୫ ବର୍ଷ ହେଲା ସ୍ଥାୟୀ ଡ଼ାକ୍ତର ନାହାନ୍ତି- ୪ ପଂଚାୟତବାସୀ ମୌଳିକ ସୁବିଧାରୁ ବଂଚିତ
ତାରପୁର, ୧୭/୦୮/୨୦୧୯(ଓଡ଼ିଶା ସମାଚାର)-ମଣିଜଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ମହାନଦୀ ପାଇକା ଦ୍ୱୀପାଂଚଳ ଅନ୍ତର୍ଗତ କନିମୂଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଯାହା ଫଳରେ କନିମୂଳ, ବିଶନପୁର, ଦାଇଁଲ ଓ ଗୋପାଳପୁର ଆଦି ୪ ପଂଚାୟତର ୩୫ ହଜାରରୁ ଅଧିକ ଜନତା ସ୍ୱାସ୍ଥ୍ୟ ଜନିତ ମୌଳିକ ଅଧିକାରରୁ ବଂଚିତ ହେଉଛନ୍ତି । ଏ ସମ୍ପର୍କରେ ଅଂଚଳବାସୀମାନେ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଛନ୍ତି । ମୁନା ମହାନ୍ତିଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସମ୍ମିଳନୀରେ ୪ ଗୋଟି ପଂଚାୟତର ବୁଦ୍ଧିଜିବୀମାନେ ପିଏଚସି ପରିସରରେ ଏକତ୍ରିତ ହୋଇଥିଲେ । ଦୀର୍ଘ ୫ ବର୍ଷ ଧରି ସ୍ଥାୟୀ ଡ଼ାକ୍ତର ନଥିବାରୁ ସ୍ଥାନୀୟ ଜନସାଧାରଣ ସ୍ୱାସ୍ଥ୍ୟ ସେବା ପାଇଁ ୨୦ କିମି ଦୂରରେ ଥିବା ମଣିଜଙ୍ଗା କିମ୍ବା ୨୩ କିମି ଦୂରରେ ଥିବା ରଘୁନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିବାକୁ ପଡ଼ୁଛି ବୋଲି ସୁବାସ ପତି ଅଭିଯୋଗ କରିଛନ୍ତି । କୌଣସି ସମୟରେ ଜରୁରୀ କାଳିନ ରୋଗୀଙ୍କ ପାଇଁ ୧୦୮ ଆମ୍ବୁଲାନ୍ସ କୁ ଫୋନ କଲେ ସେପାଖରୁ ଉପଲବ୍ଧ ନଥିବା କିମ୍ବା ଯଦି ଆସେ ତେବେ ୧ ଘଂଟାରୁ ଉଦ୍ଧ୍ୱର୍ ସମୟ ଲାଗେ । ଏପରିକି ତୁରନ୍ତ ଚିକିତ୍ସା ସେବା ନପାଇ ଅନେକ ବ୍ୟକ୍ତି ମୃତ୍ୟୁ ମୁଖରେ ପଡ଼ୁଥିବାର ଶ୍ରୀ ପତି ଅଭିଯୋଗ କରିଛନ୍ତି । ସେହିପରି ପିଏଚସି ରେ ଜଣେ ଫାର୍ମାସିଷ୍ଟ ଓ ଜଣେ ହୋମିଓପ୍ୟାଥି ଡ଼ାକ୍ତର ଅଧିନରେ ଚାଲୁଥିବା ଦେଖାଯାଇଛି । ଦୌନନ୍ଦିନ ୫୦ ରୁ ଅଧିକ ରୋଗୀ ରହିଥିବାବେଳେ ଡ଼ାକ୍ତର ନଥିବାରୁ ଏହା କମିଯାଉଛି । ପିଏଚସି ରେ ୱାଚମ୍ୟାନ ବ୍ୟବସ୍ଥା ନଥିବାରୁ ଫ୍ରିଜ, ଇନଭର୍ଟର, ବ୍ୟାଟେରୀ, ଫ୍ୟାନ , ପାଣି ମଟର, ଷ୍ଟାବିଲାଇଜଳ ଆଦି ଚୋରୀ ହୋଇ ଯାଉଛି । ମେଡ଼ିକାଲ ପରିସରକୁ ପାଣିର ବ୍ୟବସ୍ଥା କରାଯାଇନାହିଁ । ପରିସରରେ ଥିବା ଡ଼ାକ୍ତର ଓ ଫାର୍ମାସିଷ୍ଟ କ୍ୱାର୍ଟର ଅସାମାଜୀକ ଯୁବକଙ୍କ ଆଡ଼ାସ୍ଥଳୀ ପାଲଟିଛି । ମେଡ଼ିକାଲ ର ଭିତିଭୂମିର ଉନ୍ନତି ପାଇଁ ବାର୍ଷିକ ଅନୁଦାନ ଆସୁଥିଲେ ମଧ୍ୟ ନିମ୍ନମାନର କାର୍ଯ୍ୟ କରି ଠିକାଦାର ଏହାକୁ ଚଳୁ କରିଦେଉଛନ୍ତି । ଅଂଚଳର ସର୍ବ ପୁରାତନ ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଙ୍ଗୁ କରିଦିଆଯାଉଛି ବୋଲି ସମ୍ମିଳନୀରେ ମତ ପ୍ରକାଶ ପାଇଛି । ଏ ସମ୍ପର୍କରେ ଜିଲାପାଳଙ୍କ ସମେତ ସିଡ଼ିଏମଓଙ୍କୁ ଲିଖିତ ଅଭିଯୋଗ କରାଯାଇଛି । ତୁରନ୍ତ ସ୍ଥାୟୀ ଡ଼ାକ୍ତର ଓ ଏକ ଆମ୍ବୁଲାନ୍ସ ଯୋଗାଇ ଦେବା ପାଇଁ ମାନସ ଦାସ, ସୁଶାନ୍ତ ସୁତାର,ପ୍ରମୋଦିନୀ ସେଠୀ, କୃଷ୍ଣଚନ୍ଦ୍ର ସ୍ୱାଇଁ, ରମେଶ ଚନ୍ଦ୍ର ମଲିକ ପ୍ରମୁଖ ଦାବି ଜଣାଇଥିବାବେଳେ ଦାବି ପୁରଣ ନହେଲେ ଆମରଣ ଅନଶନ କରିବେ ବୋଲି ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର