ସାଲେପୁର,୧୯/୦୮/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- କଟକ-ସାଲେପୁର ରାସ୍ତାର ନାନ୍ଦୋଳଗଡ଼ା ନିକଟରେ ଏକ ଅଲଟୋ କାର୍ ମୋଟରସାଇକେଲକୁ ପଛପଟୁ ଧକ୍କା ଦେବା ଫଳରେ ଜଣକର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାଯାଇଛି । ସାଲେପୁର ପୋଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଚାଲୁରଖିଛି । ଖବରରୁ ପ୍ରକାଶ ଯେ ଧବଳେଶ୍ୱର ଅଂଚଳର ନିମାଇ ସାହୁ(୪୭) ଓ ବାନାମ୍ବର ସାହୁ(୫୨) ଏକ ମୋଟର ସାଇକେଲ୍ ଯୋଗେ ସାଲେପୁର ଅଂଚଳକୁ ଆସୁଥିବା ସମୟରେ ପଛପଟରୁ ଆସୁଥିବା ଏକ ଅଲ୍ଟୋ କାର୍ ନଂ ଓ.ଡି.୦୫ଏଏ ୨୮୯୭ ମୋଟର ସାଇକେଲକୁ ଧକ୍କା ଦେବା ଫଳରେ ଉଭୟ ମୋଟର ସାଇକେଲ୍ ଆରୋହୀ ରାସ୍ତା ଉପରେ ପଡିଯାଇଥିଲେ । ଘଟଣାସ୍ଥଳରେ ନିମାଇଁ ସାହୁଙ୍କ ମୃତ୍ୟୁ ଘଟିଥିବାବେଳେ ବାନାମ୍ବର ସାହୁ ଗୁରୁତର ଆହତ ହୋଇଥିଲେ । ଖବର ପାଇ ସାଲେପୁର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତିି କରିଥିବାବେଳେ ଡାକ୍ତର ସେଠାରେ ନିମାଇଁ ସାହୁଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ସାଲେପୁର ପୋଲିସ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚି ନିମାଇଁଙ୍କ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇଥିବାବେଳେ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଚାଲୁ ରଖିଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ଦୈନଦିନ ଏହି ରାସ୍ତାରେ ବେପରୁଆ ଭାବେ ଗାଡ଼ି ଚାଳନା କରୁଥିବାରୁ ନିୟମିତ ଦୁର୍ଘଟଣା ଘଟି ବହୁ ଧନଜୀବନ ହାନୀ ଘଟୁଥିବାବେଳେ ସାଲେପୁର ପୋଲିସ ହେଲମେଟ୍ ଚେକିଂ କିମ୍ବା ଡି.ଏଲ୍. ଚେକିଂ କରୁନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଓଡ଼ିଶା ସମାଚାର