ସାଲେପୁର, ୧୪/୦୮/୨୦୧୯( ଓଡ଼ିଶା ସମାଚାର / ଅଭୟ ଜେନା)- କେନ୍ଦ୍ରାପଡ଼ା ମୁଖ୍ୟ କେନାଲରେ ଦୁଇସପ୍ତାହ ମଧ୍ୟରେ ୬ରୁ ଉଦ୍ଧ୍ୱର୍ ଜାଗାରେ ଘଳିଆ ପଡ଼ିବାରୁ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଜଳସଂପଦ ବିଭାଗର ବେପରୁଆ ନୀତି ଯୋଗୁ ଏହି ଘଳିଆ ସୃଷ୍ଟି ହେଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଆଜି କେନ୍ଦ୍ରାପଡ଼ା କେନାଲର ବାମ ପାଶ୍ୱର୍ ବନ୍ଧ କାଠାହାର ନିକଟରେ ଏକ ବିରାଟ ଘଳିଆ ପଡିଛି । ଘଳିଆ ବନ୍ଦ ପାଇଁ ଜଳସଂପଦ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଘଳିଆ ବନ୍ଦ ହୋଇନଥିବା ଜଣାପଡିଛି । ବାରମ୍ବାର ଘଳିଆ ପଡ଼ିବା ଯୋଗୁ ଚାଷୀ ଓ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି । ଦୀର୍ଘ ୩ବର୍ଷ ଧରି କାଠାହାର ଠାରୁ ହରିଚନ୍ଦନପୁର ମଧ୍ୟରେ ବାରମ୍ବାର ଉଭୟ ପାଶ୍ୱର୍ ବନ୍ଧରେ ଘଳିଆ ପଡ଼ି ଚାଷଜମି ଓ ଜନବସତି ପ୍ରତି ବିପଦ ସୃଷ୍ଟି କରୁଛି । କାଠାହାର ଠାରୁ ହରିଚନ୍ଦନପୁର ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା କେନାଲବନ୍ଧର ଉଭୟ ପାଶ୍ୱର୍ ଦୁର୍ବଳ ଥିବାରୁ ଏହି ଅଂଚଳରେ ବାରମ୍ବାର ଘଳିଆ ପଡୁଛି । କିନ୍ତୁ ଜଳସଂପଦ ବିଭାଗ ପକ୍ଷରୁ ଏହି ଦୁର୍ବଳ କେନାଲବନ୍ଧକୁ ମରାମତି କରିବାପାଇଁ ସ୍ଥାୟୀ ପ୍ରତିକାର କରାନଯାଇ ଘଳିଆ ବନ୍ଦ କରିବା ଆଳରେ ବାଲିବସ୍ତା, ମାଟି ପକାଇ ବ୍ୟାପକ ଅର୍ଥ ଆତ୍ମସାତ୍ କରାଯାଉଛି । ଯଦି ପ୍ରଶାସନ ପକ୍ଷରୁ ଏହି ସ୍ଥାନରେ ଥିବା କେନାଲବନ୍ଧକୁ ସ୍ଥାୟୀ ଭାବେ ମରାମତି କରାଯାଆନ୍ତା, ତେବେ ଏହି ଅଂଚଳରେ ଘଳିଆପଡ଼ି ଚାଷଜମି ପ୍ରତି ବିପଦ ସୃଷ୍ଟି ହୁଅନ୍ତା ନାହିଁ । ଜଳସଂପଦ ବିଭାଗର ଉଚ୍ଚ ପଦାଧିକାରୀ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି । ଓଡ଼ିଶା ସମାଚାର