ଖୋରଧା ୨୨/୦୮/୨୦୧୯(ଓଡ଼ିଶା ସମାଚାର)- ନିଖିଳ ଉତ୍କଳ ଆଇନଜୀବି ସଂଘର ରାଜ୍ୟସ୍ତରୀୟ ତୃତୀୟ କାର୍ଯ୍ୟକାରିଣୀ ବୈଠକ ରାଜ୍ୟ ସଭାପତି ବିଚିତ୍ର କୁମାର ବଡ଼ଜେନାଙ୍କର ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସାଧାରଣ ସମ୍ପାଦକ ସତ୍ୟଜିତ ସାହୁ ବୈଠକରେ ବିବରଣୀ ଉପସ୍ଥାପନ କରିଥିଲେ । ଏହି ବୈଠକରେ ସର୍ବସମ୍ମତି କ୍ରମେ ବିଭିନ୍ନ ପ୍ରସ୍ତାବମାନ ଗୃହିତ ହୋଇଥିଲା । ସେଥିମଧ୍ୟରୁ ପ୍ରଶାସନିକ ଟ୍ରିବ୍ୟୁନାଲ ଉଚ୍ଛେଦ ଯୋଗୁଁ ଜନସାଧାରଣ ତଥା ଆଇନଜୀବିମାନେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିବାରୁ ତାର ପ୍ରତିବାଦ କରାଯାଇଛି । ସରକାରୀ ଚିକିତ୍ସାଳୟ ମାନଙ୍କରେ ଆଇନଜୀବି ଏବଂ ତାଙ୍କ ପରିବାର ସଦସ୍ୟମାନଙ୍କ ପାଇଁମାଗଣାରେ ଚିକିତ୍ସା ନିମନ୍ତେ ସ୍ୱାସ୍ଥ୍ୟ କାର୍ଡ଼ ପ୍ରଦାନ କରିବା ,ଓଡ଼ିଶାର ସମସ୍ତ ଟୋଲଗେଟ ଦେଇ ଯାଉଥିବା ଆଇନଜୀବିମାନଙ୍କର ଚାରି ଚକିଆ ଗାଡ଼ି ପାଇଁ ପାସ୍ ବ୍ୟବସ୍ଥା, ୭୦ବର୍ଷ ପରେ ଅବସର କିମ୍ବା ଆଇନ ପେସାରୁ ଅବ୍ୟାହତିନେବାକୁ ଚାହୁଁଥିବା ଆଇନଜୀବି ମାନଙ୍କୁ ବାର କାଉନସିଲ ମାଧ୍ୟମରେ ପେନସନ୍ ପ୍ରଦାନ କରିବା, ନିଖିଳ ଉତ୍କଳ ଆଇନଜୀବି ସଂଘର ରାଜ୍ୟ କାର୍ଯ୍ୟାଳୟ ପାଇଁ ସରକାରୀ ଗୃହ ଯୋଗାଇ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ଓ ସାଧାରଣ ପ୍ରଶାସନ ବିଭାଗ ସଚିବ ତଥା କମିଶନର ଚିଠି ଦିଆଯାଇଥିଲେ ମଧ୍ୟ କୋ÷ଣସି ସୁଫଳ ମିଳି ପାରି ନଥିବାଯୋଗୁଁ ଏକ ପ୍ରତିନିଧି ମଣ୍ଡଳ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାପାଇଁ ନିଷ୍ପତି, ଯୁବ ଆଇନଜୀବିମାନଙ୍କ ପାଇଁ ମାସିକ ୧୦ହଜାର ଟଙ୍କା ଷ୍ଟାଇପେଣ୍ଡ ଦେବାକୁ ରାଜ୍ୟ ସରକାରଙ୍କ ନିକଟରେ ଗତ ଫେବୃୟାରୀ ୧୧ ଓ ୧୨ ତାରିଖରେ ଆଇନଜୀବି ମାନଙ୍କ ତରଫରୁ ଏକ ଦାବି ପତ୍ର ଦିଆଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ପାରି ନଥିବା ପ୍ରଭୃତି ଦାବିଗୁଡ଼ିକ ପୂରଣ ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବମାନ ଗୃହିତ ହୋଇଥିଲା । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ପ୍ରଦୀପ କୁମାର ପଣ୍ଡା,ଅକ୍ଷୟ କୁମାର ପତି, ସୁଶାନ୍ତ କୁମାର ବରାଳ, ହରି ନାରାୟଣ ସ୍ୱାଇଁ, ଜୁଲିୟସ ସିଜର ମହାକୁଡ଼, ଗୋବର୍ଦ୍ଧନ ସାହୁ,ଜ୍ୟୋତିପ୍ରକାଶ ରଥ ଉପଦେଷ୍ଟା ଶିଶିର କୁମାର ପାଢୀ,ନିରଞ୍ଜନ ନାୟକ, ପିତବାସ ପଣ୍ଡା, ଧୃବଚରଣ ଜେନା,ରବିନାରାୟଣ ସ୍ୱାଇଁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣକରିଥିଲେ । ଏହା ବ୍ୟତୀତ ବାରିପଦା ବାର ଆସେସିଏସନ ର ସଭାପତି ସାନ୍ତନୁ କୁମାର ଦାସ, ଉପସଭାପତି ସମ୍ପାଦକ,ସହ ସମ୍ପାଦକ ଓ କାର୍ଯ୍ୟକାରୀ ପରିଷଦର ସଭ୍ୟମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର\n