ଗରଦପୁର୧୭/୦୮/୨୦୧୯(ଓଡ଼ିଶା ସମାଚାର)-ନଳକୂପରୁ ଦୈନିକ ନିଷ୍କାସିତ ହେଉଥିବା ବର୍ଜ୍ଜ୍ୟ ପାଣିକୁ ଅବରୋଧ କରାଯାଉଥିବା ସମ୍ପର୍କରେ ଗ୍ରାମର କେତେକ ଲୋକମ।।ନଙ୍କ ପକ୍ଷରୁ ବ୍ଲକ ପ୍ରଶାସନ ଓ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଅଭିଯୋଗରୁ ପ୍ରକାଶ ଯେ,ଗରଦପୁର ବ୍ଳକ ଅନ୍ତର୍ଗତ ବେଡାରୀ ପଂଚାୟତର ଶ୍ରୀଚନ୍ଦନପୁର ଗ୍ରାମର ଭାଗବତ ଦାଣ୍ଡରେ ଦୀର୍ଘ ବର୍ଷରୁ ଏକ ଗଭୀର ନଳକୂପ ରହିଛି । ଏହି ନଳକୂପରୁ ପାନୀୟ ଜଳ ନେଇ ଗ୍ରାମର ୨୦ରୁ୨୫ ପରିବାରର ଲୋକମାନେ ବ୍ୟବହାର କରନ୍ତି । ଗ୍ରାମର ଲୋକ ମାନଙ୍କ ବାରଣ ସତ୍ୱେ ଏହି ନଳକୂପ ନିକଟରେ ଜନୈକ ବ୍ୟକ୍ତିଙ୍କର ଘର ଥିବାରୁ ସେମାନଙ୍କ ପରିବାରର ଲୋକମାନେ ନଳକୂପ ନିକଟରେ ଅଇଁଠା ବାସନ ମାଜିବା, ବିଭିନ୍ନ ପ୍ରକାର ସଙ୍କୁଡି,ଆବର୍ଜ୍ଜନା ଆଦିକୁ ନେଇ ଜମା କରୁ ଥିବାରୁ ଗ୍ରାମର ଅନ୍ୟ ପରିବାରର ଲୋକମାନେ ଏହି ନଳକୂପରୁ ପାଣି ନେବାକୁ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଏହି ନଳକୂପରୁ ନିଷ୍କାସିତ ହେଉଥିବା ବର୍ଜ୍ଜ୍ୟ ପାଣି ବାହାରକୁ ଯିବା ପାଇଁ ବିଭାଗ ପକ୍ଷରୁ ସିମେଂଟ ନାଳ କରାଯାଇଛି । ହେଲେ ସମ୍ପୃକ୍ତ ପରିବାରଙ୍କ ପକ୍ଷରୁ ଏହି ନାଳାରେ ଅଇଁଠା, ଆବର୍ଜ୍ଜନା ଓ ପାଉଁଶକୁ ଗଦା କରାଯାଉଥିବାରୁ ପାଣି ନାଳା ଏକ ପ୍ରକାର ବନ୍ଦ ହୋଇ ଯାଉଛି । ଏ ସମ୍ପର୍କରେ ଗ୍ରାମର ଲୋକମାନେ ଅଭିଯୋଗ କରିବାରୁ ସମ୍ପୃକ୍ତ ପରିବାରର ଲୋକମାନେ ଗ୍ରାମର ଅଭିଯୋଗ କରିଥିବା ଲୋକମାନଙ୍କ ସହିତ ପାଟିତୁଣ୍ଡ ଓ ଗୋଳମାଳ କରୁଥିବା ନେଇ ଗ୍ରାମର ଅର୍ଜ୍ଜୁନୀ ଚରଣ ସାହୁ,କିଶୋର କୁମାର ସାହୁ,ଘନଶ୍ୟାମ ସାହୁ ଓ ପଦ୍ମଚରଣ ସାହୁ ପ୍ରମୁଖ ଲୋକମାନେ ଅଭିଯୋଗରେ ଦର୍ଶାଇଛନ୍ତି । ଏ ସମ୍ପର୍କରେ ଉଭୟ ପକ୍ଷର ଲୋକମାନେ ବିଗତ ଦିନରେ ପାଟକୁରା ଥାନା ଓ ଗରଦପୁର ବ୍ଳକ କାର୍ଯ୍ୟାଳୟରେ ମଧ୍ୟ ଅଭିଯୋଗ କରିଛନ୍ତି । ଏ ଦିଗରେ ପ୍ରଶାସନିକ ହସ୍ତକ୍ଷେପ ଆବଶ୍ୟକ ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଛି । ଓଡ଼ିଶା ସମାଚାର