ଭୁବନେଶ୍ୱର,୧୮/୦୮/୨୦୧୯(ଓଡ଼ିଶା ସମାଚାର)-ଓଡ଼ିଶା ଡ୍ୟାନ୍ସଏକାଡେମୀ ଏବଂ ସୃଜନ ନୃତ୍ୟାନୁଷ୍ଠାନ ପକ୍ଷରୁ ନିୟମିତ ହୋଇଆସୁଥିବା ଯୁବ ନୃତ୍ୟଶିଳ୍ପୀ ଉତ୍ସବ ‘ନବପଲ୍ଲବ’ କାର୍ଯ୍ୟକ୍ରମ ଶନିବାର ସନ୍ଧ୍ୟାରେ ଗୁରୁକେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ଥିବା ଉତ୍କଳଳରଙ୍ଗମଂଚ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଓଡ଼ିଶୀ ଓ ଭାରତନାଟ୍ୟମ ୍ପରିବେଷିତ ହୋଇଥିଲା । ବେଙ୍ଗାଲୁରର ଦିବ୍ୟାରବି ଭାରତ ନାଟ୍ୟମ୍ ଓ କଟକର ସସ୍ମିତା ପଣ୍ଡାଙ୍କ ଓଡ଼ିଶୀ ନୃତ୍ୟ ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଦିବ୍ୟାରବି ଭାରତ ନାଟ୍ୟମ୍ ପରିବେଷଣ କରିଥିଲେ । ଭାରତ ନାଟ୍ୟମ୍ ନୃତ୍ୟଜଗତରେ ବେଶ ପରିଚିତ ଏହି ଉଦୀୟମାନ ଶିଳ୍ପୀ ଗୀତଗୋବିନ୍ଦର ଅଷ୍ଟପଦୀ ଓ ଅଭିନୟ କରିଥିଲେ । ସେହିପରି ପରିଚିତ ଶିଳ୍ପୀ ସସ୍ମିତା ପଣ୍ଡା ଓଡ଼ିଶୀ ନୃତ୍ୟରେ ବିଭିନ୍ନ ବିଭବ ପରିବେଷଣ କରିଥିଲେ । ଅଭିନୟରେ ‘ଲାଜରେ ସରିଗଲି ଆଜ’ରେ ନୃତ୍ୟ କରିଥିଲେ । ଶେଷରେ ମୋକ୍ଷ ପରିବେଷଣକରି ମଂଚରୁ ବିଦାୟ ନେଇଥିଲେ । ଦୁହିଁଙ୍କ ନୃତ୍ୟରେ ବିଭୋର ହୋଇଉଠିଥିଲେ ମଂଚ ସମ୍ମୁଖରେ ଉପସ୍ଥିତ ଦର୍ଶକ । ମଂଚରେ ଆଲୋକ ପରିଚାଳନା ଦେବୀପ୍ରସାଦ ମିଶ୍ର କରିଥିବାବେଳେ ସଂଯୋଜନା କରିଥିଲେ ଶିବାଙ୍ଗୀ ମହାପାତ୍ର । ଏହି ସନ୍ଧ୍ୟାରେ ଅତିଥି ଭାବେ ସଂସ୍କୃତି ପୃଷ୍ଠପୋଷକ ଡ. ଏସ୍.କେ. ତାମୋଟିଆ, ଆଇସିସିଆର୍ ଅଂଚଳିକ ନିର୍ଦ୍ଦେଶିକା ମିନାକ୍ଷୀ ମିଶ୍ର, ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର, ଓଡ଼ିଶା ଡ୍ୟାନ୍ସ ଏକାଡେମୀର ଯୁଗ୍ମ ସମ୍ପାଦିକା ମଧୁସ୍ମିତା ମହାନ୍ତି ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକଭାବେ ଉଦ୍ଘାଟନ କରିବାସହ ଶିଳ୍ପୀ ଦ୍ୱୟଙ୍କୁ ପ୍ରୋତ୍ସାହିତ କରିଥିଲେ । ନୃତ୍ୟସହ ଜଡ଼ିତ ଥିବା ଯୁବପିଢ଼ିଙ୍କ ପାଇଁ ଏ ଉତ୍ସବ ଏକ ସୁଯୋଗ । ତେଣୁ ସମସ୍ତେ ଏହି ଉତ୍ସବରେ ସାମିଲ ହୋଇ ଶିଳ୍ପୀଙ୍କୁ ପ୍ରୋତ୍ସାହିତ କରିବାକୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି । ଓଡ଼ିଶା ସମାଚାର