ଗରଦପୁରା ୨୧/୦୮/୨୦୧୯(ଓଡ଼ିଶା ସମାଚାର)- ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଚଳିତ ଖରିଫ ରୁତୁ ୨୦୧୯ରେ ଚାଷୀମାନଙ୍କର ବଳକା ଧାନ ବିକ୍ରୟ କରାଯିବା ପାଇଁ ସେବା ସମବାୟ ସମିତିଗୁଡିକରେ ଚାଷୀମାନଙ୍କ ନାମ ପଞ୍ଜିକରଣ କାର୍ଯ୍ୟ କରାଯାଉଛି । ଏହି ପଞ୍ଜିକରଣ କାର୍ଯ୍ୟ ଅଗଷ୍ଟ ମାସର ୬ ତାରିଖ ଠାରୁ ଆରମ୍ଭ କରାଯାଇ ଅଗଷ୍ଟ ମାସର ୩୧ ତାରିଖ ସୁଦ୍ଧା ଶେଷ କରାଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗରଦପୁର ବ୍ଳକ ଅନ୍ତର୍ଗତ ବେଡାରୀ ସେବା ସମବାୟ ସମିତିରେ ତିନିଗୋଟି ପଞ୍ଚାୟତ ଅଧିନରେ ଥିବା ମୋଟ ୧୪ଗୋଟି ଗ୍ରାମର ସଂଖ୍ୟାଧିକ ଚାଷୀମାନେ ଅଭାବୀ ବିକ୍ରିରୁ ମୁକ୍ତି ହୋଇ ଏହି ମଣ୍ଡିରେ ଧାନ ବିକ୍ରୟ କରିବାକୁ ନିର୍ଭର କରିଥାଆନ୍ତି । ମାତ୍ର ଆଜି ସୁଦ୍ଧା ଏହି ସେବା ସମବାୟ ସମିତିରେ କୌଣସି ଜଣେ ବି ଚାଷୀ ନାମ ପଞ୍ଜି କରଣ କରି ନାହାଁନ୍ତି । ବର୍ତମାନ ଚାଷ କାର୍ଯ୍ୟ କରାଯାଉଥିବାରୁ ଚାଷୀ ସମବାୟ ସମିତିକୁ ଯାଇ ନାମ ପଞ୍ଜି କରଣ କରିବା ସମ୍ବବ ହେଉ ନ ଥିବା ବେଳେ, ଅପରପକ୍ଷରେ ଚାଷୀମାନଙ୍କ ନାମ ପଞ୍ଜିକରଣ ପତ୍ରରେ ଯେଉଁ ତଥ୍ୟ ପ୍ରଦାନ କରାଯିବାକୁ ଦିଆଯାଇଛି, ସେଥିରେ ଚାଷୀ ତଥ୍ୟ ପ୍ରଦାନ ପାଇର୍ ଆଶଙ୍କା ପ୍ରକାଶ କରିଛନ୍ତି । ଜଣେ ଚାଷୀ ନାମ ପଞ୍ଜିକରଣ କରିବାକୁ ହେଲେ ସେଥିରେ ଆଧାର କାର୍ଡ ନକଲ,ବ୍ୟାଙ୍କ ପାସ୍ ବୁକ୍,ଚାଷ ଜମି ପଟ୍ଟାର ନକଲ, ରାସନ କାର୍ଡ ପ୍ରମାଣ ପତ୍ର,ଭୋଟର କାର୍ଡର ନକଲ,ମୋବାଇଲ ନମ୍ବର ଓ ଭାଗ ଚାଷୀ ହୋଇଥିଲେ ଜମି ମାଲିକଙ୍କ ସହମତି ପତ୍ର ବା ସ୍ଥାନିୟ ସରପଞ୍ଚଙ୍କ ଅନୁମତି ପତ୍ର ଆବଶ୍ୟକ ବୋଲି ବେଡାରୀ ସେବା ସମବାୟ ସମବାୟ ସମିତି ପକ୍ଷରୁ ଜଣାଯାଇଛି । ମାତ୍ର ଏହି ସବୁ କାଗଜ ପତ୍ର ଓ ତଥ୍ୟ ଚାଷୀ ନାମ ପଞ୍ଜିକରଣରେ ଦେଲେ ,ସେଥିରେ ରାସନ କାର୍ଡ କଟି ଯିବ ବୋଲି ଭୟଭିତ ହୋଇ ଚାଷୀମାନେ ଧାନବିକ୍ରୟ କରିବା ପାଇଁ ପଞ୍ଜି କରଣ କରୁ ନ ଥିବା ନେଇ ଚାଷୀ ମହଲରେ ଆଲୋଚନା ହେଉଛି । ଚାଷୀ ଜମିରେ ଅକ୍ଳାନ୍ତ ପରିଶ୍ରମ କରି ଯେଉଁ ବଳକା ଧାନ ଗଣ୍ଡାକ ଅମଳ କରିବ ବହାର ବଜାର ଠାରୁ ଅଧିକ ଦୁଇ ପଇସା ପାଇବା ଆଶାରେ ତାହାକୁ ନେଇ ମଣ୍ଡିରେ ବିକ୍ରୟ କରିବ ବୋଲି ଯେଉଁ ଆଶ ରଖିଥିଲା, ଏବେ ରାସନ କାର୍ଡ କଟି ଯିବାର ଭୟରେ ମଣ୍ଡିକୁ ଯାଇ ଚାଷୀ ଧାନ ବିକ୍ରୟ କରିବାକୁ ନାମ ପଞ୍ଜି କରଣ କରୁ ନ ଥିବା ଆଲୋଚନା ହେଉଛି । ଏପରିସ୍ଥଳେ ପ୍ରଶାସନଙ୍କ ପକ୍ଷରୁ ଚାଷୀମାନଙ୍କୁ ସେମାନଙ୍କର ଭୟ ଦୁର କରିବାକୁ ପଦକ୍ଷେପ ନେବାକୁ ଚାଷୀମାନଙ୍କ ପକ୍ଷରୁ ଦାବି ହେଉଛି । ଧାନ ବିକ୍ରୟ କରାଯିବା ପାଇଁ ଯଦି କଟକଣା ଦୂର କରା ନ ଯାଏ ସେବା ସମବାୟ ସମିତିଗୁଡିକରେ ବହୁ କମ୍ ସଂଖ୍ୟକ ଚାଷୀମାନେ ସେମାନଙ୍କ ନାମ ପଞ୍ଜିକରଣ କରିବେ ଓ ଆଗାମୀ ଦିନରେ ପୁନ୍ନର୍ବାର ସଂଖ୍ୟାଧିକ ଚାଷୀମାନେ ଅଭାବୀ ଧାନ ବିକ୍ରୀ ଭଳ ସମସ୍ୟା ସୃଷ୍ଟି ହେବ ବୋଲି ବରିଷ୍ଟ ଓ ଅଭିଜ୍ଞ ଚାଷୀମାନେ ମତ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର