ପାରାଦ୍ୱୀପ ୨୨/୦୮/୨୦୧୯(ଓଡ଼ିଶା ସମାଚାର)- ଗତ ଅଗଷ୍ଟ ୧୭ତାରିଖରେ ଅପହରଣ ହୋଇଥିବା ୭୫ଦିନର ଏକ ଶିଶୁପୁତ୍ରକୁ ମଙ୍ଗଳବାର ରାତିରେ ପାରାଦ୍ୱୀପ ପୋଲିସ ଉଦ୍ଧାର କରିବା ସହ ଅପହରଣକାରିଣୀ ଜଣେ ଚାକରାଣୀକୁ ପାରାଦ୍ୱୀପ ଆଦର୍ଶ ଥାନା ପୋଲିସ୍ ଗିରଫ କରିଛି । ଖବରରୁ ପ୍ରକାଶ ଯେ, ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ତିତିରା ଗ୍ରାମର ଶତ୍ରୁଘ୍ନ ସାମଲ ଓ ତାଙ୍କ ପତ୍ନୀ ନିଜର ଅଢେଇ ମାସ ଶିଶୁପୁତ୍ର ସମେତ ପାରାଦ୍ୱୀପରେ ନିଜ ବନ୍ଧୁଘର କୃଷ୍ଣଚନ୍ଦ୍ର ପୃଷ୍ଟିଙ୍କ ଘରକୁ ଅଗଷ୍ଟ ମାସ ୧୭ତାରିଖ ଦିନ ବୁଲିବାକୁ ଆସିଥିଲେ । ତେବେ ତିନିଦିନ ପୂର୍ବରୁ କୃଷ୍ଣଙ୍କ ଘରେ ଘରକାମ କରିବା ପାଇଁ ନିଯୁକ୍ତ ହୋଇଥିବା ମାନିନୀ ସାହୁ ନାମ୍ନି ଜନୈକ ମହିଳା ଶତ୍ରୁଘ୍ନଙ୍କ ଶିଶୁପୁତ୍ରକୁ ଖେଳାଇବା ବାହାନାରେ ଅପହରଣ କରି ନିଜର ମୋବାଇଲ ସୁଇଚ ବନ୍ଦ କରି କେଉଁଆଡେ ଅର୍ନ୍ତଧ୍ୟାନ ହୋଇଯାଇଥିଲା । ବହୁ ଖୋଜାଖୋଜି ପରେ ଘଟଣାର ପରଦିନ ଶତ୍ରୁଘ୍ନ ପାରାଦ୍ୱୀପ ଆଦର୍ଶ ଥାନାରେ ଏ ବାବଦରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇଲା ପରେ ପାରାଦ୍ୱୀପ ପୋଲିସ ତୁରନ୍ତ ପଦକ୍ଷେପ ନେଇଥିଲା । ଏ ଅପହରଣ ଘଟଣାର ବିଭିନ୍ନ ଦିଗ ଉପରେ ଅନୁସନ୍ଧାନ କରି ପାରାଦ୍ୱୀପ ଥାନାଧିକାରୀ ରଜନୀକାନ୍ତ ସାମଲଙ୍କ ତତ୍ୱାବଧାନରେ ଏସଆଇ ପଦ୍ମାଳୟା ପ୍ରଧାନଙ୍କ ନେତୃତ୍ୱରେ ଚାରୋଟୀ ଟିମ୍ ଗଠନ ହୋଇ ମଙ୍ଗଳବାର ଦିନ ରାତିରେ କେନ୍ଦ୍ରପଡା ଜିଲ୍ଲାର ମହାକାଳପଡା ନିକଟସ୍ଥ ସୁନିତି ଓ ବିଭିନ୍ନ ଗ୍ରାମରେ ଚଢାଉ କରି ଶିଶୁପୁତ୍ରକୁ ଉଦ୍ଧାର କରିବା ସଙ୍ଗେ ସଙ୍ଗେ ଅପହରଣ କାରିଣୀ ମାନିନୀକୁ ଗିରଫ କରିଥିଲେ । ମାନିନୀକୁ ପାରାଦ୍ୱୀପ ଥାନାରେ ପଚାରା ଉଚୁରା ପାଇଁ ରଖାଯାଇଥିବା ବେଳେ ବୁଧବାର ଦିନ ଉଦ୍ଧାର ପାଇଥିବା ଶିଶୁପୁତ୍ରକୁ ପୋଲିସ ଜଗତସିଂହପୁର ସ୍ଥିତ ଶିଶୁ ମଙ୍ଗଳ କମିଟିର ଜିମା ଦେଇଛି । ଏବଂ ପରୀକ୍ଷା ନିରୀକ୍ଷା ପରେ ଶିଶୁଟିକୁ ତା ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ଶିଶୁ ପୁତ୍ରକୁ ପାଇବାର ଆଶା ହାରାଇଥିବା ବାପ ମାଆ ପିଲାଟିକୁ ପାଇବା ପରେ ଖୁସିରେ ବିଭୋର ହୋଇଉଠିଥିଲେ ଏବଂ ଏଥିପାଇଁ ସେମାନେ ଥାନାଧିକାରୀ ଶ୍ରୀ ସାମଲ ଓ ଏସଆଇ ପ୍ରଧାନଙ୍କ ସମେତ ପାରାଦ୍ୱୀପ ପୋଲିସକୁ ଧନ୍ୟବାଦ ଅର୍ପଣ କରିଛନ୍ତି । ତେବେ ଥାନାଧିକାରୀ ଶ୍ରୀ ସାମଲଙ୍କ ଚତୁରତା ଓ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ଶିଶୁଟି ଉଦ୍ଧାର ପାଇଲା ବୋଲି ସାଧାରଣରେ ଚର୍ଚ୍ଚା ହେବା ସହିତ ଭୁୟସୀ ପ୍ରଂଶସା କରାଯାଇଛି । ଏଠାରେ ସୂଚନା ଥାଉକି ଶ୍ରୀ ସାମଲ ନିଜର କାର୍ଯ୍ୟଦକ୍ଷତା ପାଇଁ ଆସନ୍ତା ୨୦୨୦ ମସିହା ମସିହା ଜାନୁଆରୀ ୨୬ ତାରିଖରେ ରାଷ୍ଟ୍ରପତି ପଦକ ପାଇବା ପାଇଁ ମନୋନୀତ ହୋଇଛନ୍ତି । ଓଡ଼ିଶା ସମାଚାର\n\n