Friday , October 22 2021
Breaking News
Home / ବିଶେଷ / କେନ୍ଦ୍ରାପଡା ପଂଚାୟତ ସମିତିର ୬ଷ୍ଠ ବୈଠକ

କେନ୍ଦ୍ରାପଡା ପଂଚାୟତ ସମିତିର ୬ଷ୍ଠ ବୈଠକ

ପ୍ଲାଷ୍ଟିକ ଓ ପଲିଥିନ ବର୍ଜନ ପାଇଁ ଆହ୍ୱାନ ଦେଲେ ବିଧାୟକ ଶଶୀଭୂଷଣ
କେନ୍ଦ୍ରାପଡା ୨୧/୦୮/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପଂଚାୟତ ସମିତିର ଷଷ୍ଠ ବୈଠକ ବ୍ଲକ କାର୍ଯ୍ୟାଳୟର ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ପଂଚାୟତ ସମିତି ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଯୋଗଦେଇ ପ୍ଲାଷ୍ଟିକ ଓ ପଲିଥିନ ବର୍ଜ୍ଜନ ପାଇଁ ଆହ୍ୱାନ ଦେବା ସହିତ ବିକାଶ ଓ ସ୍ୱଛତା ସମସ୍ତ ଜନପ୍ରତିନିଧିଙ୍କର ମୂଳମନ୍ତ୍ର ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । କେନ୍ଦ୍ରାପଡା ବ୍ଲକକୁ ସାରା ରାଜ୍ୟରେ ଏକ ଅଗ୍ରଣୀ ଓ ଶ୍ରେଷ୍ଠ ବ୍ଲକ ଭାବେ ଗଢିତୋଳିବାକୁ ସମସ୍ତ ଜନପ୍ରତିନିଧିଙ୍କ ଉଦ୍ୟମକୁ ବିଧାୟକ ଶ୍ରୀ ବେହେରା ସହଯୋଗ ରହିବ ବୋଲି କହିଥିଲେ । ଏତଦଭିନ୍ନ ଜନପ୍ରତିନିଧିଙ୍କ ମଧ୍ୟରେ ମତାନ୍ତର ରହୁ କିନ୍ତୁ ମନାନ୍ତର ନରହିବା ଉଚିତ ବୋଲି ବିଧାୟକ ଶ୍ରୀ ବେହେରା କହିଥିଲେ । ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ଯୋଗଦେଇ କହିଥିଲେ ଯେ ସମସ୍ତ ସରକାରୀ ଯୋଜନାର ସଫଳତା ପାଇଁ ସବୁ ସରକାରୀ ଲୋକାଭିମୁଖି ଯୋଜନା ଗୁଡିକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଁଚିବା ନିମନ୍ତେ ଜନପ୍ରତିନିଧି ଓ ସରକାରୀ ଅଧିକାରୀମାନେ ଟାଳଟୁଳ ନୀତି ଅବଲମ୍ବନ ନକରିବାକୁ ପରାମର୍ଶ ଦେଇଥିଲେ । ବୈଠକରେ ବିଭିନ୍ନ ସରକାରୀ ଯୋଜନାର ଅନୁଦାନକୁ ପଂଚାୟତ ସମିତିର ଉନ୍ନତି କଳ୍ପେ ବ୍ୟୟ କରାଯିବାକୁ ସର୍ବସମ୍ମତିକ୍ରମେ ନିଷ୍ପତି ଗ୍ରହଣ କରାଯାଇଥିଲା । ବଳକା ସମିତି ଅଂଶ ଅନୁଦାନକୁ ସମତି ସଭ୍ୟ/ସଭ୍ୟାମାନଙ୍କ ମଧ୍ୟରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ମାଧ୍ୟମରେ ବଂଟନ କରାଯିବାକୁ ଅଧ୍ୟକ୍ଷଙ୍କ ଉପରେ ସର୍ବସମ୍ମତିକ୍ରମେ ଦାୟିତ୍ୱ ଅର୍ପଣ କରାଯାଇଥିଲା । ସମିତି ବୈଠକରେ ବାରମ୍ବାର ବିଭିନ୍ନ ଲାଇନ ଡିପାର୍ଟମେଂଟର ଅଧିକାରୀମାନେ ଅନୁପସ୍ଥିତ ରହୁଥିବାରୁ ସେଥିନିମନ୍ତେ କ୍ଷୋଭ ପ୍ରକାଶ କରାଯିବା ସହ ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଆସନ୍ତା ଗୁରୁବାର ଠାରୁ ବ୍ଲକର ସମସ୍ତ ପଂଚାୟତରେ “ମୋ ପଂଚାୟତ ଅଭିଯାନ”କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ । ଏଥିରେ ଜଳ ସଂରକ୍ଷଣ,କଠିନ ବର୍ଜ୍ୟବସ୍ତୁ ପରିଚାଳନା, ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଜି.ପି.ଡି.ପି.ପ୍ଲାନ ପ୍ରସ୍ତୁତ କରାଯିବା ସହିତ ସଚେତନତା କାର୍ଯ୍ୟକ୍ରମ କରାଇବା ପାଇଁ ଜନପ୍ରତିନିଧିମାନେ ତତ୍ପର ହେବାକୁ ଅଧ୍ୟକ୍ଷ ଶ୍ରୀ ଧଳ ପରାମର୍ଶ ଦେଇଥିଲେ । କୃଷକମାନଙ୍କ କଲ୍ୟାଣ ନିମିତ୍ତ ବ୍ଲକ ଅଧିନ ବିଭିନ୍ନ ପାଟନାଳି ଗୁଡିକରୁ ଜଳ ନିଷ୍କାସନ କରାଯିବାକୁ ଆବଶ୍ୟକ ପଦକ୍ଷେପ ନିମନ୍ତେ ଡ୍ରେନେଜ ବିଭାଗ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଥିଲା । ବିଭିନ୍ନ ସମୟରେ ପ୍ରାଥମିକ ଶିକ୍ଷକମାନଙ୍କ ବଦଳି ପୂର୍ବରୁ ପଂଚାୟତ ସମିତିର ପରାମର୍ଶ ନେବାକୁ ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଥିଲା । ବିଭିନ୍ନ ଯୋଜନାରେ କାର୍ଯ୍ୟକାରି ହେଉଥିବା ବିଦ୍ୟୁତ ବିଭାଗର କାର୍ଯ୍ୟକ୍ରମ ଅଧାପନ୍ତରିଆ ଭାବେ ପଡିରହିଥିବାରୁ ଜନପ୍ରତିନିଧିମାନେ କ୍ଷୋଭ ପ୍ରକାଶ କରିଥିଲେ । ସୈାଭାଗ୍ୟ ଯୋଜନାରେ ଅସମ୍ପୂର୍ଣ୍ଣ ବିଦ୍ୟୁତ ବଲ୍ୱ ବଂଟନ କାର୍ଯ୍ୟ ଶେଷ କରାଯିବା ସହ ଅଧାପଡିରହିଥିବା କାର୍ଯ୍ୟକୁ ତୁରନ୍ତ ସଂପୂର୍ଣ୍ଣ କରାଯିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଥିଲା । ଗ୍ରାମପଂଚାୟତ ସ୍ତରରେ ସମସ୍ତ ଅଙ୍ଗନୱାଡି ଓ ବିଦ୍ୟାଳୟ ଗୃହ ଗୁଡିକର ମରାମତି କରାଯିବା ସହିତ ସୈାନ୍ଧର୍ଯ୍ୟକରଣ କରାଯିବା ପାଇଁ ଜନପ୍ରତିନିଧିମାନେ ଆବଶ୍ୟକ ପଦକ୍ଷେପ ନେବାକୁ ବ୍ଲକ ଅଧ୍ୟକ୍ଷ ଶ୍ରୀ ଧଳ ପରାମର୍ଶ ଦେଇଥିଲେ । ଭରତପୁର ଗ୍ରାମପଂଚାୟତ ସମେତ ବ୍ଲକରେ ବିଭିନ୍ନ ପଂଚାୟତରେ ଅଧାପନ୍ତରିଆ ଭାବେ ପଡିରହିଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଗୁଡିକର କାର୍ଯ୍ୟ ଯଥାଶୀଘ୍ର ସଂପୂର୍ଣ୍ଣ କରାଯିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଥିଲା । ବୈଠକ ପ୍ରାରମ୍ଭରେ ଭାଗବତପୁର ପଂଚାୟତର ପୂର୍ବତନ ସରପଂଚ ସୂର୍ଗତ ଚିତ୍ତରଞ୍ଜନ ବେହେରାଙ୍କ ବିୟୋଗରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ବିଡିଓ ସୁଧିର କୁମାର ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଉପାଧ୍ୟକ୍ଷା ସ୍ନେହଲତା ପ୍ରଧାନ,ସହକାରୀ ଯନ୍ତ୍ରୀ ପରମାନନ୍ଦ ନାୟକ,ଗ୍ରାମପଂଚାୟତ ସଂପ୍ରସାରଣ ଅଧିକାରୀ ଅନିରୁଦ୍ଧ ବେହେରା ପ୍ରମୁଖ ସମସ୍ତ ସଂପ୍ରସାରଣ ଓ ପଂଚାୟତ ନିର୍ବାହୀ ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ସରପଂଚ ପ୍ରଦ୍ୟୁମ୍ନ କୁମାର ଜେନା, ବସନ୍ତ କୁମାର ରାଉତ, ଜୀନତ ପ୍ରିୟଦର୍ଶିନୀ ରାଉତ, ଗାୟତ୍ରୀ ମହାନ୍ତି, ପୂଣ୍ଣେନ୍ଦୁ ପ୍ରେମାନନ୍ଦ ଘଡାଇ, ଗଗନବିହାରୀ ସାହୁ, ନରହରି ପାଣି, ନିରୂପମା ପ୍ରଧାନ, ସମିତିସଭ୍ୟ ଶିବ ପ୍ରସାଦ ବିଶ୍ୱାଳ, ଧିରେନ୍ଦ୍ର ସ୍ୱାଇଁ, ପ୍ରସନ୍ନ ରାଉତ, ହେମନ୍ତ ବିଶ୍ୱାଳ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୈଠକରେ ସମସ୍ତ ସରପଂଚ ଓ ସମିତିସଭ୍ୟ/ସଭ୍ୟାମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡାରେ ୬୨ତମ ପୋଲିସ ସହିଦ ଦିବସ ପାଳିତ

କେନ୍ଦ୍ରାପଡ଼ା, ୨୧/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ଜଝାଙ୍ଗସ୍ଥିତ ଜିଲ୍ଲା ପୋଲିସ ରିଜର୍ଭ ପଡିଆରେ ଗୁରୁବାର  ୬୨ତମ ପୋଲିସ ସହିଦ  ଦିବସ ପାଳିତ ହୋଇଯାଇଛି …

Leave a Reply

Your email address will not be published. Required fields are marked *