ଭୁବନେଶ୍ୱର , ୧୭/୦୮/୨୦୧୯(ଓଡ଼ିଶା ସମାଚାର)-ଭୁବନେଶ୍ୱର ଉପକଣ୍ଠ ଭୁବନେଶ୍ୱର ତହସିଲ ଓ ବ୍ଲକ ଅନ୍ତର୍ଗତ ମୌଜା ଗୋଠପାଟଣାଠାରେ ଆକ୍ରୋଶ ବିଲ୍ଡ଼ର ଦ୍ୱାରା ଆକ୍ରୋପଲିସ୍ ରିୟଲକନ ନାମକ ଏକ ପ୍ରୋଜେକ୍ଟ ବେଆଇନ୍ ଭାବେ କରାଯାଇଛି ବୋଲି ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ଆକ୍ରୋସ ବିଲଡ଼ର ଦ୍ୱାରା ଅନୁସୂଚିତ ଜାତି ଓ ଜନଜାତି, ସରକାରୀ କାଜୁ ଜଙ୍ଗଲ ଓ ଜଙ୍ଗଲ, ମୟୂର ସାଙ୍କଚୁରୀ ଜମିକୁ ହଡ଼ପ କରି ୪୦ ଏକର ଜାଗାରେ ୬ ମହଲା ବିଶିଷ୍ଟ ୮୦୦ ଫ୍ଲାଟ କରାଯାଇଥିବା ବେଳେ ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଭୂମିହୀନମାନଙ୍କୁ ଜାଗା ଯୋଗାଇ ଦେଇଥିଲେ । ଏହି ପ୍ରକ୍ରିୟାରେ ଯେଉଁ ଅନୁସୂଚିତ ଜାତି ଓ ଜନଜାତିମାନେ ଜାଗା ପାଇଥିଲେ, ସେହି ଜାଗାକୁ ଚଞ୍ଚକତା କରି ହାତେଇବାରେ ଏହି ବିଲଡ଼ର୍ସ ସଫଳ ହୋଇଛନ୍ତି । ଏଥିରେ ତକ୍ରାଳୀନ ଚନ୍ଦକା ଡ଼ିଏଫଓ, ଭୁବନେଶ୍ୱର ବିଡ଼ିଓ ଓ ତହସିଲଦାର ଏବଂ ଆଡ଼ିସନାଲ ତହସିଲଦାରଙ୍କର ପ୍ରଚ୍ଛନ୍ନ ହାତ ରହିଛି । ଏପରିିକି ରାଜ୍ୟ ସରକାରୀ ଦଳର ରାଜନେତାମାନେ ମଧ୍ୟ ଏହି ଦୁର୍ନୀତିରେ ସାମିଲ୍ ହୋଇଛନ୍ତି । ଏହାକୁ ବୈଧ କରିବା ପାଇଁ ସମସ୍ତ କାଗଜ ପତ୍ରକୁ ଜାଲିଆତି କରାଯାଇଛି । ଜଙ୍ଗଲ ଜମିକୁ ଚଞ୍ଚକତା କରି ଘରବାରିରେ ପରିଣତ କରାଯାଇଛି । ଏଠାରେ ଥିବା ପଥର ଖଣିର ପଥରସବୁକୁ ମଧ୍ୟ ଲୁଟ୍ କରାଯାଇଛି । ଏବେ ଫ୍ଲାଟସବୁ ବିକ୍ରି ହୋଇଗଲାଣି । ମୁହଁ ବନ୍ଦ ରଖିବା ପାଇଁ କେତେକ ସରକାରୀ ଉଚ୍ଚପଦସ୍ଥ ଅଫିସର ଏବଂ ରାଜନେତାଙ୍କୁ ମଧ୍ୟ ଫ୍ଲାଟ ଉପହାର ଦିଆଯାଇଛି । ଭୁବନେଶ୍ୱରର ଏକ ତାରକା ହୋଟେଲରେ ଫ୍ଲାଟ ବିକ୍ରି ମେଳା କରାଯାଇ ଏହି ଫ୍ଲାଟଗୁଡ଼ିକ ବିକ୍ରି ହୋଇଥିଲା ଏବଂ ସେଠାକୁ ଉଚ୍ଚପଦସ୍ଥ ଅଫିସରମାନଙ୍କୁ ଡ଼କାଇ ଆପ୍ୟାୟିତ କରାଯାଇଥିଲା । ସୁତରାଂ ଆକ୍ରୋଶ ବିଲ୍ଡ଼ର ଗୋଠପାଟଣାରେ ସରକାରୀ ଜମିରେ ମାଲାମାଲ ହୋଇଥିବା ସ୍ଥଳେ ରାଜ୍ୟ ସରକାର ନୀରବ ବସିଛନ୍ତି । ଏଠାରେ ପ୍ରକାଶଥାଉକି, ତକ୍ରାଳୀନ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ ଏହି ଘଟଣାରେ ହସ୍ତକ୍ଷପ କରିବାରୁ କିଛିଦିନ ପାଇଁ ସବୁ ବନ୍ଦବାନ୍ଦ ହୋଇଯାଇଥିଲା । ମାତ୍ର ସରକାରୀ ଦଳର ବରିଷ୍ଠ ରାଜନେତା ଏବଂ ଉଚ୍ଚପଦସ୍ଥ ଅଫିସରଙ୍କ ଚାପରେ ପୁଣି କାମ ଆରମ୍ଭ ହୋଇଗଲା, ସବୁ ଦୁର୍ନୀତି ଘୋଡ଼ାଇ ହୋଇଗଲା । ତକ୍ରାଳୀନ ଖଣ୍ଡଗିରୀ ସବ୍ ରେଜିଷ୍ଟ ସମସ୍ତ ଆଇନ୍ କାନୁନ୍ ଏବଂ ବିଧି ବ୍ୟବସ୍ଥ୍ାକୁ ଉଲଂଘନ କରି ଫ୍ଲାଟ ରେଜେଷ୍ଟି କରାଇଛନ୍ତି । ଶ୍ରୀ ରାଉତରାୟ କହିଛନ୍ତି ଆଗାମୀ ବିଧାନସଭା ଅଧିବେଶନରେ ଏ ସମ୍ପର୍କରେ ରଜ୍ୟ ସରକାରଙ୍କୁ ଜବାବ ମାଗିବା ସଙ୍ଗେ ସଙ୍ଗେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ । ଓଡ଼ିଶା ସମାଚାର