରୀଙ୍କୁ ନେଇ କେନ୍ଦ୍ରାପଡ଼ା କେନାଲ ବନ୍ଧ ରାସ୍ତାରେ ପହଂଚିଥିଲେ । ଏକ ନାଲି ରଙ୍ଗର କାର ରେ ମନୋଜ ଯାଉଥିବା ଦେଖି ତାକୁ ଅଟଳାଇବାକୁ ଉଦ୍ୟମ କରିଥିଲେ । ମନୋଜ ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲା । ପୋଲିସ ଓ ଅପରାଧୀ ଗୁଳି ବିନିମୟ ବେଳେ ଜଗତପୁର ଥାନା ଆଇଆଇସି ଶ୍ରୀ ମହାପାତ୍ର ଓ କନେଷ୍ଟବଳ ସୁରେନ୍ଦ୍ର କୁମାର ବେହେରା ଆହତ ହୋଇଥିଲେ ।  ଆତ୍ମରକ୍ଷା ପାଇଁ ଆଇଆଇସି ଶ୍ରୀ ମହାପାତ୍ର ପାଲଟା ଗୁଳି ଚଳାଇବାରୁ ମନୋଜର ଗୋଡ଼ରେ ଗୁଳି ବାଜିଥିଲା । ଆହତ ହୋଇ ମନୋଜ ଆଉ ଖସିପାରିନଥିଲା । ତାକୁ କାବୁ କଲାପରେ ତା ନିକଟରୁ ଏକ ପିସ୍ତଲ, ୨ ରାଉଣ୍ଡ ଗୁଳି ଜବତ କରାଯିବା ସହ ଘଟଣାସ୍ଥଳରୁ ୪ ଟି ଖୋକା, ମନୋଜ ର କାର ଓ ମୋବାଇଲ ଜବତ କରାଯାଇଥିଲା । ଆହତ ମନୋଜକୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ମନୋଜ ନାମରେ ୧୮ ରୁ ଅଧିକ ମାମଲା ରହିଥିବା ପୋଲିସ୍ ସୂତ୍ରରୁ ପ୍ରକାଶ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *