ଭୁବନେଶ୍ୱର , ୧୬/୦୮/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ରାଜ୍ୟର ତିନି ପ୍ରମୁଖ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ୟୁରୋଲୋଜି, ହୃଦରୋଗ, ନେଫ୍ରୋଲୋଜି ଚିକିତ୍ସା କ୍ଷେତ୍ରରେ ଉନ୍ନତି ଆଣିବାପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ନିର୍ଦ୍ଦେଶ ଦେଇଛନ୍ତି । ଶୁକ୍ରବାର ସଚିବାଳୟ ଠାରେ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ମନ୍ତ୍ରୀ ଶ୍ରୀ ଦାସ କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ, ଭିମସାର ବୁର୍ଲା ଓ ବ୍ରହ୍ମପୁର ସ୍ଥିତ ଏମକେସିଜିର ଏହି ତିନି ବିଭାଗରେ ଚିକିତ୍ସା ସଂକ୍ରାନ୍ତରେ ସମୀକ୍ଷା କରିଥିଲେ । ସମ୍ପୃକ୍ତ ବିଭାଗ ଗୁଡିକର ବିଭିନ୍ନ ସୁବିଧା ଅସୁବିଧା ସଂକ୍ରାନ୍ତରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି । ସମ୍ପୃକ୍ତ ମେଡିକାଲ କଲେଜର ବିଭାଗୀୟ ମୁଖ୍ୟମାନେ ଦର୍ଶାଇଥିବା ମାନବସମ୍ବଳ, ଡାକ୍ତରୀ ଯନ୍ତ୍ରପାତି ଓ ଅନ୍ୟାନ୍ୟ ଆବଶ୍ୟକତା ଗୁଡିକୁ ତର୍ଜମାକରି ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ଦାସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ତିନି ବିଭାଗକୁ ସମ୍ପୃକ୍ତ ମେଡିକାଲ କଲେଜର କର୍ତୃପକ୍ଷ ସେଂଟର ଅଫ ଏକ୍ସିଲେନ୍ସିରେ ପରିଣତପାଇଁ ଉଦ୍ୟମ କରିବାକୁ କୁହାଯାଇଛି । ଏସସିବି ମେଡିକାଲ କଲେଜର ୟୁରୋଲୋଜି ଏବଂ ରେନାଲ ଟ୍ରାନ୍ସପ୍ଲାଂଟ ୟୁନିଟରେ ରୋବୋଟିକ ସର୍ଜରୀ ବ୍ୟବସ୍ଥା, ଟ୍ରାନ୍ସପ୍ଲାଂଟ ଆଇସିୟୁର ନବୀକରଣ ସହିତ ତୃତୀୟ ମଡୁଲାର ଓଟି ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିଷ୍ପତିି ହୋଇଛି । ଉପରୋକ୍ତ ତିନି ବିଭାଗ ଉପରେ ଅଧିକରୁ ଅଧିକ ସଂଖ୍ୟାରେ ଗରିବଶ୍ରେଣୀର ରୋଗୀ ନିର୍ଭର କରୁଥିବାବେଳେ ସେମାନେ ଘରୋଇ ଡାକ୍ତରଖାନାକୁ ଯିବା ସମ୍ଭବ ହୋଇପାରୁନାହିଁ । ତେଣୁ ମେଡିକାଲ କଲେଜ ଗୁଡିକରେ ସେମାନଙ୍କୁ ଯେଭଳି ଅତ୍ୟାଧୁନିକ ସେବା ଯୋଗାଯିବ ତାହା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ତେବେ ସମସ୍ତ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଯେପରି ସମ୍ପୂର୍ଣ୍ଣ ହୁଏ ତାହା ଉପରେ ଗୁରୁତ୍ୱ ଆରୋପକରି ତିନିମାସ ପରେ ପୁଣିଥରେ କାର୍ଯ୍ୟର ସମୀକ୍ଷା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ମେଡିକାଲ ନିଗମ ନିର୍ଦ୍ଦେଶିକା ୟାମିନୀ ଷଡଙ୍ଗୀ, ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ତିନି ମେଡିକାଲ କଲେଜର ଡିନ୍ ତଥା ପ୍ରିନ୍ସପାଲ, ସୁପରିନଟେଣ୍ଡଂଟ, ସମ୍ପୃକ୍ତ ବିଭାଗର ମୁଖ୍ୟଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର