ଦୁର୍ବଳ ନଦୀବନ୍ଧ ଓ ଘେରିବନ୍ଧ,ବାଲିବସ୍ତା ଓ ବଲହା ସଂଗ୍ରହ ସମ୍ପର୍କରେ ସମୀକ୍ଷା
ଗରଦପୁର ୧୪/୦୮/୨୦୧୯(ଓଡ଼ିଶା ସମାଚାର)- ମହାନଦୀରେ ବନ୍ୟା ପାଣି ଆସୁଥିବାରୁ , ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଆଜି ଜଳ ସମ୍ପଦ ବିଭାଗର ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ପାଟକୁରା ଅଂଚଳର ବିଭିନ୍ନ ନଦୀବନ୍ଧ ପରିସ୍ଥିତି ଅନୁଧ୍ୟାନ କରିବା ସହିତ ବନ୍ୟା ପାଇଁ ଆବଶ୍ୟକ ସତର୍କତା ମୂଳକ ପଦକ୍ଷେପ ସମ୍ପର୍କରେ ତଦାରଖ କରି ଫେରିଯାଇଛନ୍ତି । ପ୍ରକାଶ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ମୁକାବିଲା କରିବା ପାଇଁ କେନ୍ଦ୍ରାପଡା ଜଳ ସମ୍ପଦ ଡିଭିଜନ ପାଇଁ ଦାଇତ୍ୱରେ ରହିଥିବା କ୍ଷୁଦ୍ର ଜଳସେଚନ ମୂଖ୍ୟ ଯନ୍ତ୍ରୀ ଇଂ. ସରୋଜ କୁମାର ପଟ୍ଟନାୟକ,ଇଷ୍ଟର୍ଣ୍ଣ ସର୍କଲର ଅଧିକ୍ଷଣ ଯନ୍ତ୍ରୀ ଇଂ.ସୁଶାନ୍ତ କୁମାର ରଥ,କେନ୍ଦ୍ରାପଡା ଜଳ ସମ୍ପଦ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ.ପ୍ରବୋଧ କୁମାର ରାଉତ ଓ ପାଟକୁରା ସବ୍-ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ସନ୍ଦିପ୍ କୁମାର ଆଜି ପାଟକୁରା ଅଂଚଳରେ ରହିଥିବା ବିଭିନ୍ନ ନଦୀବନ୍ଧ ଓ ଘେରିବନ୍ଧ ଅବସ୍ଥା ଅନୁଧ୍ୟାନ କରି ଫେରିଯାଇଛନ୍ତି । ଏହି ଟିମ୍ ଆଜି ଅପରାହ୍ନରେ ପାଟକୁରା ଜଳ ସମ୍ପଦ ସବ୍-ଡିଭିଜନ ଅନ୍ତର୍ଗତ କୁଳା ସେକସନ ଅଧିନରେ ଥିବା ନୀଳାଚଳ ନିକଟସ୍ଥ କୋଦାକଣ ଠାରେ ନବ ନିର୍ମିତ ସ୍ଲୁଇସ୍ ଗେଟ୍ ପରିଦର୍ଶନ କରିଥିଲେ । ଏହି ସ୍ଲଇସ୍ ଗେଟ୍ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଥିଲେ ମଧ୍ୟ ଏଠାରେ ଗେଟ୍ ଲଗାଯାଇ ନ ଥିବାରୁ ଏହି ସ୍ଥାନରେ ବିଭାଗ ପକ୍ଷରୁ ବଲହା ଓ ବାଲି ବସ୍ତା ପକାଯାଇ ସ୍ଲୁଇସ ଗେଟ ର ପାଣି ବାଟକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବାର ଦେଖିଥିଲେ । ଏହି ଟିମ୍ ଲୁଣା ନଦୀର ଦକ୍ଷିଣ ପାଶ୍ୱର୍ରେ ନିର୍ମାଣାଧିନ ଜୟଚନ୍ଦ୍ରପୁର-ଗଡରୋମିତ ନଦୀବନ୍ଧର ସୁଦୃଢୀକରଣ କାର୍ଯ୍ୟକୁ ତଦାରଖ କରିଥିଲେ । ଦଶମୌଜି ବାମ ପାଶ୍ୱର୍ ନଦୀବନ୍ଧର ପାଟପାଣି ଠାରେ ଗତ ‘ଫନି’ ବାତ୍ୟା ପରେ ଏହି ସ୍ଥାନରେ ନଦୀ ଅତଡା ଧସୁଥିବାରୁ ସେହି ସ୍ଥାନରେ ଅସ୍ଥାୟୀ ଭାବରେ ବାଲି ବସ୍ତା ଓ ବଲ୍ହା ଦିଆଯାଇ ଥିବା ସମ୍ପର୍କରେ ପାଟକୁରା ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ସନ୍ଦିପ୍ କୁମାରଙ୍କ ଠାରୁ ଜାଣିବା ପରେ ସେହି ସ୍ଥାନରେ ଅଧିକ ଦୁଇ ହଜାର ବାଲି ବସ୍ତା ମହଜୁଦ ରଖିବା ପାଇଁ ଏହି ଟିମ୍ ପରାମର୍ଶ ଦେଇଥିଲେ । ସେହିପରି ପାଟକୁରା ସବ୍-ଡିଭିଜନ ଅନ୍ତର୍ଗତ ଓସ୍ତର ସେକସନ ଅଧିନରେ ଦୁଇ ହଜାର ବାଲିବସ୍ତା, ବନ୍ତଳା ସେକସନରେ ଦୁଇ ହଜାର ବାଲି ବସ୍ତା.ପାଟକୁରା ଓ କଳା ସେକସନ ମାନଙ୍କରେ ଦୁଇ ହଜାର ଲେଖାଏଁ ବାଲି ବସ୍ତା ଓ କୁଳା ସେକସନ୍ ଅଧିନରେ ଦୁଇ ଶହ ବଲହା ମହଜୁଦ ରଖାଯାଇଥିବା ସମ୍ପର୍କରେ ଏହି ଟିମ୍ ଅବଗତ ହୋଇଥିଲେ । ପାଟକୁରା ଅଂଚଳ ମଧ୍ୟ ଦେଇ ପ୍ରବାହିତ ହେଉଥିବା ଲୁଣା, ପାଇକା ଓ ଚିତ୍ରୋତ୍ପଳା ନଦୀବନ୍ଧର ବିଭିନ୍ନ ସ୍ଥାନମାନଙ୍କର ଅବସ୍ଥା ସମ୍ପର୍କରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ସନ୍ଦିପ୍ କୁମାରଙ୍କ ଠାରୁ ଏହି ଟିମ୍ ଅବଗତ ହୋଇଥିଲେ । ମହାନଦୀରେ ବନ୍ୟା ଆସୁଥିବାରୁ କୌଣସି ସେକସନ ଅଧିକାରୀମାନେ ନିଜ ସେକସନ ନ ଛାଡିବା ପାଇଁ ବିଭାଗୀୟ ଉଚ୍ଚ ଅଧିକାରୀମାନେ ସମ୍ପୃକ୍ତ ସହକାରୀ କନିଷ୍ଠ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଟିମଙ୍କର ନଦୀବନ୍ଧ ଅନୁଧ୍ୟାନ କରିବା ସମୟରେ ପାଟକୁରା ସେକସନର ସହକାରୀ କନିଷ୍ଟ ଯନ୍ତ୍ରୀ ଦୁଃଶାସନ ବାରିକ୍, କୁଳା ସେକସନର ସହକାରୀ କନିଷ୍ଠ ଯନ୍ତ୍ରୀ ନୀଳାମ୍ବର କର,ଓସ୍ତର ସେକସନର ସହକାରୀ କନିଷ୍ଠ ଯନ୍ତ୍ରୀ ଶାରଦା ପ୍ରସାଦ ସାହୁ ଓ ବନ୍ତଳା ସେକସନର କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର