Wednesday , December 8 2021
Home / ବିଶେଷ / ଶାସ୍ତ୍ରୀୟ ଓଡ଼ିଆ ଭାଷାର ଗବେଷଣା ଓ ପ୍ରଚାର ପ୍ରସାର ପାଇଁ ପଣ୍ଡିତ ଅର୍ନ୍ତଯ୍ୟାମୀ ମିଶ୍ର ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନୀତ

ଶାସ୍ତ୍ରୀୟ ଓଡ଼ିଆ ଭାଷାର ଗବେଷଣା ଓ ପ୍ରଚାର ପ୍ରସାର ପାଇଁ ପଣ୍ଡିତ ଅର୍ନ୍ତଯ୍ୟାମୀ ମିଶ୍ର ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନୀତ

ଭୁବନେଶ୍ୱର,୧୭/୦୮/୨୦୧୯(ଓଡ଼ିଶା ସମାଚାର)-ଶାସ୍ତ୍ରୀୟ ଓଡ଼ିଆଭାଷାର ଗବେଷଣା ଓ ଏହାର ପ୍ରଚାର, ପ୍ରସାର ପାଇଁ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ୨୦୧୯ ମସିହା ପାଇଁ ମହାମହୀମ ରାଷ୍ଟ୍ରପତିଙ୍କ ତରଫରୁ ମନୋନୀତ କରାଯାଇଛି । ରାଷ୍ଟ୍ରପତି ଭବନରୁ ପ୍ରକାଶିତ ବିଜ୍ଞାପନ ଅନୁଯାୟୀ ପ୍ରଥମ ଓଡ଼ିଆ ଭାବରେ ପଣ୍ଡିତ ମିଶ୍ର ଏହି ସମ୍ମାନ ପାଇଁ ମନୋନୀତି ହୋଇଛନ୍ତି ଓ ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହେବେ । ତାଙ୍କ ସହିତ ସଂସ୍କୃତଭାଷା ପାଇଁ ୧୫ଜଣ (ଓଡ଼ିଶାର ଶ୍ରୀ ହରେକୃଷ୍ଣ ଶତପଥୀ ଏଥିରେ ଅନ୍ତର୍ଭୁକ୍ତ), ଆରବିକ ଓ ପର୍ଶିୟାନ ଭାଷା ପାଇଁ ୩ ଜଣ ଲେଖାଏଁ ତଥା ପାଲି, କାନ୍ନାଡ଼ା, ମାଲୟଲାମ ଓ ତେଲୁଗୁ ଭଷା ପାଇଁ ଜଣେ ଲେଖାଏଁ ମନୋନୀତ ହୋଇଛନ୍ତି । ଓଡ଼ିଶାର ମୁଖ୍ୟ ଶାସନ ସଚିବ ତଥା ଦୁଇଟି ବିଶ୍ୱବିଦ୍ୟାଳୟ ପଣ୍ଡିତ ମିଶ୍ରଙ୍କ ନାମ ସୁପାରିଶ କରିଥିଲେ ଯାହା ଗୃହିତ ହୋଇଛି ।
ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ମାର୍ଥାପୁର ଗ୍ରାମରେ ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ସତ୍ୟବାଦୀ ମିଶ୍ର ଓ ଧର୍ମପରାୟଣା ତଥା ପରୋପକାରୀ ଦୁର୍ଗାବତୀ ମିଶ୍ରଙ୍କ ସୁପୁତ୍ର ପଣ୍ଡିତ ମିଶ୍ର ୧୯୫୦ ମସିହାରେ ଜନ୍ମଗ୍ରହଣ କରିଥିଲେ । ଅଦ୍ୟାବଧି ତାଙ୍କର ୩୦ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଛି ଯେଉଁଥିରୁ ୯ ଖଣ୍ଡ ‘ଓଡ଼ିଶା ପାଠ୍ୟ ପୁସ୍ତକ ପ୍ରଣୟନ ଏବଂ ପ୍ରକାଶକ’ ସଂସ୍ଥା ଦ୍ୱାରା ପ୍ରକାଶିତ ହୋଇଛି । ଏସବୁ ପୁସ୍ତକ ଗବେଷଣାରତ ତଥା ସାଧାରଣ ପାଠକଙ୍କ ଦ୍ୱାରା ବହୁ ଆଦୃତ ଓ ପ୍ରଶଂସିତ ହୋଇଅଛି । ‘ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା, ଓଡ଼ିଆ ଭାଷା, ଜାତି ଓ ଜାତୀୟତା, ଓଡ଼ିଆ ଭାଷା ଓ ଇତିହାସ, ମୌଳିକ ଓଡ଼ିଆ ଭାଷାତତ୍ୱ, ପ୍ରାଚୀନ ଓ ମଧ୍ୟଯୁଗୀୟ ଓଡ଼ିଶା, ଆଧୁନିକ ଓଡ଼ିଶା ଓ ମୋ ଦୃଷ୍ଟିରେ ଓଡ଼ିଆ’ ପ୍ରଭୃତି ତାଙ୍କର ଅନବଦ୍ୟ ସୃଷ୍ଟି । ଓଡ଼ିଆଭାଷା ଯେ ଏକ ଶାସ୍ତ୍ରୀୟଭାଷା, ଏହା ଉପରେ ତାଙ୍କର ଗବେଷଣାଲବ୍ଧ ଲେଖାମାନ ଅନେକ ସମ୍ବାଦପତ୍ରରେ ପ୍ରକାଶିତ ହୋଇଛି । ଓଡ଼ିଆଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନରେ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କର ଯଥେଷ୍ଟ ଅବଦାନ ରହିଛି । ଓଡ଼ିଆଭାଷାରେ ଗବେଷଣା ପାଇଁ ପଣ୍ଡିତ ମିଶ୍ରଙ୍କୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ତରଫରୁ ଏକ ସମ୍ବାନଜନକ ଡ଼କ୍ଟରେଟ ଉପାଧୀ ପ୍ରଦାନ କରାଯାଇଛି ।
ଏକ ସାକ୍ଷାତକାରରେ ପଣ୍ଡିତ ମିଶ୍ର କହିଛନ୍ତି ଯେ, ‘ଭାଷା କାହାରି ବ୍ୟକ୍ତିଗତ ନୁହେଁ, ଏହା ଓଡ଼ିଆଜାତିର । ମୋ ମତରେ ଏହି ସମ୍ମାନ ଓଡ଼ିଆଜାତିକୁ ମିଳିଲା ଯାହା ୨୦୧୬ ମସିହାଠାରୁ ମିଳିନଥିଲା । ଏହି ଜାତୀୟ ଗୌରବରେ ମୁଁ ଆନନ୍ଦିତ । ଶାସ୍ତ୍ରୀୟ ଭାଷାର ଗବେଷଣା, ପୁସ୍ତକ ରଚନା ଓ ପ୍ର•ର, ପ୍ରସାର ନିମନ୍ତେ ୨୦୧୬ ମସିହାଠାରୁ ଭାଷାର ଗବେଷକ ଓ ଲେଖକଙ୍କୁ ପ୍ରତିବର୍ଷ ୮ଟି ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥାଏ । ଶାସ୍ତ୍ରୀୟ ଓଡ଼ିଆଭାଷାର ଗବେଷଣା, ପୁସ୍ତକ ରଚନା ଓ ପ୍ରଚାର ପ୍ରସାର ପାଇଁ ପ୍ରଥମ ଓଡ଼ିଆ ଭାବେ ଏ ପୁରସ୍କାର ପାଇ ମୁଁ ଆନନ୍ଦିତ । ଯୁବପିଢୀଙ୍କ ମଧ୍ୟରେ ବ୍ୟାପକ ଭାଷାନୁରାଗ ସୃଷ୍ଟି ହେଉ, ଏହା ହିଁ ମୋର କାମନା’ ବୋଲି ସେ ଦର୍ଶାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ସଙ୍କଟରେ କଳାହାଣ୍ଡି ର ଧଳାସୁନା  

ଜୁନାଗଡ଼, ୦୭/୧୨/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ)- ବାତ୍ୟା ଜୱାଦ କେବଳ ଉପକୂଳ ଓଡ଼ିଶା ନୁହେଁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ …

Leave a Reply

Your email address will not be published. Required fields are marked *