ଘଟଣା ସ୍ଥଳରେ ଉତେଜନା, ଯାନବାହାନ ଚଳାଚଳ ବନ୍ଦ
କେନ୍ଦ୍ରାପଡା ୧୪/୦୮/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଟକ-ଚାନ୍ଦବାଲି ରାସ୍ତାର ଜମଧର ଛକ ନିକଟରେ ବୁଧବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଏକ ୧୦ ଚକିଆ ଟ୍ରକ ଧକ୍କାରେ ୨ ଜଣ ସ୍କୁଟି ଆରୋହୀ କଲେଜ ଛାତ୍ରଙ୍କ ମଧ୍ୟରୁ ଘଟଣା ସ୍ଥଳରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣକୁ ଗୁରୁତର ଆହତ ଅବସ୍ଥାରେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ସଦର ଥାନା ଅନ୍ତର୍ଗତ ଭାଗବତପୁର ପଞ୍ଚାୟତ ପଟକୁରା ଗ୍ରାମର ବାବାଜୀ ସାହୁଙ୍କ ପୁଅ ଗୌତମାନନ୍ଦ ସାହୁ(୨୦) ଓ ତାଙ୍କର ଅନ୍ୟ ଜଣେ ସାଙ୍ଗ ଶରତ ଚନ୍ଦ୍ର ଦାସଙ୍କ ପୁଅ ଦେବଦତ ଦାସ(୧୮) ଗୁଲନଗର ହୋଟେଲ ମ୍ୟାନେଜମେଂଟ କଲେଜରୁ କ୍ଲାସ ସାରି ଏକ ସ୍କୁଟିରେ ଘରକୁ ଫେରୁଥିବା ବେଳେ କଟକ-ଚାନ୍ଦବାଲି ରାସ୍ତାର ଜମଧର ଛକ ନିକଟରେ ବୁଧବାର ଅପରାହ୍ନ ପ୍ରାୟ ୪ଟା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ୧୦ ଚକିଆ ଟ୍ରକ ( ନଂ-ଓଆର୦୫-ଏଏ୧୮୧୫) ସେମାନଙ୍କୁ ସମ୍ମୁଖ ଭାଗରୁ ଧକ୍କା ଦେବା ସହ ପ୍ରାୟ ଏକଶହ ମିଟର ସ୍କୁଟିକୁ ଘୋଷାରି ନେଇଥିଲା । ଫଳରେ ଗୌତମାନନ୍ଦର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଦେବଦତତ୍ତ ଗୁରୁତର ଭାବେ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଗୁରୁତର ଦେବଦତତ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିିଥିଲେ । ତାର ଅବସ୍ଥା ସଂକଟାପନ୍ନ ହେବାରୁ ତାକୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଏହି ଘଟଣାକୁ ନେଇ ସାଧାରଣରେ ପ୍ରବଳ ଉତେଜନା ଦେଖାଦେବାରୁ ଦୀର୍ଘ ସମୟ ଧରି ରାସ୍ତାରେ ଯାନବାହାନ ଅଟକି ରହିଥିଲା । ଖବରପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ । ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ପରେ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଯାନବାହାନ ଚଳାଚଳ ଆରମ୍ଭ ହୋଇଥିଲା । ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀବନ ହାନି ହେଉଥିଲେ ମଧ୍ୟ ପରିବହନ କର୍ତୃପକ୍ଷ ଓ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ନିଆ ଯାଉନଥିବା ସ୍ଥାନୀୟ ଅଂଚଳବାସୀ ଅଭିଯୋଗ କରିଛନ୍ତି । ତେବେ ସଂପୃକ୍ତ ଟ୍ରକ ଡ୍ରାଇଭର ଅତ୍ୟଧିକ ମଦ୍ୟପାନ କରି ଗାଡି ଚଳାଉଥିବାରୁ ସଂପୂର୍ଣ୍ଣ ଡାହଣପଟକୁ ମାଡିଆସି ୨ ସ୍କୁଟି ଆରୋହୀ ଛାତ୍ରଙ୍କ ଉପରେ ଟ୍ରକ ଚଢାଇଦେଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ସୂଚନା ମିଳିଛି । ଡାକ୍ତରଖାନା ସୁତ୍ରରୁ ମଧ୍ୟ ଟ୍ରକ ଡ୍ରାଇଭର ବିହାରର ହରେକୃଷ୍ଣ ରାୟ(୫୨) ଅତ୍ୟଧିକ ମଦ୍ୟପାନ କରିଥିବା ସୂଚନା ମିଳିଛି । ଦୂର୍ଘଟଣା ପରେ ଉତ୍ୟକ୍ତ ଲୋକଙ୍କ ଆକ୍ରମଣର ଶିକାର ହୋଇଥିବା ଟ୍ରକ ଡ୍ରାଇଭରକୁ ପୋଲିସ ଉଦ୍ଧାରକରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିବା ଜଣାପଡିଛି । ସଦର ପୋଲିସ ଦୁର୍ଘଟଣା ଘଟାଇ ଥିବା ଟ୍ରକକୁ ଜବତ କରିବା ସହିତ ୨୨୭/୧୯ରେ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରୁଥିବା ଥାନା ସୁତ୍ରରୁ ସୂଚନା ମିଳିିଛି । ଓଡ଼ିଶା ସମାଚାର