ମହାକଲାଳପଡା, ୨୦/୦୮/୨୦୧୯(ଓଡ଼ିଶା ସମାଚାର)- ମହାକାଳପଡା ବ୍ଲକ ପରିସରରେ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମକୁ ପଂଚାୟତ ସ୍ତରରେ ପହାଂଚାଇବା ପାଇଁ ଆରମ୍ଭ ହୋଇଛି ସ୍ୱାଭିମାନ ସମାବେଶ । ଜିଲାର ବିଭିନ୍ନ ସ୍ଥାନର ଭିନ୍ନକ୍ଷମ ଙ୍କୁ ଏକତ୍ରିତ କରି ଏକକ ସଭାର ଆୟୋଜନ କରାଯାଇଥିଲା । ଏହି ଅବସରରେ କେନ୍ଦ୍ରାପଡା ଜିଲା ସାମାଜିକ ସୁରକ୍ଷା ବିଭାଗ ଓ ମହାକାଳପଡା ବ୍ଲକ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସ୍ୱାଭିମାନ ସଭାରେ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅବସରରେ ସେ କହିଲେ, ସରକାର ସବୁ ବର୍ଗର ଲୋକଙ୍କୁ ସହାୟତାର ହାତ ବଢାଇ ଆସୁଥିବା ବେଳେ ଭିନ୍ନକ୍ଷମମାନେ କିପରି ନିଜକୁ ଅକ୍ଷମ ମନେ ନ କରିବେ ସେଥିନେଇ ଏହି ଯୋଜନାର କାର୍ଯ୍ୟକାରୀ ହୋଇଛି । ଭିନ୍ନକ୍ଷମମାନେ କିପରି ସ୍ୱାବଲମ୍ବୀ ହେବେ ଓ ସରକାରୀ ସହାୟତା ଜରିଆରେ ସେମାନଙ୍କ ଆର୍ଥିକ ସ୍ଥିତି ଆହୁରି ସୁଦୃଢ ହୋଇପାରିବ ଏହା ସରକାରଙ୍କ ପ୍ରୟାସ ବୋଲି କହିଥିଲେ । କେନ୍ଦ୍ରାପଡା ଜିଲାପାଳ ସାମର୍ଥ ବର୍ମା ଯୋଗଦେଇ ଜିଲାର କେହିବି ଅକ୍ଷମ ନିଜ ଚେଷ୍ଠାରେ ସକ୍ଷମ ହେଉଥିବା ବେଳେ ସରକାରୀ ପ୍ରୋତ୍ସାହନ ତାଙ୍କୁ ଆହୁରି ଆଗକୁ ନେବ ବୋଲି କହିଥିଲେ । ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ବାଣୀଶ୍ରୀ ପୁରଷ୍କାର ରାଶି, ଯେଉଁ ପିତାମାତା ଭିନ୍ନ କ୍ଷମ ସେମାନଙ୍କ ପିଲାଙ୍କୁ ମେଧାବୃତି ପ୍ରଦାନ, ସେମାନଙ୍କୁ ସମାଜରେ ବଂଚିବା ପାଇଁ ପ୍ରେରଣାଦେବ ବୋଲି କହିବା ସହିତ ଭିନ୍ନକ୍ଷମମାନେ ସେମାନଙ୍କ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ଜିଲା ଚିକିତ୍ସାଳୟରେ ମାସରେ ଗୋଟିଏ ଦିନ ଯାଇ ସାର୍ଟିଫିକେଟ ନେବାରେ ଅସୁବିଧା ହେଉଥିବାରୁ ତାହାକୁ ମାସରେ ୪ଦିନ ବୃଦ୍ଧି କରାଗଲା ବୋଲି ଘୋଷଣା କରିଥିଲେ । ଏହି ଅବସରରେ ୧୬୯ ଜଣଙ୍କୁ ଭିନ୍ନକ୍ଷମ ଭତା ପ୍ରଦାନ କରାଯାଇଥିବା ବେଳେ ୨ଜଣଙ୍କୁ ଟ୍ରାଇ ସାଇକଲ,୧୦ଟି ହୁଇଲ ଚେୟାର, ଜଣେ ଦୃଷ୍ଟିହୀନ ଯୁବ ବ୍ୟବସାୟୀକୁ ସ୍ୱଳ୍ପ ସୁଦ୍ଧ ହାରର ଋଣ,୫ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ବାଣିଶ୍ରୀ ପୁରସ୍କାର,୩ଜଣ ଭିନ୍ନକ୍ଷମ ମେଧାବୃତି ସହାୟତା ପ୍ରଦାନ କରାଯାଇଥିଲା । ଜିଲା ସାମାଜିକ ସୁରକ୍ଷା ଅଧରକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଅନ୍ୟମାନଙ୍କ ମଧ୍ୟରେ ମହାକାଳପଡା ବିଡିଓ ରମେଶ ଚନ୍ଦ୍ର ସେଠି, ମହାକାଳପଡା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା, ବ୍ଲକ ଅଧ୍ୟକ୍ଷା ସସ୍ମିତା ବରାଳଙ୍କ ସମେତ ବହୁ ପଦାଧିକାରୀ ମହିଳା ସଂୟଂସହାୟିକା ଗୋଷ୍ଠୀର ସଦସ୍ୟ ଓ ବିଭିନ୍ନ ସ୍ଥାନରୁ ଭିନ୍ନକ୍ଷମ ବ୍ୟକ୍ତିମାନେ ଯୋଗଦେଇଥିଲେ । ଓଡ଼ିଶା ସମାଚାର