Sunday , October 1 2023
Home / କୃଷି / ବର୍ଷା ପରେ ଚାଷ କାର୍ଯ୍ୟ ତ୍ୱରାନ୍ୱିତ

ବର୍ଷା ପରେ ଚାଷ କାର୍ଯ୍ୟ ତ୍ୱରାନ୍ୱିତ

ଗରଦପୁର ୧୯/୦୮/୨୦୧୯(ଓଡ଼ିଶା ସମାଚାର)-ସମ୍ପ୍ରତି ଅଂଚଳରେ ଲଘୁଚାପ ଜନିତ ବର୍ଷା ହେବା ପରେ ଚାଷ କାର୍ଯ୍ୟ ତ୍ୱରାନ୍ୱିତ ହେଉଥିବାର ଦେଖା ଯାଇଛି । ଆଷାଢ ମାସରେ ଆବଶ୍ୟକ ପରିମାଣରେ ବର୍ଷା ହୋଇ ନ ଥିବାରୁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା । ଶ୍ରାବଣ ମାସରେ ଟାଣ ଖରା ହୋଇଥିବାରୁ ଅନେକ ସ୍ଥାନରେ ଧାନ ତଳି ଓ ବୁଣାଯାଇଥିବା ବିଅଳି ଧାନଗଛଗୁଡିକର ଅଗ ପତ୍ର ସବୁ ଶୁଖିଯାଇଥିଲା ।ଏଥି ନେଇ ଚାଷୀ ମହଲରେ ହତାଷାଭାବ ସୃଷ୍ଟି ହୋଇଥିଲା । ମାତ୍ର ଗତ ସପ୍ତାହରେ ଲଘୁଚାପ ଜନିତ ବର୍ଷା ହୋଇ ଥିବାରୁ ଚାଷ କାର୍ଯ୍ୟ ଏବେ ଅଗେଇ ଚାଲିଛି । ଅଂଚଳରେ ବର୍ଷା ପର୍ଯ୍ୟାପ୍ତ ପରିମାଣରେ ହୋଇ ନ ଥିଲେ ମଧ୍ୟ ଚାଷ ପାଇଁ ସମୟ ଗଡି ଯାଉଥିବାରୁ ଚାଷୀମାନେ ଖାଲିଆ ଓ ପାଟିଆମାନ଼ଙ୍କରେ ଥିବା ପାଣିକୁ ବ୍ୟବହାର କରି ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି । ଆଷାଢ ଓ ଶ୍ରାବଣ ମାସରେ ପ୍ରଚଣ୍ଡ ଟାଣ ଖରା ହୋଇ ଥିବାରୁ ଅନେକ ସ୍ଥାନରେ ଧାନ ତଳିଗୁଡିକ ପାଚି ନାଲି ପଡି ଯାଇଥିବାବେଳେ,ବୁଣାଯାଇଥିବା ବିଅଳି ଧାନ ବର୍ଷା ଅଭାବରୁ ବଛାବଛି କରାଯାଇ ପାରୁ ନ ଥିଲା । ଏବେ ଲଘୁଚାପ ବର୍ଷା ଫଳରେ ବୁଣାଯାଇଥିବା ବିଅଳି ଧାନ ଜମିରେ ଚାଷୀମାନେ ଘାସ ବଛାବଛି କରିବା ପରେ ରସାୟନିକ ସାର ବ୍ୟବହାର କରୁଥିବାବେଳେ, ଖାଲ ପାଟ ଜମିରେ ପାଣି ରହିଥିବାରୁ ଚାଷୀମାନେ ଧାନ ତଳି ରୋଇବା ଆଦି କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଛି । ପାଟକୁରା, ଶ୍ରୀଚନ୍ଦନପୁର, ପରକଣା, ଚକବାହାକୁଦ ,ଜଗଦ୍ଦଳପୁର, ଦଳୁଆଣି ,ବିଚଣା, ହରିଦାସପୁର ,କୂଳତୁଠୀ, ସୋଲପାଟ, ଚକବାହାକୁଦ ଓ ବେଡାରୀ ଆଦି ଗ୍ରାମମାନଙ୍କରେ ଥିବା ଖାଲ ପାଟ ଚାଷଜମିମାନଙ୍କରେ ରୁଆ ବେଉଷଣ କାର୍ଯ୍ୟ କରାଯାଉଥିବା ବେଳେ, ବିଚଣା, ପଦ୍ମପୁର,ହରିଦାସପୁର, ସୋଲପାଟ, କୂଳତୁଠୀ, କିଣିଲେ,ମହମ୍ମୁଦା ଆଦି ଗ୍ରାମ ମାନଙ୍କରେ କରାଯାଇଥିବା ବହୁଳ ପରିମାଣର ବିଆଳି କିସମ ଧାନ ଜମିରେ ଘାସ ବଛାବଛି ଓ ସାର ପ୍ରୟୋଗ କାର୍ଯ୍ୟ କରାଯାଉଥିବାର ଦେଖିବାକୁ ମିଳିିଛି । ବର୍ଷା ପରେ ପରେ ଚାଷୀ ଚାଷ କାର୍ଯ୍ୟ ଆଗେଇ ନେବାକୁ ତତ୍ପରତା ପ୍ରକାଶ କରିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *