ଗରଦପୁର ୧୬/୦୮/୨୦୧୯(ଓଡ଼ିଶା ସମାଚାର)-ମହାନଦୀ ଓ ତାର ଶାଖା ନଦୀମାନଙ୍କରେ ବନ୍ୟା ପାଣି ପ୍ରବାହିତ ହେବାରୁ ନଦୀ ପାଶ୍ୱର୍ରେ ଥିବା ବହୁ ପଠାଂଚଳ ଜମିଗୁଡିକ ଜଳମଗ୍ନ ହୋଇଯାଇଛି । ମହାନଦୀରେ ବନ୍ୟା ପାଣି ଆସିବା ଦ୍ୱାରା ତା’ର ଶାଖା ନଦୀ ଚିତ୍ରୋତ୍ପଳା,ପାଇକା,ଲୁଣା ଓ କରାଣ୍ଡିଆ ନଦୀମାନଙ୍କରେ ବନ୍ୟା ଜଳ ପ୍ରବାହିତ ହେଉଛି । ନଦୀମାନଙ୍କରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ନଦୀର ପାଶ୍ୱର୍ରେ ରହିଥିବା ବହୁ ପଠାଂଚଳ ଜମିଗୁଡିକ ଜଳ ମଗ୍ନ ହୋଇଯାଇଛି । ପଠାଂଚଳରେ କରାଯାଇଥିବା ବିଭିନ୍ନ ପନି ପରିବା ବନ୍ୟା ପାଣିରେ ବୁଡି ରହିଥିବା ବେଳେ,ପଠାଂଚଳରେ କରାଯାଇଥିବା ନଳିତା ଗଛଗୁଡିକ ବନ୍ୟା ପାଣିରେ ଅଧାବୁଡିବା ଅବସ୍ଥାକୁ ଆସିଯାଇଛି । ଗତ କାଲି ଠାରୁ ବନ୍ୟା ପାଣି ନଦୀର ଜଳ ପତନ ବୃଦ୍ଧିପାଉଥିବାବେଳେ, ଆଜି ମଧ୍ୟାହ୍ନ ଠାରୁ ନଦୀମାନଙ୍କରେ ବନ୍ୟାପାଣି ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । ପାଟକୁରା ନଦୀପଠା,ସମସରା ନଦୀପଠା,ବେଡାରୀ ନଦୀପଠା, ଆଖୁଆ ନଦୀପଠା, ହରିଦାସପୁର ନଦୀପଠା, ବିଚଣା ନଦୀପଠା, କୋଡଗାଁ ପାଟଣା ନଦୀପଠା, ଜଗନ୍ନାଥପୁର ନଦୀପଠା, ନୂଆପଡା ନଦୀ ପଠା, ପନ୍ଦିଆ-ପହଣା ନଦୀପଠା ଓ ମଦନା ଓ ନଇନ୍ଦିପୁର ନଦୀ ପଠା ଆଦି ପଠାଂଚଳ ଜମିକୁ ବନ୍ୟା ପାଣି ବୁଡାଇ ରଖିଛି । ନଦୀପଠାମାନଙ୍କରେ କରାଯାଇଥିବା ବାଇଗଣ, ଭେଣ୍ଡି, କଖାରୁ, ପୋଇ, କଲରା ଆଦି ପନି ପରିବା ଫସଲକୁ ବନ୍ୟାପାଣି ବୁଡାଇ ରଖିଛି । ନଦୀମାନଙ୍କରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଜଳ-ସମ୍ପଦ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇ ବିଭାଗୀୟ ଅଧିକାରୀମାନେ ବିଭିନ୍ନ ଦୁର୍ବଳ ଥିବା ନଦୀବନ୍ଧ ସ୍ଥାନକୁ ପଇଁତରା ମାରୁଥିବାର ଦେଖାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବନ୍ୟା ପରିସ୍ଥିତିକୁ ମୁକାବିଲା କରିବା ପାଇଁ କେନ୍ଦ୍ରାପଡା ଜଳ ସମ୍ପଦ ଡିଭିଜନ ପାଇଁ ଦାଇତ୍ୱରେ ରହିଥିବା କ୍ଷୁଦ୍ର ଜଳସେଚନ ମୂଖ୍ୟ ଯନ୍ତ୍ରୀ ଇଂ.ସରୋଜ କୁମାର ପଟ୍ଟନାୟକ,ଇଷ୍ଟର୍ଣ୍ଣ ସର୍କଲର ଅଧିକ୍ଷଣ ଯନ୍ତ୍ରୀ ଇଂ.ସୁଶାନ୍ତ କୁମାର ରଥ,କେନ୍ଦ୍ରାପଡା ଜଳ ସମ୍ପଦ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ.ପ୍ରବୋଧ କୁମାର ରାଉତ ଓ ପାଟକୁରା ସବ୍-ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ସନ୍ଦିପ୍ କୁମାର ଆଜି ପାଟକୁରା ଅଂଚଳରେ ରହିଥିବା ବିଭିନ୍ନ ନଦିବନ୍ଧ ଓ ଘେରିବନ୍ଧ ଅବସ୍ଥା ଅନୁଧ୍ୟାନ କରିଛନ୍ତି । ଏହି ଟିମ୍ ଆଜି ଚିତ୍ରୋତ୍ପଳା ନଦୀବନ୍ଧର ନଇନ୍ଦିପୁର ଠାରେ ନଦୀବନ୍ଧକୁ ତଦାରଖ କରିଥିବାବେଳେ,ଦଶମୌଜି ଘେରିବନ୍ଧର ଲୁଣାନଦୀର ବାମ ପାଶ୍ୱର୍ ନଦୀବନ୍ଧର ଦୁର୍ବଳ ଥିବା ପାଟପାଣି,ବଡକୂଳ ମାଉଣ୍ଡ ଓ ଜୟଚନ୍ଦ୍ରପୁର-ଗଡରୋମିତ ଘେରିବନ୍ଧର ବଡପାଳ ନିକଟସ୍ଥ ସ୍ଥାନକୁ ପରିଦର୍ଶନ କରି କ୍ଷିପ୍ର ଭାବରେ ବନ୍ୟା ସ୍ରୋତ ପ୍ରବାହିତ ହେଉଥିବା ସ୍ଥାନମାନଙ୍କରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗୀୟ କନିଷ୍ଠ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି କୋଦାକଣ ଘେରିବନ୍ଧର ନୀଳାଚଳ ବଜାର ନିକଟରେ ନବ ନିର୍ମିତ ସ୍ଲଇସ୍ ଗେଟରେ କବାଟ ଲାଗି ନ ଥିବାରୁ ସେଠାରେ ବିଭାଗ ପକ୍ଷରୁ ବଲ୍ହା ଓ ବାଲିବସ୍ତା ପକାଯାଇ ବନ୍ୟା ପାଣିକୁ ଅଟକା ଯାଇଥିଲା । ମାତ୍ର ଗତକାଲି ପୂର୍ବାହ୍ନରେ ସେଠାରେ ଦିଆଯାଇଥିବା ବାଲିବସ୍ତାଗୁଡିକୁ ବନ୍ୟାପାଣି ସ୍ରୋତରେ ଠେଲି ଦେବା ଫଳରେ ଅଂଚଳର ପ୍ରାୟ ୪ଶହ ଏକର ଚାଷ ଜମି ମଧ୍ୟକୁ ବନ୍ୟା ପାଣି ପ୍ରବେଶ କରି ଜଳମଗ୍ନ କରିଥିଲା । ବିଭାଗ ପକ୍ଷରୁ ସେହି ସ୍ଥାନରେ ଗତ ରାତ୍ରୀ ଠାରୁ ଆଜି ସକାଳ ପର୍ଯ୍ୟନ୍ତ ବଲ୍ହା,ବାଲିବସ୍ତା ଓ ଟିଣ ଚାଦର ପକାଯାଇ ସ୍ଲୁଇସ୍ଗେଟ୍ର ପାଣି ବାଟକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବାରୁ ବନ୍ୟା ପାଣି ଚାଷ ଜମିକୁ ପ୍ରବେଶ ନ କରିପାରି ଅଟକି ରହିଛି ବୋଲି ସହକାରୀ କନିଷ୍ଠ ଯନ୍ତ୍ରୀ ଇଂନୀଳାମ୍ବର କର ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର